ଭୁବନେଶ୍ୱର,୨୫/୦୨: ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଉଦବେଗଜନକ ରହିଛି । ଗତ ୪ ବର୍ଷରେ  ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ଜିଲ୍ଲାରେ ୨୮ ରୋଗୀଙ୍କ ମୃତ୍ୟୁ ଘଟିଛି । ବର୍ଷକୁବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ନିକଟରେ ପ୍ରକାଶିତ ଓଡିଶା ଅର୍ଥନୈତିକ  ସର୍ଭେ ରିପୋର୍ଟ ଏହି ତଥ୍ୟ ଦର୍ଶାଇଛି ।  

ରିପୋର୍ଟ କହୁଛି, ୨୦୨୧ରେ ରାଜ୍ୟରେ ୨୫,୫୦୩  ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ  ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୨୨ରେ  ୨୩,୭୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ୫ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୩ରେ ୪୧,୯୭୩  ଆକ୍ରାନ୍ତ ଓ ୪ଜଣ ମୃତକ ରହିଥିଲେ । ତେବେ ୨୦୨୪  ସେପ୍ଟେମ୍ବର ମାସ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଏହି  ସମୟରେ ୫୧,୩୯୮ ଜଣ ରୋଗୀ ଚିହ୍ନଟ ହୋଇଥିଲେ ।  

ସେଥିରୁ ୬ଜଣଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ଚିନ୍ତା  ପ୍ରକଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ମ୍ୟାଲେରିଆ ଅପେକ୍ଷା  ଡେଙ୍ଗୁ ସ୍ଥିତି ସାମାନ୍ୟ ଭଲ ରହିଛି । ଏହି ୪ବର୍ଷରେ  ରାଜ୍ୟରେ ମୋଟ ୩୪,୫୪୭ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୦୨୩ରେ ମାତ୍ର ଜଣେ  ରୋଗୀଙ୍କ ମୃତ୍ୟୁ ଘଟିଛି । ତଥାପି ଡେଙ୍ଗୁକୁ ହାଲୁକା ଭାବେ  ନେବା କଥା ନୁହେଁ । ମଶା ଯୋଗୁ ବ୍ୟାପୁଥିବା ଆଉ ଏକ  ରୋଗ ହେଉଛି ଜାପାନିଜ୍‌ ଏନସେଫାଲାଇଟ୍‌ସ । ୪ବର୍ଷରେ  ରାଜ୍ୟରେ ମୋଟ ୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ବେଳେ ୨୦୨୧ରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । 

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ମ୍ୟାଲେରିଆ,  ଫାଇଲେରିଆ, ଡେଙ୍ଗୁ, ଚିକୁନଗୁନିଆ ଓ ଜାପାନିଜ୍‌  ଏନସେଫାଲାଇଟ୍‌ସ ଭଳି ସଂକ୍ରମଣ ରୋଗକୁ ନିୟନ୍ତ୍ରଣ  ପାଇଁ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ  କାର୍ଯ୍ୟକ୍ରମ(ଏନ୍‌ଭିବିଡିସିପି) ଚାଲିଛି । ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆମୁକ୍ତ କରିବା ଏହି କାର୍ଯ୍ୟକ୍ରମର  ଲକ୍ଷ୍ୟ । ଅନ୍ୟପକ୍ଷେ, ମଶା ଦ୍ୱାରା ବ୍ୟାପୁଥିବା  ଫାଇଲେରିଆ ରୋଗକୁ ନିୟନ୍ତ୍ରଣକୁ ଆଣିବା ପାଇଁ  ଅନୁଗୁଳ, ବରଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର,  ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର,  ସୋନପୁର ଓ ସୁନ୍ଦରଗଡ଼ରେ ଗଣଔଷଧ ସେବନ  କାର୍ଯ୍ୟକ୍ରମ ଚାଲିଛି । ୨୦୨୪ରେ ଆରମ୍ଭ ହୋଇଥିବା  ଏହି ଔଷଧ ବଣ୍ଟନ ହାର ୮୧.୬ ପ୍ରତିଶତ ରହିଛି ।