ଭୁବନେଶ୍ୱର,୨୬/୦୩: ହତ୍ୟା ହେଉ କି ଦୁଷ୍କର୍ମ । ଚୋରି ହେଉ କିମ୍ବା ଠକେଇ । ଅଭିଯୋଗ ହେଉଛି । ପୁଲିସ୍ ମାମଲା ରୁଜୁ କରୁଛି । ହେଲେ ହାତ ଗଣତି ମାମଲାରେ ପୁଲିସ ତଦନ୍ତ କରୁଛି । ଏହାର ବଳିଷ୍ଠ ପ୍ରମାଣ ପୁଲିସ କେତେ ଚାର୍ଜସିଟ୍ କୋର୍ଟରେ ଦାଖଲ କରୁଛି । ଗୃହ ବିଭାଗର ଶ୍ୱେତପତ୍ର କହୁଛି, ୨୦୨୫ ବର୍ଷରେ ରାଜ୍ୟର ବିଭିନ୍ନ ଥାନାରେ ୨ ଲକ୍ଷ ୨୯ ହଜାର ୮୮୧ଟି ମାମଲା ରୁଜୁ ହୋଇଥିଲା । ତନ୍ମଧ୍ୟରୁ ୧ ଲକ୍ଷ ୫୫ ହଜାର ୨୨୩ ଟି ମାମଲାରେ ପୁଲିସ୍ ଚାର୍ଜିସିଟ୍ ଦାଖଲ କରିଛି ଯାହା ପ୍ରାୟ ୬୮ ପ୍ରତିଶତ । ଅର୍ଥାତ୍ ପୁଲିସ ୩୨% ମାମଲାର ଚାର୍ଜସିଟ୍ ଦାଖଲ କରିନାହିଁ ।

ରାଜ୍ୟରେ ୨୦୨୫ରେ ୧୩୦୪ଟି ହତ୍ୟା ମାମଲା ରୁଜୁ ହୋଇଥିଲା । ସେଥିରୁ ୧୨୧୮ ଟି ମାମଲା ସତ୍ୟ ଥିଲା । ଓଡ଼ିଶା ପୁଲିସ୍ ମାତ୍ର ୬୦୧ଟି ମାମଲା ଅର୍ଥାତ ୪୯% ମାମଲାରେ ଚାର୍ଜସିଟ୍ ଦେବାରେ ସକ୍ଷମ ହୋଇଛି । ବାକି ୫୧% ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିପାରିନାହିଁ । ହତ୍ୟା ମାମଲାରେ ପୁଲିସ୍ ୧୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦେବାର ନିୟମ ରହିଛି ।

ଡକାୟତି ମାମଲାରେ ଓଡ଼ିଶା ପୁଲିସ୍‌ର ଚାର୍ଜସିଟ୍ ଦାଖଲ ନୈରାଶ୍ୟଜନକ । ଗତବର୍ଷ ରାଜ୍ୟରେ ୩୫୩ ଟି ଡକାୟତି ରିପୋର୍ଟ ହୋଇଥିବା ବେଳେ ସେଥିରୁ ୩୪୩ ଟି ମାମଲା ସତ୍ୟ ଥିଲା । ପୁଲିସ୍ ପ୍ରାୟ ୨୭% ଅର୍ଥାତ ୯୧ଟି ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ବାକି ୭୩ ଧ ମାମଲାରେ ଚାର୍ଜସିଟ୍ ଦାଖଲ କରିନାହିଁ । ଲୁଟ୍ (ଲୁଣ୍ଠନ) ମାମଲାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ୨୦୨୫ରେ ୧୮୦୨ ଲୁଟ୍ ମାମଲାରୁ ୧୭୭୧ ଅଭିଯୋଗ ସତ୍ୟ ଥିଲା । ଉକ୍ତ ମାମଲାରୁ ପୁଲିସ୍ ମାତ୍ର ୭୩୮ଟି ମାମଲା ଅର୍ଥାତ ୪୧% ମାମଲାରେ ଚାର୍ଜସିଟ୍ ଦେଇଛି । ୫୯ ପ୍ରତିଶତ ମାମଲାରେ ଚାର୍ଜସିଟ୍ ଧାର୍ଯ୍ୟ ସମୟ ଭିତରେ ଦାଖଲ କରିନାହିଁ । ସିନ୍ଧିଚୋରି ମାମଲାରେ ପୁଲିସର ଚାର୍ଜସିଟ୍ ଦାଖଲ ଏତେ ନଗଣ୍ୟ ଯାହା ଚିନ୍ତାଜନକ ।

୨୦୨୫ରେ ୬୨୨୦ଟି ମାମଲାରୁ ପୁଲିସ୍ ମାତ୍ର ୧୪୧୭ଟିରେ ପୁଲିସ୍ ଚାର୍ଜସିଟ୍ ଦାଖଲ କରିଛି । ୭୭ ଧ ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିନାହିଁ । ଗତବର୍ଷ ୨୧ ହଜାର ୧୯୨ଟି ଚୋରି ମାମଲାରୁ ୨୦ ହଜାର ୭୭୦ଟି ସତ୍ୟ ଘଟଣା ଥିଲା । ପୁଲିସ୍ ମାତ୍ର ୮ହାଜର ୨୦୭ଟି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି । ୬୦ % ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇନାହିଁ । ଠକେଇ ମାମଲାରେ ଲୋକଙ୍କୁ ନ୍ୟାୟ ଦେବାରେ ପୁଲିସ୍ ସବୁ ବର୍ଷ ଭଳି ୨୦୨୫ରେ ଫେଲ୍ ମାରିଛି । ୬୦୫୩ଟି ଠକେଇ ମାମଲାରୁ ୫୮୭୪ ସତ୍ୟ ଥିଲା । ପୁଲିସ୍ ୧୩୫୫ଟି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି । ଠକେଇ ଘଟଣାରେ ପୁଲିସ୍ ମାତ୍ର ୨୩% ମାମଲାରେ ଚାର୍ଜସିଟ୍ ଦାଖଲ କରିଛି । ୭୭% ଠକେଇ ମାମଲାରେ ଚାର୍ଜସିଟ୍ ଦାଖଲ କରିନାହିଁ ବୋଲି ଶ୍ୱେତପତ୍ରରେ ଉଲ୍ଲେଖ ରହିଛି ।

ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାରେ ମଧ୍ୟ ପୁଲିସ୍ ଆଖି ଦୃଶିଆ ଚାର୍ଜସିଟ୍ ଦାଖଲ କରିନାହିଁ । ୨୦୨୫ରେ ୨୯୯୪ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା । ସେଥରୁ ୨୯୨୯ଟି ମାମଲା ସତ୍ୟ ଥିଲା । ପୁଲିସ୍ ୩୫% ମାମଲାରେ ଚାର୍ଜସିଟ୍ ଦାଖଲ କରିପାରିନାହିଁ । ଯୌତୁକ ଜନିତ ହତ୍ୟା ନେଇ ଗତ ବର୍ଷ ଓଡ଼ିଶାର ବିଭିନ୍ନ ଥାନାରେ ୧୪୫ଟି ମାମଲା ରୁଜୁ ହୋଇଥିଲା । ସେଥି ମଧ୍ୟରୁ ୫୭ଟି ମାମଲାରେ ପୁଲିସ୍ ଚାର୍ଜସିଟ୍ ଦାଖଲ କରିଥିଲା । ୭୮ ମାମଲାର ତଦନ୍ତ ଚାଲିଛି । ଯୌତୁକ ପାଇଁ ୭୭ ଜଣ ଆତ୍ମହତ୍ୟା କରିଛନ୍ତି । ଏଥିରୁ ୨୮ଟି ମାମଲାରେ ପୁଲିସ୍ ଚାର୍ଜସିଟ୍ ଦାଖଲ କରିନାହିଁ ।