ଭୁବନେଶ୍ୱର ୧୦/୧୧: ଓଡ଼ିଶାରେ ନିର୍ମିତ ଅତ୍ୟାଧୁନିକ ଡ୍ରୋନ ହିମାଳୟର ଶିଖର ଉପରେ ଏବେ ଉଡିବାକୁ ଯାଉଛି । ଡ୍ରୋନ୍‌ ସହାୟତାରେ ଅପହଞ୍ଚ ଅଞ୍ଚଳରେ କାର୍ଯ୍ୟରତ ଭାରତୀୟ ସୈନିକଙ୍କ ନିକଟରେ  ଖାଦ୍ୟ, ଔଷଧ, ଗୋଳାବାରୁଦ ଓ ଅତ୍ୟାବଶ୍ୟକ  ସାମଗ୍ରୀ ପହଞ୍ଚାଇବ । ବଡ଼କଥା ହେଉଛି, ଏଭଳି ଡ୍ରୋନ୍‌ ଓଡ଼ିଆ ପୁଅ ନିର୍ମାଣ କରିଛନ୍ତି । ଯାହା ଉନ୍ମୋଚିତ ହୋଇଛି । ଡ୍ରୋନ୍‌ର  ନାମ ରଖାଯାଇଛି ‘ଏୟାର ଓରକା’। 

୬୦ କିଲୋ ଓଜନ ବିଶିଷ୍ଟ ଏହି ଡ୍ରୋନ୍‌ରେ  ଅତ୍ୟାଧୁନିକ ସେନ୍‌ସର ରହିଛି । ଏହା ୨୦କିଲୋ  ଓଜନର ସାମଗ୍ରୀ ନେଇ ସର୍ବାଧିକ ୧୮ହଜାର  ଫୁଟ୍‌ ଉପରେ ୧୦ କିମି ଯାଏ ଉଡ଼ିବ । ଡ୍ରୋନ୍‌  ଚଲାଇବାକୁ କୌଣସି ଅପରେଟର ନିକିମା  ହେବାକୁ ପଡ଼ିବ ନାହିଁ । ଏଥିରେ ସ୍ଥାନର ଅକ୍ଷାଂଶ  ଓ ଦ୍ରାଘିମା ଫିଡ୍‌ କରି ଡ୍ରୋନକୁ ଅନ୍‌ କଲେ ଏହା ଗନ୍ତବ୍ୟସ୍ଥଳକୁ ଯାଇ ପୁନଶ୍ଚ ମୂଳସ୍ଥାନକୁ  ଫେରିବ । ଡ୍ରୋନର ରଙ୍ଗ କଳା। ଏହାର ଶବ୍ଦ  ମଧ୍ୟ ବହୁତ କ୍ଷୀଣ । ତେଣୁ ଉଡ଼ୁଥିବା ବେଳେ  କେହି ଜାଣିପାରିବେନି । ଯଦ୍ୱାରା ଶତ୍ରୁକବଳରୁ  ନିଜକୁ ରକ୍ଷା କରିବ । ଦିନ ସହ ରାତି, କୁହୁଡ଼ି  ଓ ପ୍ରବଳ ବର୍ଷାରେ ମଧ୍ୟ ଏହା ଉଡ଼ିବାର  କ୍ଷମତା ରଖିଛି । ଏହା ସମ୍ପୂର୍ଣ୍ଣ ୱାଟରପ୍ରୁଫ୍‌ ।  

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ଚନ୍ଦକା  ଅଞ୍ଚଳର ଏକ ଛୋଟ ଗ୍ୟାରେଜ୍‌ରେ ଏହି  ଡ୍ରୋନ୍‌ କାମ ଆରମ୍ଭ ହୋଇଥିଲା । ପ୍ରାୟ ୨ବର୍ଷର ପରିଶ୍ରମ ପରେ ୨୦୨୩ରେ ଡ୍ରୋନ୍‌ ପ୍ରସ୍ତୁତ  ହୋଇଥିଲା । ପ୍ରଥମେ ଏହାକୁ ହିମାଳୟସ୍ଥିତ  ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ନିକଟକୁ ନିଆଯାଇଥିଲା । ଡ୍ରୋନ୍‌ର କାମ  ଦେଖି ସେନାର ଅଧିକାରୀମାନେ ଖୁସି ପ୍ରକାଶ  କରିବା ସହ ଏହାକୁ ସାମିଲ କରିବାକୁ  ସମ୍ମତ୍ତି ଦେଇଥିଲେ । ବର୍ତ୍ତମାନ ଭାରତୀୟ ସେନାକୁ ମୋଟ ୨୦ଟି ଡ୍ରୋନ୍‌ ପ୍ରଦାନ  କରାଯାଇଛି । ଯାହା ହିମାଳୟ, ଟାଇଗର  ହିଲ ଓ ଲଦାଖରେ କାମ କରିବା । କେବଳ  ସେନାର ପରିବହନ କାମ ନୁହେଁ, ପ୍ରାକୃତିକ  ବିପର୍ଯ୍ୟୟ ବେଳେ ମଧ୍ୟ ଏୟାର ଓରକା  କାମରେ ଆସିବ ବୋଲି ଏହାକୁ ନିର୍ମାଣ  କରିଥିବା ବନଭି ଏରୋର ସିଇଓ ସତ୍ୟବ୍ରତ  ଶତପଥୀ ଓ କୋ-ଫାଉଣ୍ଡର ଅବିନାଶ ସାହୁ  କହିଛନ୍ତି । ଶନିବାର ସିଭି ରମଣ ଗ୍ଲୋବାଲ  ବିଶ୍ୱବିଦ୍ୟାଳୟରେ ଆମେରିକାର ଉଦ୍ୟୋଗପତି  ଟିମ୍‌ ଡ୍ରେପର ଏହାକୁ ଲୋକାର୍ପଣ କରିଥିଲେ ।