ଭୁବନେଶ୍ୱର, ୨୫/୦୫ : ଜୁଲାଇ ଭିତରେ ଗାଁକୁ ଯିବେ ସଚିବ ଓ ବରିଷ୍ଠ ଅଧିକାରୀ । ୨ରୁ ୩ ଦିନ ପାଇଁ ଜିଲ୍ଲାରେ ରହି ସେଠାରେ ଥିବା ଗାଁ ଓ ବ୍ଲକ୍ ବୁଲିବେ । ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଟିକିନିଖି ସମୀକ୍ଷା କରିବେ । ସ୍କୁଲ ଓ ହସ୍ପିଟାଲ ଯାଇ ସ୍ଥିତି ପରଖିବେ । ଆଦିବାସୀ ଛାତ୍ରାବାସ, ଅନାଥାଶ୍ରମ ବା ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଇ ମାନ ଯାଞ୍ଚ କରିବେ । ଦୁର୍ଗମ ଅଞ୍ଚଳକୁ ପାଦରେ ଚାଲି ଚାଲି ଯାଇ ପ୍ରାଚୀନ ଜନଜାତିଙ୍କ ସହ କଥା ହୋଇ ସମସ୍ୟା ଶୁଣିବେ । ପ୍ରତି ତିନି ମାସରେ ଥରେ ଏଭଳି ଗସ୍ତ କରିବା ସହ ଏହାର ବିବରଣୀ ସରକାରଙ୍କୁ ଦେବେ । ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ସବୁ ବିଭାଗୀୟ ସଚିବଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ମେ ମାସରୁ ଜୁଲାଇ ମାସ ଭିତରେ ଏହି ଜିଲ୍ଲା ଗସ୍ତ ସାରିବାକୁ କୁହାଯାଇଛି । କେଉଁ ସଚିବ ବା ବରିଷ୍ଠ ଅଧିକାରୀ କେଉଁ ଜିଲ୍ଲାକୁ ଯିବେ, ତାହାର ଦାୟିତ୍ୱ ବଣ୍ଟାଯାଇଛି । ଜିଲ୍ଲା ପରିଦର୍ଶନ ସମୟରେ ସେମାନେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ, ଅନ୍ତୋଦୟ, ଆବାସ, ମଧୁ ବାବୁ ପେନସନ, ଗ୍ରାମୀଣ ଶିଳ୍ପ ପାର୍କ, ପାଇପ୍ ଜଳଯୋଗାଣ, ସେତୁ ବନ୍ଧନ, ପଞ୍ଚସଖା ଶିକ୍ଷା ସେତୁ, ପିଏମଶ୍ରୀ, ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି, ସୁଭଦ୍ରା ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ଓ କାର୍ଯ୍ୟକାରିତାରେ କଣ ସମସ୍ୟା ରହୁଛି, ତାର ବିସ୍ତୃତ ସମୀକ୍ଷା କରିବେ । ସଚିବ ଓ ବରିଷ୍ଠ ଅଧିକାରୀମାନେ ନିଜ ଇଚ୍ଛା ଅନୁସାରେ ଜିଲ୍ଲାର ଯେ କୌଣସି ଅଞ୍ଚଳକୁ ଯାଇପାରିବେ । ଜିଲ୍ଲାର ଯେ କୌଣସି ପଞ୍ଚାୟତକୁ ଯାଇ ସେଠାରେ ଯୋଜନର କାର୍ଯ୍ୟକାରିତାକୁ ଯାଞ୍ଚ କରିବେ । ଜିଲ୍ଲାର ଯେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇ ସମସ୍ୟା ବୁଝିବାକୁ କୁହାଯାଇଛି । ଚିକିତ୍ସା ସେବା ଏବଂ ଔଷଧ ଠିକ୍ରେ ମିଳୁଛି କି ନା, ତାହା ମଧ୍ୟ ପରଖିବେ । ପିଇବା ପାଣି ପ୍ରକଳ୍ପର ଅଗ୍ରଗତି ମଧ୍ୟ ସମୀକ୍ଷା କରିବାକୁ କୁହାଯାଇଛି । କେଉଁ ଜାଗାରେ ଘରୋଇ ଟ୍ୟାପ ସଂଯୋଗ ହୋଇନି ଓ କେଉଁଠି ଗ୍ରୀଷ୍ମ ଋତୁରେ ପିଇବା ପାଣି ସମସ୍ୟା ଅଛି, ତାକୁ ମଧ୍ୟ ଯାଞ୍ଚ କରିବେ । ଠିକରେ ପୋଷଣ ମିଳୁଛି କି ନା, ଜାଣିବାକୁ ଏସ୍ସି ଓ ଏସ୍ଟି ଛାତ୍ରବାସ, ଅନାଥାଶ୍ରମ ଓ ଆହାର କେନ୍ଦ୍ର ମଧ୍ୟାହ୍ନ ଭୋଜନ ଖାଇ ଖାଦ୍ୟର ଗୁଣବତ୍ତା ପରଖିବାକୁ ମଧ୍ୟ କୁହାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ର ଓ ବାଳିକା ଛାତ୍ରାବାସ ବୁଲି ସ୍ଥିତି ଅନୁଧ୍ୟାନ କରିବେ ।

ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନ ହୋଇଛି କି ନା, ତାକୁ ମଧ୍ୟ ଦେଖିବେ । ଜିଲ୍ଲାରେ ବ୍ୟାଙ୍କିଙ୍ଗ ସେବା କେମିତି ମିଳୁଛି, ଲୋକେ ଡିଜିଟାଲ ମାଧ୍ୟମରେ ସେବା ପାଉଛନ୍ତି କି ନା, କମନ ସର୍ଭିସ୍ ସେଣ୍ଟର କିଭଳି କାମ କରୁଛି, ତାକୁ ଯାଞ୍ଚ କରିବେ । ଖଣି ବହୁଳ ଜିଲ୍ଲାରେ ଡିଏମଏଫ ପାଣ୍ଠି କିଭଳି ଖର୍ଚ୍ଚ ହୋଇଛି ଓ ଆଂକାକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା କରିବେ । ପ୍ରତି ତିନି ମାସରେ ଅତି କମ୍ରେ ଦୁଇ ଦିନ ପାଇଁ ଏଭଳି ଜିଲ୍ଲା ଗସ୍ତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରୁ ଫେରି ଏହାର ରିପୋର୍ଟ ପୋର୍ଟାଲରେ ଅପଲୋଡ କରିବା ସହ ଏହାର ନକଲ ମୁଖ୍ୟ ଶାସନ ସଚିବଙ୍କୁ ଦେବାକୁ କୁହାଯାଇଛି ।

ଏହି ଖବରଟିକୁ ପଢନ୍ତୁରାଜ୍ୟରେ ୩୦ ବର୍ଷ ହେଲା B.Ed ଘରୋଇ ଶିକ୍ଷାନୁଷ୍ଠାନରେ ତାଲା, ୨୮୦୦ ସିଟ୍କୁ ଆଶାୟୀ ଲକ୍ଷେ ୩୦ ହଜାର, ଦଲାଲ୍ ମାଲେମାଲ୍