ଭୁବନେଶ୍ୱର,୨୨/୦୩: ଦୟା ଓ ଗଙ୍ଗୁଆର ଭାଗ୍ୟ ବଦଳିବ । ଲୁପ୍ତ ହୋଇଯାଉଥିବା ଏହି ଦୁଇ କେନାଲକୁ ନୂଆରୂପ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ନୂଆ ମାଷ୍ଟରପ୍ଲାନ ପ୍ରସ୍ତୁତି କରିଛନ୍ତି । ଏହାକୁ ସମୀକ୍ଷା କରିଛନ୍ତି ଭୁବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ । ସମୀକ୍ଷା ବୈଠକରେ ଜଳ ସମ୍ପଦ ବିଭାଗର ସଚିବଙ୍କ ସହିତ ଗଙ୍ଗୁଆ ନାଳର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟ କରଣ କାମ ସମ୍ପର୍କରେ ଆଲୋଚନା ହୋଇଥିଲା । ରାଜସ୍ଥାନର ଦ୍ରବ୍ୟବତୀ ନଦୀ ଢାଞ୍ଚାରେ ଗଙ୍ଗୁଆର ବିକାଶ କରାଯିବ । ଏଥିପାଇଁ ୮୭୩୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ରିଭର ପ୍ରଣ୍ଟ ବିକାଶ ଯୋଜନାରେ ବିଏମ୍ସି ଅଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଜଳକୁ ବିଶୋଧନ କରାଯିବ । ଏନେଇ ୱାଟ୍କୋ ପକ୍ଷରୁ ଗଙ୍ଗୁଆରେ ୧୦ଟି ସ୍ୱେରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ(ଏସ୍ଟିପି) ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି ।

ଗଙ୍ଗୁଆ ବ୍ରାଞ୍ଚ କେନାଲ ପାଖରେ ଜାଗା ଚିହ୍ନଟ କରାଯିବ । ଏଠାରେ ଜଳ ବିଶୋଧନ କରାଯିବା ପରେ ପୁଣି ଥରେ ନାଳକୁ ଛଡ଼ାଯିବ । ପ୍ରାୟ ୧୦୬ ଏମ୍ଏଲ୍ଡି କ୍ଷମତା ବିଶିଷ୍ଟ ଏସ୍ଟିପି ରହିବ । ଫଳରେ ଗଙ୍ଗୁଆ ନଦୀ ଆଉ ପ୍ରଦୂଷିତ ହେବ ନାହିଁ । କି ପାଣିରୁ ଦୁର୍ଗନ୍ଧ ଆସିବ ନାହିଁ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଙ୍କୁ ଜବରଦଖଲ ଉଚ୍ଛେଦ ଦାୟିତ୍ୱ ମିଳିଛି । ସହର ଭିତରେ ରିଭର ପ୍ରଣ୍ଟର ସୌନ୍ଦର୍ଯ୍ୟକରଣ କରାଯିବ । ସହର ୫ଟି ସ୍ଥାନ ଚିହ୍ନଟ କରାଯାଇଛି । ଏହି ସବୁ ସ୍ଥାନରେ ପାର୍କ କରାଯିବ । ବୋଟିଂର ମଜା ନେବେ ରାଜଧାନୀବାସୀ । ଏହା ସହ ବସିବା ପାଇଁ ସ୍ଥାନ, ଚଲାପଥ, ସାଇକେଲ ଟ୍ରାକ୍ ଏବଂ ଅନ୍ୟ ଆନୁସଙ୍ଗିକ ସୁବିବା କରାଯିବ । ପର୍ଯ୍ୟଟନ ବିଭାଗକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯିବ । ରାଜଧାନୀ ଇଂଜିନିୟରିଂ କଲେଜ ନିକଟରୁ ଆରମ୍ଭ ହୋଇ ଗଙ୍ଗୁଆ ନାଳର ପୁନରୁଦ୍ଧାର କାର୍ଯ୍ୟ ଜଟଣୀ ନିକଟ କଣ୍ଟି ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୩୩ କିଲୋମିଟର କରାଯିବ ।

ଏହା ସହିତ ଦୟା ପଶ୍ଚିମ କେନାଲର ପୁନରୁଦ୍ଧାର ଓ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି । ବାରଙ୍ଗଠାରୁ ଆରମ୍ଭ କରି ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୪.୮୬ କିଲୋମିଟର ଦୂର ଦୟା ପଶ୍ଚିମ କେନାଲର ପୁନରୁଦ୍ଧାର ହାତକୁ ନିଆଯାଇଛି । ଏହି ପ୍ରକଳ୍ପର ମୋଟ୍ ବ୍ୟୟ ଅଟକଳ ୪୪୮ କୋଟି ଟଙ୍କା ରହିଛି । ବିଶେଷ କରି ଗଙ୍ଗୁଆ ନାଳର ପୁନରୁଦ୍ଧାର ଏବଂ ଦୟା ପଶ୍ଚିମ କେନାଲର ପୁନରୁଦ୍ଧାର ହୋଇପାରିଲେ, ଏହା ବହୁ ପରିମାଣରେ ଲୋକଙ୍କୁ ସହାୟକ ହେବ । ଯେପରିକି ଏହା ଟ୍ରାଫିକ୍ ସମସ୍ୟା ଦୂର କରିବ ଏବଂ ମାଟିତଳେ ଜଳସ୍ତର ରକ୍ଷା କରିବାରେ ବିଶେଷ ଭୂମିକା ନେବ ବୋଲି ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଛି । ଭୁବନେଶ୍ୱର ମହାନଗର ନିଗମ ଅଧ୍ୟକ୍ଷଙ୍କ ସହିତ ଡ୍ରେନ ସମସ୍ୟାର ସମୀକ୍ଷା କରିଥିଲେ ସାଂସଦ ।