ଭୁବନେଶ୍ବର,୩।୨ :  ଫେବୃଆରୀ ୧ରେ ଦେଶର ବଜେଟ ଘୋଷଣା କରାଯାଇଛି। ଏଥିରେ ରେଳଓ୍ବେକୁ ୨.୫୨ ଲକ୍ଷ  କୋଟି ଟଙ୍କା ଆବଣ୍ଟିତ ହୋଇଛି। ଏଥରୁ ଓଡିଶାକୁ ମିଳିଛି ୧୦, ୫୯୯ କୋଟି ଟଙ୍କା ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୩ କୋଟି ଟଙ୍କା ଅଧିକ ଆବଣ୍ଟିତ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୧୦,୫୮୬ କୋଟି ଟଙ୍କା ମିଳିଥିଲା । ଏହା ପୂର୍ବରୁ ୨୦୨୩-୨୪ ବଜେଟ୍‌ରେ ରାଜ୍ୟକୁ ୧୦,୦୧୨ କୋଟି ଟଙ୍କା ମିଳିଥିଲା ।

ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ ୨୦୪୬ କିମି ନୂଆ ଟ୍ରାକ୍‌ ନିର୍ମାଣ ହୋଇଛି । ୫୯ ରେଳ ଷ୍ଟେସନର ନବୀକରଣ ହୋଇଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬ଟି ବନ୍ଦେ ଭାରତ ଟ୍ରେନ୍‌ ଚାଲୁଛି ।  ଆଗକୁ ଆହୁରି ଅଧିକା ଟ୍ରେନ ଚାଲିବ। ଏହାସହ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି । ରାଜ୍ୟରେ ୧୯୦୦ କିମି ଟ୍ରାକରେ କବଚ ଲାଗିବା କାମ ତ୍ବରାନ୍ବିତ ହେଉଛି  ।  ଆସନ୍ତା ୬ ବର୍ଷରେ ସାରା ଦେଶରେ କବଚ ଲାଗିବା କାମ ସରିବ ।  କୋଲକାତା -ଚେନ୍ନାଇ ୪ ଲେନ କାମ ଶୀଘ୍ର ସରିବ ।  ବିଶାଖାପାଟଣା ପର୍ଯ୍ୟନ୍ତ ୩ ଲେନ କାମ ଶେଷ ହୋଇଛି। କୋଲକାତା-ଭଦ୍ରକ କାମ ଜୋରସୋର ଚାଲିଛି  ବୋଲି ରେଳ ମନ୍ତ୍ରୀ କହିଛନ୍ତି। 

ଓଡିଶାରେ ୨୪୬ କି.ମି ନୂଆ ରେଳ ଲାଇନ ନିର୍ମାଣ କରାଯାଉଛି।  ରାଜ୍ୟର ୫୯ଟି ଅମୃତ ଷ୍ଟେସନ ବିକାଶ କାର୍ଯ୍ୟ ଚାଲିଛି। ଏଥିପାଇଁ ୨ ହଜାର ୩୭୯ କୋଟି ବ୍ୟୟ ବରାଦ ହୋଇଛି । ୨୩୪ ଟି ଷ୍ଟେସନରେ ୱାଇଫାଇ କାମ ସମାପ୍ତ ହୋଇଛି। ୧୦୦ ପ୍ରତିଶତ ରେଳ ବିଦ୍ୟୁତୀକରଣ ରାଜ୍ୟରେ ହୋଇଛି ବୋଲି ସୂଚନା ଦିଆଯାଇଛି।