• ମିଲର ମହାସଂଘର ୪ ଦାବିରୁ ଗୋଟିଏ ମାନିଲେ
  • ୭ ଦିନରେ ବକେୟା ନେଇ ଚିଠି, ନଚେତ୍ ୧୫ ଦିନ ପରେ ପରବର୍ତ୍ତୀ ନିଷ୍ପତ୍ତି

ଭୁବନେଶ୍ୱର,୦୮/୦୧: ଟଳିଲା ମଣ୍ଡି ଅଚଳାବସ୍ଥା । ଆଜିଠୁ ସ୍ୱାଭାବିକ ହେବ ମଣ୍ଡି । ଅଲ୍ ଓଡ଼ିଶା ରାଇସ୍ ମିଲର୍ ମହାସଂଘର ୪ ଦଫା ଦାବିରୁ ଗୋଟିଏ ଦଫା ଦାବିକୁ ସରକାର ମାନିଛନ୍ତି । ଯଦି ୧୫ ଦିନ ମଧ୍ୟରେ ଦାବି ପୂରଣ ନହୁଏ, ତେବେ ଆମର ପୁଣି ବୈଠକ ବସିବ । ପରବର୍ତ୍ତୀ ନିଷ୍ପତ୍ତି ପୁଣି ମହାସଂଘ ନେବ ବୋଲି ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦୀପକ ରଞ୍ଜନ ଦାଶ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାଶ କହିଛନ୍ତି, ଆମର ଆଶା ସରକାର ୧୫ ଦିନ ମଧ୍ୟରେ ଦାବି ପୂରଣ କରିବେ । ବୁଧବାର ଗୋଟିଏ ଦାବି ସରକାର ମାନି ନେଇଛନ୍ତି । ୨୦୨୩-୨୪, ୨୦୨୪- ୨୫ର ବକେୟା କଷ୍ଟଡି ମେଣ୍ଟେନାନ୍ସ ଦେୟ ସର୍ବମୋଟ ୧୬୦ କୋଟି ବାକି ରହିଥିଲା । ସରକାର ଆସନ୍ତା ୭ ଦିନ ମଧ୍ୟରେ ଏହି ବକେୟା ଦେବା ନେଇ ଚିଠି କରିଛନ୍ତି ।

ବାକି ତିନୋଟି ଦାବି ନେଇ ରାଜ୍ୟ ଯୋଗାଣ ବିଭାଗ ଅନୁଧ୍ୟାନ କରୁଛି । ଯେମିତିକି ପରିବହନ ଖର୍ଚ୍ଚ ବାବଦରେ ସେମାନେ ସକାରାତ୍ମକ ଅଛନ୍ତି । ଅର୍ଥାତ ମଣ୍ଡିରୁ ମିଲ୍କୁ ଧାନ ଆସିବା ଏବଂ ମିଲ୍ରୁ ବିଭିନ୍ନ ଗୋଦାମକୁ ଧାନ ପରିବହନ ଖର୍ଚ୍ଚ ବାବଦରେ ବିଭାଗ ଅନୁଧ୍ୟାନ କରି ଜଣାଇବ । ଏନେଇ ୧୫ ଦିନ ସମୟ ଦିଆଯାଇଛି । ସେହିପରି ଅରୁଆ ଧାନ ସମସ୍ୟାର ସମାଧାନ ପାଇଁ ମଧ୍ୟ ସରକାର ସମୟ ମାଗିଛନ୍ତି । ଅରୁଆ ଧାନ ପାଇଁ ୧୭%ରେ ଧାନ କିଣା ହୁଏ । ହେଲେ ଚାଉଳ ୧୪% ପ୍ରତିଶ୍ରୁତିରେ ବିକ୍ରି ହୁଏ । ଯେଉଁଥିପାଇଁ ମିଲରମାନେ ୩% କ୍ଷତି ସହୁଥିଲେ । ସେଥିରୁ ସରକାର ପୂର୍ବରୁ ୧% କ୍ଷତିପୂରଣ ଦେଉଥିଲେ, ଏବେ ତାକୁ ୦.୦୭୮% କରିଛନ୍ତି । ପୂର୍ବ ଅନୁସାରେ କ୍ଷତିଭରଣା ପାଇଁ ସଙ୍ଘ ଦାବି କରିଛି । ୧୫ ଦିନ ଭିତରେ ସମସ୍ତ ଦାବି ଉପରେ ଆଲୋଚନା କରି ସମାଧାନ କରିବେ ବୋଲି ସରକାର କହିଛନ୍ତି । ଦାବି ପୂରଣ ନ ହେଲେ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସଙ୍ଘ କହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅଲ୍ ଓଡିଶା ରାଇସ ମିଲର୍ ସଂଘ ସମ୍ପାଦକ ଶ୍ରୀ ଦାସ, ସଭାପତି ମହେଶ ବଂଶଲ୍ଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସ୍ୱାଭାବିକ ହୋଇଛି । ୧୯ଟି ଜିଲ୍ଲାରେ ଧାନ କିଣା ଜାରି ରହିଛି । ମିଲରମାନଙ୍କ କିଛି ଦାବିଙ୍କୁ ସରକାର ମାନିଛନ୍ତି, ଏନେଇ ସରକାରଙ୍କର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଗତକାଲି ମିଲର୍ସ ସଂଘ ସହିତ ଆଲୋଚନା ହୋଇଥିଲା। ୧୯ଟି ଜିଲ୍ଲାରେ ବୁଧବାର ସୁଦ୍ଧା ୩ ଲକ୍ଷ ୧୫ ହଜାର ୪୩୧ ଚାଷୀଙ୍କଠାରୁ ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଏଥିମଧ୍ୟରୁ ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ ଟନ୍ ଧାନ ମିଲରମାନେ ଉଠାଇଛନ୍ତି । ଏ ବାବଦରେ ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଇନପୁଟ୍ ସହାୟତା ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର।