ଭୁବନେଶ୍ୱର,୨୧/୦୭:  ଏଫ୍‌ଏମ୍‌ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢ଼ାଳି  ପୋଡ଼ିହେବାର ସପ୍ତାହେ ପରେ ପୁଣି  ଘଟିଲା ବଳଙ୍ଗା ନାବାଳିକା ପୋଡ଼ି ମାମଲା  ଯାହାକୁ ନେଇ ଖୋଲାରେ ପେଟ୍ରୋଲ୍‌  ବିକ୍ରିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ  ସରକାର । ଆଗାମୀ ଦିନରେ ଏ ନେଇ କଟକଣା ଜାରି କରିବାକୁ ଯୋଜନା କରାଯାଉଛି । ଏନେଇ ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ପେଟ୍ରୋଲ୍ ପମ୍ପ ସଂଘ ଓ ବିଭାଗୀୟ ଅଧିକାରୀ ସାମିଲ୍‌ ହେବେ। କୃଷକ, ନୌକା ଚାଳକ ଜେନେରେଟର ପାଇଁ କିପରି ପାଇବେ ତେଲ। ସେନେଇ ନୂଆ ଗାଇଡଲାଇନ ଆଣିବା ପାଇଁ ବୈଠକରେ ଆଲୋଚନା ହେବ।

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର  ପାତ୍ର କହିଛନ୍ତି, ଖୋଲା ପେଟ୍ରାଲ ଓ  ଡିଜେଲ ବିକ୍ରି ଉପରେ କଟକଣା ପାଇଁ  ଖୁବ୍‌ ଶୀଘ୍ର ଗାଇଡ୍‌ଲାଇନ୍‌ ଆସିବ । ଏନେଇ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର  ସୂଚନା ଦେଇଛନ୍ତି । ପୂର୍ବରୁ ଖୋଲାରେ ଏସିଡ୍‌ ବିକ୍ରି ହେଉଥିଲା । ଫଳରେ ଜଗତସିଂହପୁରର ପ୍ରମୋଦିନୀ ରାଉଳଙ୍କଠୁ ଆରମ୍ଭ କରି କିଛି  ଛାତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ପରେ ରାଜ୍ୟରେ ଖୋଲାରେ ଏସିଡ୍‌ ବିକ୍ରି ନେଇ କଟକଣା ଆଣିବାକୁ ସରକାର ବାଧ୍ୟ ହୋଇଥିଲେ ।  ସେହିପରି ଏବେ ଏସିଡ୍‌ ଭଳି ପେଟ୍ରୋଲ ବି ସାଜିଲାଣି ମାରାତ୍ମକ । ପେଟ୍ରୋଲ ନିଆଁରେ ଜଳୁଛନ୍ତି ମହିଳା । ଅତି ସହଜରେ ହାତ ପାଆନ୍ତାରେ ପେଟ୍ରୋଲ  ମିଳୁଥିବାରୁ ଏଭଳି ଅଘଟଣ ଘଟୁଥିବା ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା  ଦେଖିବାକୁ ମିଳିଛି । ତେଣୁ ରାଜ୍ୟରେ  ଖୋଲାରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ୍‌ ବିକ୍ରି ଉପରେ କଟକଣା  ଜାରି କରିବାକୁ ବିଭିନ୍ନ ମହଲରୁ ଦାବି  ହେଉଛି । 

ତେଣୁ ଯୋଗାଣ ବିଭାଗ ଖୁବ୍‌  ଶୀଘ୍ର ଏକ ଗାଇଡ୍‌ଲାଇନ୍‌ ଆଣିବାକୁ ଯାଉଛି । ପେଟ୍ରୋଲ ପମ୍ପ ଏପରିକି  ରାସ୍ତାକଡ଼ରେ ପ୍ଲାଷ୍ଟିକ ବୋତଲରେ  ପେଟ୍ରୋଲ, ଡିଜେଲ ଓ କିରାସିନି  ବିକ୍ରି ବାରଣ ଥିବା ବେଳେ ସବୁଠି  ଏହି କାରବାର ଚାଲୁଛି ଯାହାକୁ ନେଇ  ସାଧାରଣରେ ଚିନ୍ତା ବଢିଛି । ତେବେ  ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନ  ଦେବାକୁ ନିୟମ ଥିଲେ ବି କାହିଁକି ନିୟମ  ପାଳନ ହେଉନି ବୋଲି ପେଟ୍ରାଲ ପମ୍ପ  ମାଲିକ ସଂଘ ପାଲଟା ପ୍ରଶ୍ନ କରିଛି । ଏଣିକି କେବଳ ଗାଡ଼ି  ନେଇଆସିଥିବା ଲୋକଙ୍କୁ ହିଁ ପେଟ୍ରୋଲ ଦେବୁ ବୋଲି ମାଲିକ  ସଂଘ ସଭାପତି ଶଶାଙ୍କ ଶେଖର ସାହୁ କହିଛନ୍ତି । ରାଜ୍ୟ  ସରକାର ବେଆଇନ କାରବାର ରୋକିବା ଲାଗି ପଦକ୍ଷେପ  ନେବାକୁ ସଂଘ ଦାବି କରିଛି।