ଭୁବନେଶ୍ୱର,୦୯/୧୨: କଟକ ସ୍ଥିତ ଜବାହରଲାଲ ନେହରୁ ଇନଡୋର ଷ୍ଟାଡ଼ିୟମରେ ଆଜିଠୁ ଆରମ୍ଭ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ । ବ୍ୟାଡ଼ମିଣ୍ଟନ ବିଶ୍ୱ ଫେଡ଼େରେସନ୍ (ବିଡ୍ଲ୍ୟୁଏଫ୍), ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆ (ବାଇ), ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରତିଯୋଗିତା ଆୟୋଜିତ ହେବ । ଓଡ଼ିଶା ମାଷ୍ଟର୍ସର ଏହା ଚତୁର୍ଥ ସଂସ୍କରଣ ।
ଚଳିତ ବର୍ଷର ୧୭ଟି ଦେଶରୁ ୩୭୭ ଜଣ କ୍ରୀଡ଼ାବିତ୍ ଅଂଶ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩୩୪ଜଣ ଭାରତୀୟ ଏବଂ ୪୩ଜଣ ବିଦେଶୀ ଖେଳାଳି ରହିଛନ୍ତି । ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ, ପୁରୁଷ ଡବଲ୍ସ, ମହିଳା ଡବଲ୍ସ, ଏବଂ ମିକ୍ସଡ଼ ଡବଲ୍ସ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା ହେବ । ପୁରୁଷ ସିଙ୍ଗଲ୍ସରେ କିରଣ ଜର୍ଜ ଦ୍ୱିତୀୟ ସିଡ୍ ଓ ପ୍ରିୟାଂଶୁ ରାୱତ ଚତୁର୍ଥ ସିଡ୍ ରହିଛନ୍ତି । ସେମିତି ମହିଳା ସିଙ୍ଗଲ୍ସରେ ଉନ୍ନତି ହୁଡା ଟପ୍ ସିଡ୍, ରକ୍ଷିତ ଶ୍ରୀ ସନ୍ତୋଷ ଚତୁର୍ଥ ସିଡ୍ ଏବଂ ଅନୁପମା ଉପାଧ୍ୟାୟ ପଞ୍ଚମ ସିଡ୍ ରହିଛନ୍ତି ।
ଗତ ୧ରୁ ୬ ତାରିଖ ପର୍ଯ୍ୟନ୍ତ ୩୭ତମ ଜାତୀୟ ସବ ଜୁନିୟର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିଲା । ଓଡ଼ିଶାର ତନଭୀ ପତ୍ରୀ ଉଭୟ ୧୫ ଓ ୧୭ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସରେ ଚାମ୍ପିଅନ ହୋଇଥିଲେ ।