ନବରଙ୍ଗପୁର,୨୮/୧୨: ଦିନେ ପଡ଼ୋଶୀ ଜିଲ୍ଲାରୁ ପରିବା ଆମଦାନି ହେଉଥିଲା । ଏବେ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ପରିବା ଦୁବାଇ ପଠାଯାଇଛି । ଉମରକୋଟ ଓ ରାଇଘର ବ୍ଲକ୍ ଅଞ୍ଚଳର ୫ଜଣ ଚାଷୀ ୧ ହଜାର କେଜିର ବିଭିନ୍ନ ପରିବା ପଠାଇଛନ୍ତି । ସେମାନେ ହେଲେ ଉମରକୋଟ ବ୍ଲକର ବଡ଼କୁମାରୀ ଗାଁର ଚାଷୀ ସୁଜିତ ଦାସ, ସତ୍ୟଜିତ ଦାସ, ସଞ୍ଜୟ ରାୟ, ପିଣ୍ଟୁ ସର୍କାର, ରାଇଘର ବ୍ଲକ୍ ସର୍ଗୁଲିର ବିଜୟ ହାଲଦାର ପ୍ରମୁଖ । ଏଥର ସଫଳ ରପ୍ତାନୀ ଓ ଉଚିତ ଦର ପାଇଁ ପରୀକ୍ଷାମୂଳକ ଭାବେ ପଠାଇଥିବା କହିଛନ୍ତି । ସେଥିରେ ରହିଛି କୁନ୍ଦୁରି ୨୦୦ କେଜି, ଛୋଟଆଳୁ ୧୬୦ କେଜି, ପୋଟଳ ୧୬୦ କେଜି, ରସୁଣ ୨୦୦ କେଜି, ବିନ୍ସ ୧୬୦ କେଜି, ଅମୃତ ଭଣ୍ଡା ୧୨୦ କେଜି ।
ଗତ ବୁଧବାର ମୋଟ ହଜାରେ କେଜି ତଟକା ପରିବା ଜିଲ୍ଲାରୁ ଭୁବନେଶ୍ୱର ଯାଇଥିଲା । ସେଠାରୁ କାର୍ଗୋ ଫ୍ଲାଇଟ୍ରେ ଦୁବାଇ ପଠାଯାଇଛି । ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଶୁଭେନ୍ଦୁ ବିଶ୍ୱାସ କହିଛନ୍ତି, ରାଜ୍ୟ ଉଦ୍ୟାନ କୃଷି ବିଭାଗ ଗେଟ୍ସ ଫାଉଣ୍ଡେସନ ସହାୟତାରେ ଚାଷୀଙ୍କ ଉତ୍ପାଦିତ ପରିବା ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ଏଗ୍ରିବିଜିନେସ୍ ଷ୍ଟାର୍ଟଅପ୍ ଭିଲା ମାର୍ଟ ପ୍ରାଇଭେଟ ଲିଃକୁ ଦାୟିତ୍ୱ ଦିଆଯାଇଛି । ଚାଷୀଙ୍କ ଉତ୍ପାଦିତ ପରିବା ଦୁବାଇ ପଠାଯିବା ପରେ ସେମାନେ ବେଶ୍ ଉତ୍ସାହିତ ରହିଛନ୍ତି । କାରଣ ସେମାନଙ୍କ ପରିବା ଦାମ୍ ଦୁବାଇରେ ୨ରୁ ୩ ଗୁଣା ଦାମ୍ରେ ବିକ୍ରି କରିବାର ସୁଯୋଗ ପାଇଛନ୍ତି । ଏହି କାରବାର ଠିକ୍ ଚାଲିଲେ ପରିବା ନିୟମିତ ବିଦେଶକୁ ରପ୍ତାନୀ ହେଲେ ଆଗକୁ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରି ଉତ୍ପାଦନ ବୃଦ୍ଧି କରାଯିବ । ଜିଲ୍ଲାର ଉମରକୋଟ, ରାଇଘର ଓ ଝରିଗାଁ ଅଞ୍ଚଳରେ ଅଗ୍ରଣୀ ଚାଷୀ ରହିଛନ୍ତି । ବହୁ ଚାଷୀ ଅତ୍ୟାଧୁନିକ ପଦ୍ଧତିକୁ ପ୍ରୟୋଗ କରି ବିଭିନ୍ନ ପ୍ରକାର ଚାଷକୁ ପରୀକ୍ଷାମୂଳକ କରିଥିଲେ । ସଫଳତା ମିଳିବା ପରେ ସେମାନେ ଆଉ ପଛକୁ ଫେରି ଦେଖୁନାହାନ୍ତି । ଜିଲ୍ଲାରେ ଏକର ଏକର ଜମିରେ ବିଭିନ୍ନ ଚାଷ କରି ଚାଷୀମାନେ ସ୍ୱାବଲମ୍ବୀ ହୋଇଛନ୍ତି । ଜିଲ୍ଲାରେ ପ୍ରାୟ ୬ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଛି । ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ସେମାନେ ଉଠାଇଛନ୍ତି । ବିଶେଷକରି ରାଇଘର, ଉମରକୋଟ ଓ ଝରିଗାଁର ଚାଷୀ ବୁନ୍ଦା ଜଳସେଚନ, ଗଭୀର ନଳକୂଅ ସମେତ ବିଭିନ୍ନ ସରକାରୀ ଯୋଜନା ସଫଳତା ହାସଲ କରି ଅଗ୍ରଣୀ ଚାଷୀ ଭାବେ ଆଗେଇଛନ୍ତି । ଅନ୍ୟପକ୍ଷରେ ଏହା ପୂର୍ବରୁ ଜିଲ୍ଲାର ପରିବା ଭୁବନେଶ୍ୱର, ଛତିଶଗଡ଼, ବ୍ରହ୍ମପୁର ଆଦି ଅଞ୍ଚଳକୁ ପଠାଉଥିବା ଚାଷୀମାନେ କହିଛନ୍ତି।