ଭୁବନେଶ୍ବର, ୨୯/୧ :ସଂସଦରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ୨୦୨୫-୨୬’ (Economic Survey) ଉପସ୍ଥାପନ କରିଛନ୍ତି ।ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬ ଓଡ଼ିଶାର ସ୍ଥିର ପ୍ରଗତିକୁ ପୁନର୍ବ୍ୟକ୍ତ କରିଛି । ଏହା ରାଜ୍ୟର ଆର୍ଥିକ ଶକ୍ତି ଓ ସାମାଜିକ ପ୍ରଗତିର ଏକ ସକାରାତ୍ମକ ଚିତ୍ର ଉପସ୍ଥାପନ କରୁଛି । ମୁଁ ଆନନ୍ଦିତ ଯେ ଓଡ଼ିଶାର ନେଟ୍ ଷ୍ଟେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ (NSDP) ୨୦୨୩-୨୪ରେ ୬.୯୯ ଲକ୍ଷ କୋଟିରୁ ୨୦୨୪-୨୫ରେ ଅନୁମାନିତ ୭.୯୦ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାର ବୃଦ୍ଧି ହାର ୧୩.୦୪ ପ୍ରତିଶତରେ ପହଞ୍ଚିଛି । ପ୍ରତି ବ୍ୟକ୍ତି NSDP ୧,୬୮,୯୬୬ ଟଙ୍କା ହୋଇଛି, ଯାହା ଲୋକଙ୍କ ଆୟ ବୃଦ୍ଧି ଓ ଜୀବନଧାରଣର ମାନ ଉନ୍ନତିକୁ ପ୍ରତିଫଳିତ କରୁଛି । କୃଷି ଆମର ବିକାଶ ରଣନୀତିର ଏକ ମୂଳ ସ୍ତମ୍ଭ ରହିଛି। ଦେଶରେ ସୂର୍ଯ୍ୟମୁଖୀ ଉତ୍ପାଦନରେ ଓଡ଼ିଶା ଶୀର୍ଷ ତିନି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି, ଯାହା କୃଷି କ୍ଷେତ୍ରରେ ରାଜ୍ୟର ଶକ୍ତିଶାଳୀ ଅବଦାନକୁ ଦର୍ଶାଉଛି । ବ୍ୟାଙ୍କ୍ ଡିପୋଜିଟ୍ ୫.୮୩ ଲକ୍ଷ କୋଟିରେ ପହଞ୍ଚିଛି, ଯାହା ସଞ୍ଚୟ ଓ ନିବେଶକୁ ଦୃଢ କରୁଛି। ଆମର ଆର୍ଥିକ ସ୍ଥିତି ଦୃଢ଼ ରହିଛି, ଯାହା ଇନଫ୍ରାଷ୍ଟକଚର, ଶିକ୍ଷା ଓ ସାମାଜିକ କଲ୍ୟାଣରେ ନିରନ୍ତର ନିବେଶକୁ ସମ୍ଭବ କରୁଛି । ଓଡ଼ିଶାର ଏହି ପ୍ରଗତି ନିଶ୍ଚିତ ଭାବେ ଗର୍ବର ବିଷୟ। ଆମେ ସମସ୍ତେ ମିଶି ଏହି ଯାତ୍ରାକୁ ଆହୁରି ଆଗକୁ ନେବା ।