କଟକ,୧୫/୧୨: ଜବାହରଲାଲ୍ ଇନ୍ଡୋର ଷ୍ଟାଡ଼ିୟମ ଠାରେ ଚାଲିଥିବା ଓଡିଶା ମାଷ୍ଟର୍ସ ବ୍ୟାଡ଼ମିଣ୍ଟନରେ ଶନିବାର ସବୁ ବର୍ଗର ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ଆଜି ଫାଇନାଲ୍ ମୁକାବିଲା ଖେଳାଯିବ । ପୁରୁଷ ବର୍ଗରେ ଭାରତର ସତୀଶ କୁମାର ଓ ଥରୁନ ମାନେପଲ୍ଲୀ ଏବଂ ମହିଳା ବର୍ଗରେ ତନ୍ଭୀ ଶର୍ମା ଓ ଚୀନର କାଇ ୟାନ୍ ୟାନ୍ଙ୍କ ମଧ୍ୟରେ ଟାଇଟଲ୍ ଲଢ଼େଇ ହେବ ।
ପୁରୁଷ ସିଙ୍ଗଲ୍ସ ସେମିରେ ସତୀଶ ସିଧାସଳଖ ୨୧-୧୭, ୨୧-୧୪ରେ ଥାଇଲାଣ୍ଡର ପି. ତୀରତଶକୁଳଙ୍କୁ ପରାସ୍ତ କରିଥିଲେ । ଅନ୍ୟ ସେମିରେ ଥରୁନ ୨୧-୧୨, ୧୯-୨୧, ୨୧-୧୨ରେ ସତୀଶ କରୁଣାକରନଙ୍କୁ ପରାଜିତ କରିଥିଲେ । ସେହିପରି ମହିଳା ସିଙ୍ଗଲ୍ସ ସେମିରେ ତନଭୀ ୨୧- ୧୯, ୨୧-୧୯ରେ ନିଜ ଦେଶର ଶ୍ରୀୟାଂଶିଙ୍କୁ ଏବଂ କାଇ ୟାନ୍ ୟାନ୍ ୨୧-୧୭, ୨୧-୧୯ରେ ଜାପାନର ସରନା ୟୋଶିକାୱାଙ୍କୁ ପରାଜିତ କରିଥିଲେ ।
ମିକ୍ସଡ୍ ଡବଲ୍ସରୁ ଭାରତୀୟ ଯୋଡ଼ି ରୋହନ କପୁର ଓ ରିତଭିକା ଶିବାନୀଙ୍କ ଅଭିଯାନ ଶେଷ ହୋଇଛି । ସେମିରେ ସିଙ୍ଗାପୁରର ହି ୟଙ୍ଗ୍ କାଇଜିନ୍ ୟୁ ଜିଆ ଯୋଡ଼ି ୨୧-୧୪, ୧୮-୨୧, ୨୧-୧୯ ରୋହନ- ଶିବାନୀ ଯୋଡ଼ିଙ୍କୁ ଏବଂ ଚୀନର ଗାଓ ଜିଆ ୟୁଆନ-ଟାଙ୍ଗ୍ ରୁଈ ଝି ୨୧-୧୯, ୨୧-୧୮ରେ ଫ୍ରାନ୍ସର ଜୁଲିଓ ମାଇଓ-ଲି ପାଲେର୍ମ ଯୋଡ଼ିଙ୍କୁ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲେ ।
ପୁରୁଷ ଡବଲ୍ସରେ ଏକ ଚିତ୍ତାକର୍ଷକ ସେମିରେ ଭାରତର ପୃଥ୍ୱୀ କ୍ରିଷ୍ଣମୂର୍ତ୍ତି ରୟ ଓ ସାଇ ପ୍ରତୀକ ଯୋଡ଼ି ପରାଜିତ ହୋଇ ବିଦାୟ ନେଇଥିଲେ। ଜାପାନର କାକେରୁ କୁମ୍ଗାଇ-ହିରାକି ନିଶି ଯୋଡ଼ି ୧୬-୨୧, ୨୧-୧୯, ୨୨-୨୦ରେ ଭାରତୀୟ ଯୋଡ଼ିଙ୍କୁ ପରାଜିତ କରିଥିଲେ । ଅନ୍ୟ ମ୍ୟାଚ୍ରେ ଚୀନର ଡି. ହୁଆଙ୍ଗ-ୟାଙ୍ଗ୍ ଲିଉ ଯୋଡ଼ି ୨୧-୮, ୨୧-୨୩, ୨୨-୨୦ରେ ୱେନ ଜୁନ ସନ-ୟି ଜୁନ୍ ଝୁ ଯୋଡ଼ିଙ୍କୁ ହରାଇଥିଲେ ।
ମହିଳା ଡବଲ୍ସରେ ଭାରତୀୟ ଯୋଡ଼ିଙ୍କ ଅଭିଯାନ ଶେଷ ହୋଇଥିଲା । ପ୍ରଥମ ସେମିରେ ଅଶ୍ୱିନୀ ଭଟ୍ଟ କେ-ଶିଖା ଗୌତମ ଯୋଡ଼ି ୭-୨୧, ୨୪-୨୨, ୧୭-୨୧ରେ ଚୀନର ସୁ ଲିଆଙ୍ଗ କେଙ୍ଗ୍-ଟିଙ୍ଗ୍ ଗେ ୱାଙ୍ଗ୍ଠୁ ଏବଂ ଗାୟତ୍ରୀ ରାୱତ-ମନସା ରାୱତ ଯୋଡ଼ି ୧୭-୨୧, ୧୪-୨୧ରେ ଜାପାନର ନାନାକୋ ହାରା-ରିକୋ କିଓସେ ଯୋଡ଼ିଙ୍କ ନିକଟରୁ ହାରି ଯାଇଥିଲେ ।