ଭଦ୍ରକ,୨୪/୦୪ (ପ୍ରଭାତ ଦାଶ): କୋରକୋରାରେ ତିଆରି ହୋଇଛି କାଶ୍ମୀର ବଗିଚା । ଅଙ୍ଗୁର ଠାରୁ ଭେରାଇଟି ସେଓ, ନାସପାତି । ପୁଣି ଆଲମଣ୍ଡରୁ ନାଲି ପିଜୁଳି । ଭଳିକି ଭଳି ଦାମୀ ଫଳ ଗଛ ଭିତରେ ରୁଦ୍ରାକ୍ଷ ଗଛ ବି ଅକାଶ ଛୁଇଁଛି । ବାଡ଼ି ଭିତରେ ଫଳିଛି ଫଳର ରାଜା ଆମ୍ବ । ସେ ଆମ୍ବ ଏମିତି ସେମିତି ନୁହଁ । ଯାହାର ଦାମ ଆକାଶ ଛୁଆଁ । ବିଦେଶରେ କେଜି ପ୍ରତି ଦାମ ଅଛି ଅଢେଇ ଲକ୍ଷ ଟଙ୍କା । ଭଦ୍ରକ କୋରକୋରାରେ ଯାବତୀୟ ଫଳ ସାଙ୍ଗକୁ ଜାପାନର ପ୍ରସିଦ୍ଧ ଏହି ମିୟାଜାକି ଆମ୍ବ ଫଳିଛି । କୋରକୋରାରେ ଏହି କାଶ୍ମୀର ବଗିଚା କରିଛନ୍ତି ଜଣେ ପୁଲିସ କର୍ମଚାରୀ । ଭଦ୍ରକ ଗୁଇନ୍ଦା ବିଭାଗରେ ନିୟୋଜିତ ରାଜେଶ ରାଉତଙ୍କ ବାଡ଼ିକୁ ଥରେ ଯିଏ ଯିବ ନିଶ୍ଚିତ ତା ମନ ସେଠାରେ ଲାଖି ହୋଇଯିବ । ବଗିଚାର ସବୁଠୁ ଆକର୍ଷଣ ପାଲଟିଛି ଅଢେଇ ଲକ୍ଷ ଟଙ୍କିଆ ମିୟାଜାକି ଆମ୍ବ । ଦାମ ଯେମିତି, ରୂପ ବି ସେମିତି । ଯେତେ ଦେଖିଲେ ବି ଆହୁରି ଦେଖିବାକୁ ମନ ବଳାଇବ ।
ଭଦ୍ରକ-ଆରଡ଼ି ରାଜ୍ୟ ରାଜପଥ କୋରକୋରା ଛକ, ସହରଠାରୁ ମାତ୍ର ୩ କିମି । ସେହି ଛକରେ ରାଜେଶଙ୍କ ୬ ଗୁଣ୍ଠ ଜମିରେ ଫଳୁଛି ଏହିସବୁ ଫଳ । ସାଧାରଣତଃ କାଶ୍ମୀର ଭଳି ଥଣ୍ଡା ଅଞ୍ଚଳରେ ଏହିସବୁ ଫଳ ହୋଇଥାଏ । ମାତ୍ର କୋରକୋରାରେ ଏହା ଫଳିଥିବାରୁ ଏହାର ନାଁ କାଶ୍ମୀର ବଗିଚା ଦିଆଯାଇଛି । ବାଡ଼ି ଭିତରେ ରହିଛି ୫ଟି ମିୟାଜାକି ଆମ୍ବ ଗଛ । ୪ଟି ଗଛରେ ଏଥର ଫଳିଛି ୨୦ କେଜି ଆମ୍ବ । ଫଳିଥିବା ଆମ୍ବକୁ ବଜାର ଦର ସହ ମୂଲ୍ୟାୟନ କଲେ ୫୦ ଲକ୍ଷ ଟଙ୍କା ହେବ । ଏହି ଆମ୍ବ ଚାରା କଲିକତାରୁ ଆଣିଛନ୍ତି ରାଜେଶ । ପ୍ରତି ଚାରା ମୂଲ୍ୟ ୨୫ ଶହ ଟଙ୍କା । ଚାରା ଆଣି ପୋତିବାର ଦୁଇ ବର୍ଷ ପରେ ଫଳିଛି ଫଳ । ଦେଖିବାକୁ ଏହା ଲାଲ ଓ ଖଇରା । ସମ୍ପୂର୍ଣ୍ଣ ପାଚିଲେ ଏହା ସନ ରାଇଜିଂ ଭଳି ସିନ୍ଦୁର କଲର ଭଳି ଦିଶିବ । ମିୟାଜାକି ଆମ୍ବ ହେଉଛି ଦୁନିଆର ସବୁଠି ଦାମି ଆମ୍ବ । ଜାପାନ ଦେଶରେ ମିୟାଜାକି ପ୍ରଦେଶରେ ଏହି ଆମ୍ବ ଅଧିକ ଫଳେ । ଔଷଧୀୟ ଗୁଣରେ ଭରପୁର ରହିଛି । ମେଧ ବହୁଳ ରୋଗୀଙ୍କ ପାଇଁ ବରଦାନ ସାଜୁଥିବା ଏହି ଆମ୍ବକୁ କିଣିବା ଲାଗି ଜାପାନ ବଜାରରେ ଔଷଧ କମ୍ପାନି ଗୁଡ଼ିକ ମଧ୍ୟରେ ଚାଲେ ପ୍ରତିଯୋଗିତା । ମିୟାଜାକି ସହର ନାମାନୁସାରେ ଏହି ଆମ୍ବର ନାମ ବି ମିୟାଜାକି ରହିଛି । ବିଦେଶରେ ଚାହିଦାକୁ ଲକ୍ଷ୍ୟ ରଖି ଏହି ଆମ୍ବ ଏବେ ଭାରତରେ ବି ଚାଷ ହେଉଛି । ବାହାର ଦେଶକୁ ରପ୍ତାନୀ ହେଉଛି । ଓଡ଼ିଶାର ବରଗଡ଼ ପରେ ଏବେ ଆଉ କିଛି ସ୍ଥାନରେ ଏହି ଆମ୍ବ ଫଳୁଛି । ଭଦ୍ରକ ବ୍ଲକ କୋରକରାର ପୁଲିସ କର୍ମଚାରୀ ରାଜେଶ ରାଉତ ଏହାକୁ ଫଳାଇ ବେଶ ଚର୍ଚ୍ଚାକୁ ଆସିଛନ୍ତି । ୟୁ ଟ୍ୟୁବ୍ର ଏହି ଆମ୍ବର ଚାହିଦା ଗୁରୁତ୍ୱ ଜାଣି ଫଳାଇବାକୁ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ସେ ।
ପେଶାରେ ପୁଲିସ । ହେଲେ ବି ରାଜେଶଙ୍କ ନିଶା ସବୁବେଳେ ଭିନ୍ନ କିଛି ଚାଷ କରିବା । ତାଙ୍କ ବାଡ଼ିରେ ଫଳୁଛି ଅଙ୍ଗୁର । ଏହି ଅଙ୍ଗୁରର ଲଟା ମାଡ଼ିଛି କାହିଁରେ କେତେ ବାଟ । ପୁଣି ଅନେକ ରକମର ସେଓ ଗଛ ପରସ୍ପର ପ୍ରତିଯୋଗିତା ଦେଇ ବଢୁଛନ୍ତି । ସେଓ ଭିତରେ ଅଛି-ଭେଲବେଟ, ଆନା, ଏଚଆରଏମଏନ-୯୯, ଡୋରସେଟ ଗୋଲଡେନ ଆପୋଲ ଭଳି ୫ ରକମର ଦାମୀ ଗଛ । ଗୋଲଡେନ ଆପୋଲ ସବୁଠୁ ଅଧିକ ମୂଲ୍ୟବାନ ବୋଲି ସେ କହିଛନ୍ତି । ସେହିଭଳି ନାସପାତି, ନାଲି ପିଜୁଳି, ଥାଇଲାଣ୍ଡ ପଜୁଳି ଭଳି ଗଛ ରହିଛି । ୪ଟି ଆଲମଣ୍ଡ ଗଛରେ ଫଳ ଆସିଛି । ପାମ୍ ଫଳ ଗଛରେ ଏବେ ଫୁଲ ଆସିଛି । କୈଳାସ ପର୍ବତର ରୁଦ୍ରାକ୍ଷ ଗଛ ରାଜେଶଙ୍କ ବାଡ଼ିରେ ବିରାଟ ଆକାର ଧାରଣ କରିଛି । ଭିନ୍ନ ଭିନ୍ନ ମୂଲ୍ୟବାନ ଫଳ ଗଛ ସାଙ୍ଗକୁ ପନି ପରିବା ଭିତରେ ବାଇଗଣ, ପୋଟଳ ଆଦି ଫଳିଛି । ଆମ୍ବ ଫଳାଇ ରାଜେଶ ଏବେ ବଜାର ସୁବିଧାକୁ ଚାହିଁ ରହିଛନ୍ତି । ଉଦ୍ୟାନ ବିଭାଗ ଏନେଇ କିଛି ପଦକ୍ଷେପ ନେଲେ ରାଜେଶଙ୍କ ଭଳି ଅନ୍ୟମାନେ ଏହି ଦାମୀ ଆମ୍ବ ଚାଷ ପ୍ରତି ଆଗଭର ହେବେ ବୋଲି ଚର୍ଚ୍ଚା ହେଉଛି ।