• ଖୁବ୍‌ଶୀଘ୍ର ଭାଷା ପ୍ରତିଷ୍ଠାନର ୱେବ୍‌ସାଇଟ୍
  • ସଂଶୋଧନ ହେବ ‘ପ୍ରଶାସନିକ ଶବ୍ଦକୋଷ’
  • ଆସନ୍ତା ୨୧ରେ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର,୧୮/୦୧: ଖାତା, କଲମ ଆଉ ଶବ୍ଦକୋଷ ଧରି ଘଣ୍ଟା ଘଣ୍ଟା ବସିବେନି । ୟୁଟ୍ୟୁବ୍‌ରେ ପଢ଼ିବେ, ୱେବ୍ସାଇଟ୍‌ରୁ ଖୋଜିବେ । ଏଣିକି ଡିଜିଟାଲ୍ ପ୍ଲାଟ୍ଫର୍ମରେ ଓଡ଼ିଆ ଭାଷା ଶିକ୍ଷା ଦେବ ଓଡ଼ିଆ ଭାଷା ପ୍ରତିଷ୍ଠାନ । ଖୁବ୍‌ଶୀଘ୍ର ଏହାର ୱେବ୍ସାଇଟ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍‌ର ଆସିବାକୁ ଯାଉଛି । ଫଳରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଲାଗି ଓଡ଼ିଆ ଭାଷା ଶିଖିବା ସହଜ ଓ ସରଳ ହେବ । ବର୍ତ୍ତମାନ ଓସ୍ୱାସ୍‌ରେ କାମ କରୁଥିବା କର୍ମଚାରୀମାନେ ଜାଣିଛନ୍ତି, ଉନ୍ନତ ବୈଷୟିକ ଜ୍ଞାନକୌଶଳ ଯୋଗୁ ଗୋଟିଏ ଶବ୍ଦ ଲେଖିଲେ ତା’ର ୩-୪ଟି ଶବ୍ଦ ଆସୁଛି । ଏପରିକି ଅଡିଓରେ କହିଲେ ବି ଆପେ ଆପେ ଲେଖି ହେଇଯାଉଛି । ସେହିଭଳି ଭାଷା ପ୍ରତିଷ୍ଠାନ ନିଜକୁ ଅପ୍ଡେଟ୍ ସହ ଡିଜିଟାଲ୍ ଶୈଳୀରେ ଓଡ଼ିଆ ଭାଷା ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ନେଇଥିବା ପ୍ରତିଷ୍ଠାନ ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ କହିଛନ୍ତି ।

ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଦୁଇଦିନିଆ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାରର ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଶ୍ରୀ ଦାଶ ଏହା କହିଛନ୍ତି । ଏଥିସହିତ ଦୀର୍ଘ ୧୦ ବର୍ଷ ତଳେ ପ୍ରତିଷ୍ଠାନ ତରଫରୁ ପ୍ରକାଶିତ ‘ପ୍ରଶାସନିକ ଶବ୍ଦକୋଷ’କୁ ସଂଶୋଧନର ମଧ୍ୟ ସମୟ ଆସିଛି । ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଶବ୍ଦ ଆସୁଛି । ତାକୁ ଯୋଡ଼ିବା ଏବଂ ଆଞ୍ଚଳିକତା ଭିତ୍ତିରେ ଥିବା ବିଭିନ୍ନ ପ୍ରତିଶବ୍ଦକୁ ବି ଯୋଡ଼ାଯିବ । ଆବଶ୍ୟକସ୍ଥଳେ ‘ପ୍ରଶାସନିକ ଶବ୍ଦକୋଷ’ର ସଂଶୋଧନ କରାଯିବ ବୋଲି ସେ କହିଛନ୍ତି । ଚଳିତ ଶିବିରରେ ଓଡ଼ିଶା ସରକାରଙ୍କ ୨୨ଟି ବିଭାଗର ୨୧୫ କର୍ମଚାରୀ ପ୍ରଶିକ୍ଷଣ ନେଇଛନ୍ତି । ସେମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଦାଶ କହିଛନ୍ତି, ସରକାରୀ ନଥିପତ୍ର, ଚିଠି, ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ଆଦି ସବୁ କାମ ବୁଝି ବିଚାରି ଓଡ଼ିଆରେ କରନ୍ତୁ । କାର୍ଯ୍ୟକାରିତା ଲାଗି ଉପରିସ୍ଥ ଅଧିକାରୀ, କର୍ମଚାରୀଙ୍କ ପରାମର୍ଶ ନିଅନ୍ତୁ ଏବଂ ତଳସ୍ତରର କର୍ମଚାରୀଙ୍କୁ କାର୍ଯ୍ୟକାରିତା ଲାଗି ଉତ୍ସାହିତ କରନ୍ତୁ । ସମସ୍ୟା ହେଲେ ପ୍ରତିଷ୍ଠାନ ଓ ତା’ର ପାଠାଗାର ସହ ଶିବିରରେ ଦିଆଯାଉଥିବା ‘ପ୍ରଶାସନିକ ଶବ୍ଦକୋଷ’ ଓ ‘କାର୍ଯ୍ୟାଳୟ ନଥି’ ପୁସ୍ତକର ସହାୟତା ନିଅନ୍ତୁ । ପରବର୍ତ୍ତୀ ଶିବିର ଆସନ୍ତା ୨୧-୨୨ ତାରିଖରେ କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କୋର୍ଟରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାଶ କହିଛନ୍ତି ।

ଏହି ଦୁଇଦିନିଆ ଶିବିରରରେ ବିଶେଷଜ୍ଞମାନେ ସରକାରୀବାବୁମାନଙ୍କୁ ପାଠ ପଢ଼ାଇଥିଲେ । ଓଡ଼ିଆ ଲିଖନ କୌଶଳର ବୈଶିଷ୍ଟ୍ୟ, ବାକ୍ୟ ଗଠନ, ଚିହ୍ନ ପ୍ରୟୋଗ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ, ଓଡ଼ିଆରେ ପ୍ରଶାସନିକ ପ୍ରୟୋଗ, ଚିଠା, ଟିପ୍ପଣୀ ଓ ଆଦେଶନାମା ପ୍ରସ୍ତୁତି ଏବଂ ଏଥିରେ ଉପୁଜୁଥିବା ସମସ୍ୟା ଓ ସମାଧାନ, ଶବ୍ଦ ଭଣ୍ଡାରର ବ୍ୟବହାରିକ ରୂପ, ପ୍ରଶାସନିକ ଶବ୍ଦ ଚୟନ, ଗଠନ, ବନାନ ଶୁଦ୍ଧତାର ଆବଶ୍ୟକତା ଓ ଅନୁବାଦ କୌଶଳ ଏବଂ କମ୍ପ୍ୟୁଟର ଓ ଓସ୍ୱାସ୍ରେ ସରକାରୀ କାର୍ଯ୍ୟ ସମ୍ପାଦନ ବିଷୟରେ ବାବୁମାନେ ପାଠ ପଢ଼ିଥିଲେ ।