ନୂଆଦିଲ୍ଲୀ,୨୭/୧୨; ପ୍ରଥମ ଓଡ଼ିଆ ଭାବେ ଦ୍ରୁତ ବୋଲର ରାଜେଶ ମହାନ୍ତି ବିଜୟ ହଜାରେ ଟ୍ରଫିରେ ହ୍ୟାଟ୍ରିକ୍ ୱିକେଟ୍ ହାସଲ କରିବାର ଗୌରବ ଲାଭ କରିଛନ୍ତି । ଅନ୍ୟତମ ଦ୍ରୁତ ବୋଲର ସମ୍ବିତ ବରାଳଙ୍କ ସହ ଘାତକ ବୋଲିଂ କରି ସେ ଦଳକୁ ସର୍ଭିସେସ୍ ବିପକ୍ଷରେ ଆଜି ୪ ୱିକେଟ୍ରେ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ଦଳର ଏହା ପ୍ରଥମ ବିଜୟ । ୪ଟି ୱିକେଟ୍ ଏବଂ ୧୨ ରନ୍ କରିଥିବାରୁ ରାଜେଶ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ଅଧିନାୟକ ବିପ୍ଳବ ସାମନ୍ତରାୟ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ବେଙ୍ଗାଲୁରୁର ଆଲୁର ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇଥିଲା । ଯଦିଓ ପ୍ରଥମ ୬ ଓଭର ସର୍ଭିସେସ୍ ଓପନର ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ । କିନ୍ତୁ ସପ୍ତମ ଓଭରରେ ରାଜେଶ ଘଟାଇଥିଲେ ଭୟଙ୍କର ବିପର୍ଯ୍ୟୟ । ୬.୧ ଓଭରରେ ଓପନର ସାଗର ଦହିୟା (୯), ୬.୨ ଓଭରରେ ଅମିତ ଶୁକ୍ଳା (୦) ଏବଂ ୬.୩ ଓଭରରେ ରବି ଚୌହାନଙ୍କୁ (୦) ଆଉଟ୍ କରି ହ୍ୟାଟ୍ରିକ୍ ପୂରଣ କରିଥିଲେ । ମାତ୍ର ୨୧ ରନ୍ରେ ଦଳ ପ୍ରମୁଖ ୪ଟି ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସମ୍ବିତ ମଧ୍ୟ ଘାତକ ବୋଲିଂ କରିଥିଲେ । ଫଳରେ ସର୍ଭିସେସ୍ ମାତ୍ର ୨୧.୫ ଓଭରରେ ୮୩ ରନ୍ରେ ଅଲଆଉଟ୍ ହୋଇଥିଲା । ରାଜେଶ ଓ ସମ୍ବିତ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ । ସର୍ଭିସେସ୍ର ନୀତିନ ତନୱାର ୧୧, ଅଞ୍ଜୁନ ଶର୍ମା ୧୩ (ଅପରାଜିତ) ଏବଂ ପୁନ ପୁନିଆ ୨୫ ରନ୍ କରିଥିଲେ ।
🚨 𝐇𝐀𝐓-𝐓𝐑𝐈𝐂𝐊 𝐀𝐋𝐄𝐑𝐓 🚨🔥
— Odisha Cricket Association (@cricket_odisha) December 26, 2025
Rajesh Mohanty becomes the first Odisha bowler to take a List A hat-trick 💙
Watch his sensational four-wicket haul against Services in the Vijay Hazare Trophy 💙💥#vijayhazaretrophy #odishacricket #hattrick #odishacricketassociation pic.twitter.com/L532ImAOTI
୮୪ ରନର ବିଜୟ ଲକ୍ଷ୍ୟ ଓଡ଼ିଶା ପାଇଁ ସହଜ ନଥିଲା । ସର୍ଭିସେସ ପେସର ମଧ୍ୟ ଘାତକ ବୋଲିଂ କରିଥିଲେ । ପୂର୍ବ ମ୍ୟାଚରେ ଦ୍ୱିଶତକୀୟ ଇନିଂସ ଖେଳିଥିବା ସ୍ୱସ୍ତିକ ସାମଲ ଖାତା ଖୋଲି ପାରିନଥିଲେ । ସେମିତି ଓମ୍ ଟି ମୁଣ୍ଡେ ୧ ରନ୍ କରି ଫେରିଥିଲେ । ୪୦ ରନ୍ରେ ଓଡ଼ିଶା ପ୍ରମୁଖ ୩ଟି ୱିକେଟ୍ ହରାଇ ବସିଥିଲା । କିନ୍ତୁ ସନ୍ଦୀପ ପଟ୍ଟନାୟକ ଶେଷ ପର୍ଯ୍ୟନ୍ତ ବେଶ ଧୈର୍ଯ୍ୟର ସହ ଅପରାଜିତ ରହି ୩୨ ରନ୍ କରିବା ସହ ଦଳକୁ ୨୪.୩ ଓଭରରେ ଜିତାଇଥିଲେ । ଏଥିରେ ରାଜେଶଙ୍କ ୧୨ ରନର ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ପୋଦ୍ଦାର ୧୧, ସମ୍ବିତ ୭, ବିପ୍ଳବ ୪ ଏବଂ ପ୍ରୟାସ ସିଂ ୯ (ଅପରାଜିତ) ରନ୍ କରିଥିଲେ । ପୁନିଆ ୨୭ ରନ୍ ଦେଇ ଏକାକୀ ୪ଟି ୱିକେଟ୍ ହାସଲ କରିଥିଲେ । ନୀତିନ ଯାଦବଙ୍କୁ ୨ଟି ୱିକେଟ୍ ମିଳିଥିଲା । ଗ୍ରୁପ୍ ଡି’ର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୫ ୱିକେଟ୍ରେ ସୌରାଷ୍ଟ୍ର ଠାରୁ ପରାଜିତ ହୋଇଥିଲା । ସର୍ଭିସେସକୁ ପରାସ୍ତ କରି ଓଡ଼ିଶା ୪ ପଏଣ୍ଟ ସହ ଟେବୁଲରେ ଦିଲ୍ଲୀ ତଳକୁ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।