ଭୁବନେଶ୍ୱର,୨୫/୦୮: ଓଡ଼ିଶା ପ୍ରସିଦ୍ଧ ବଡ଼ଗଡ଼ ବଡ଼ ଗଣେଶଙ୍କ ନିର୍ମାଣ କାର୍ଯ୍ୟ ଜାରି  ରହିଛି । ୬୧ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଶାଳ ମୂର୍ତ୍ତି ପାଇଁ ସୁନ୍ଦର ମୂଷା ନିର୍ମିତ ହୋଇଛି । ଚଳିତ ଥର ଗଜାନନଙ୍କ ପଦ ମଣ୍ଡନ କରିବେ ତାଙ୍କ ଆଦରର  ବାହନ ରୁପାରେ ତିଆରି ମୂଷା । ଏହା ସହିତ ଠାକୁରଙ୍କୁ  ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଭକ୍ତଗଣକୁ ପ୍ରତିବର୍ଷ ନୂଆ ନୂଆ ସାଜସଜ୍ଜା ଭେଟି ଦିଆଯିବ ବୋଲି ଗଣେଶ ମହୋତ୍ସବ କମିଟିର ସଭାପତି ସଂଗ୍ରାମ ମାର୍ଥା କହିଛନ୍ତି । 

ଗତ ବର୍ଷ ବଡ଼ ଗଣେଶଙ୍କ ପାଦ ନିକଟରେ  ବିରାଜିତ ହୋଇଥିଲେ ମାଟି ଓ ପ୍ଲାଷ୍ଟର୍‌ ପ୍ୟାରିସ ନିର୍ମିତ ବାହନ । ଏଥର ବଡ଼ଗଡ଼ ଗ୍ରାମବାସୀ ଓ ମହୋତ୍ସବ କମିଟିର ସଦସ୍ୟ ଗଣ ଆଉ ପାଦେ ଆଗକୁ ଯାଇଛନ୍ତି । ମାଟି ମୂଷାକୁ ସମ୍ପୂର୍ଣ ପରିବର୍ତ୍ତନ କରି ରୁପାରେ ମୂଷା ତିଆରି କରିଛନ୍ତି । ଚାରି ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ମୂଷାକୁ କଟକର ତାରକସୀ କାରିଗର ସଞ୍ଜୟ ମହାରଣା ନିର୍ମାଣ କରିଛନ୍ତି । ଏହି  ରୁପା ମୂଷାରେ ପାଞ୍ଚ କେଜି ରୁପା ଲାଗିଛି । ବଡ଼ଗଡ଼  ଗ୍ରାମବାସୀ, କମିଟିର ସଦସ୍ୟ ଗଣ ଓ ବଦାନ୍ୟ  ବ୍ୟକ୍ତିଙ୍କ ଆର୍ଥିକ ସହଯୋଗରେ ଏହି ରୁପା ମୂଷା ଯୋଗାଡ଼ ହୋଇପାରିଛି । ପୂଜା ଅବସରରେ ଏହି  ମୂଷା ଗଣେଶଙ୍କ ପାଦ ନିକଟରେ ବସିବ । ଦର୍ଶନ  କରିବାକୁ ଆସୁଥିବା ଭକ୍ତମାନେ ଏହି ରୁପା ମୂଷାକୁ ସ୍ପର୍ଶ କରି ପାରିବେ । ତା’ ସହିତ ମୂଷା ପାଖରେ  ଶ୍ରଦ୍ଧାଳୁ ମାନେ ତାଙ୍କ ନିଜ ମୋବାଇଲ ମାଧ୍ୟମରେ  ସେଲ୍‌ଫି ନେଇ ପାରିବେ । ଚଳିତ ମହାତ୍ସବରେ ଏହି ରୂପା ନିର୍ମିତ ମୂଷା ବିଶେଷ ଆକର୍ଷଣ ସାଜିବ ବୋଲି  ଗ୍ରାମବାସୀ, ମହୋତ୍ସବର ଆୟୋଜକ ଓ ବ୍ରାଇଟ ଷ୍ଟାର ୟୁଥ୍‌ ଆସୋସିଏସନ୍‌ କର୍ମକର୍ତ୍ତାମାନେ ଆଶା କରିଛନ୍ତି।