କଟକ,୧୭/୦୨: ରାଜ୍ୟ ପୁଲିସର ସମସ୍ତ  ଥାନା ଓ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଥିବା କ୍ଲୋଜ୍‌ଡ୍‌  ୟୁଜର୍‌ ଗ୍ରୁପ୍‌ ବା ସିୟୁଜି ମୋବାଇଲ୍‌ ନମ୍ବର ରିଚାର୍ଜ  ପାଇଁ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି ।  ମାତ୍ର ଥାନାରେ ଥିବା ଏହି ନମ୍ବରର ମୋବାଇଲ୍‌  ଅଧାରୁ ଅଧିକ ଅଚଳ ହୋଇପଡ଼ିଛି । ଅନେକ ନମ୍ବର ବନ୍ଦ ହୋଇପଡ଼ିଥିବା ବେଳେ ଆଉ କିଛି  ସ୍ଥାନରେ ଏହି ସିୟୁଜି ସିମ୍‌କୁ ମୋବାଇଲ୍‌ରୁ କାଢ଼ି  ଦିଆଯାଇଛି । ପୁଣି ଆଉ କିଛି ବରିଷ୍ଠ ଅଧିକାରୀ ଏହି  ଫୋନ୍‌କୁ ନିଜେ ରଖିବା ବଦଳରେ ଅଫିସରେ ଥୋଇ  ଦେଉଛନ୍ତି । ସେହିପରି ଅନେକ ଥାନା ଇନ୍ସପେକ୍ଟର  ନିଜେ ବ୍ୟବହାର ନକରି ଥାନାର ଡାଏରୀ ଚାର୍ଜ  ଅଫିସର (ଡିସିଓ)ଙ୍କ ପାଖରେ ଫୋନ୍‌ ରଖୁଛନ୍ତି ।  ଫଳରେ ଯେଉଁ ଭଲ ଉଦ୍ଦେଶ୍ୟ ନେଇ ଯୋଜନା  କାର୍ଯ୍ୟକାରୀ କରାଯାଇଥିଲା ତାହା ଏକରକମ  ବିଫଳ ହୋଇଛି । ଜରୁରୀକାଳୀନ ସ୍ଥିତିରେ  ସାଧାରଣ ଲୋକେ ସେ ନମ୍ବର ଜରିଆରେ ଥାନା  ଅଧିକାରୀଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି ।   

ଲୋକଙ୍କ ସହିତ ସିଧାସଳଖ ଜଡ଼ିତ  ଥିବା ପୁଲିସ ବିଭାଗର ଅଧିକାରୀଙ୍କ ଏକ ସ୍ଥାୟୀ  ନମ୍ବର ରଖିବା ପାଇଁ ୨୦୧୬ ମସିହାରେ ‘ସିୟୁଜି’  ଫୋନ୍‌ ନମ୍ବର ପ୍ରଦାନ କରିବା ପାଇଁ ରାଜ୍ୟ ପୁଲିସ  ପକ୍ଷରୁ ନିଷ୍ପତ୍ତି ହେଲା । ଏହା ପରେ ସେହି ବର୍ଷ  ସରକାରୀ ଟେଲିକମ୍‌ ସଂସ୍ଥା ‘ବିଏସ୍‌ଏନ୍‌ଏଲ୍‌’ର  (୯୪୩୮୯.....)ସିରିଜ୍‌ର ପ୍ରାୟ ୮୦୦ଟି ନମ୍ବର  ବିଭିନ୍ନ ଥାନା, ଏସ୍‌ଡିପିଓ, ସବୁ ଜିଲ୍ଲାର ଏସ୍‌ପି,  ରେଂଜ ଆଇଜି, ଡିଆଇଜି, କ୍ରାଇମବ୍ରାଞ୍ଚ, ଅର୍ଥନୈତିକ  ଅପରାଧ ଶାଖା, ଏସ୍‌ଟିଏଫ୍‌, ରେଳବାଇ ପୁଲିସ,  ପୁଲିସ ମୁଖ୍ୟାଳୟରେ ଥିବା ଆଇଜି, ଅତିରିକ୍ତ  ଡିଜି ଏପିରିକି ଡିଜି ପୁଲିସଙ୍କୁ ମଧ୍ୟ ଏହି ନମ୍ବର  ପ୍ରଦାନ କରାଗଲା । ପାଖାପାଖି ୪୮୦ଟି ଥାନା ସହିତ  ୩୫ଟି ଜିଲ୍ଲା ପୁଲିସ ଏସ୍‌ପି, ୧୩୯ଟି ଡିଆଇବି  ଓ ଏସ୍‌ଡିପିଓଙ୍କ ଫୋନ୍‌ ସହିତ ଅନ୍ୟ ବରିଷ୍ଠ  ଅଧିକାରୀ ଏବଂ ପୁଲିସ ଶାଖା ଅଧିକାରୀଙ୍କୁ ପ୍ରାୟ  ୧୪୬ଟି ଫୋନ୍‌ ନମ୍ବର ପ୍ରଦାନ କରାଯାଇଥିଲା ।  

ଏନେଇ ରାଜ୍ୟ ପୁଲିସ ପକ୍ଷରୁ ଏକ  ଫୋନ୍‌ ଡିରେକ୍ଟୋରୀ ପ୍ରସ୍ତୁତ କରାଯାଇଥିଲା ।  ସେହି ସିମ୍‌କୁ ଅଧିକାରୀମାନେ ନିଜ ଫୋନ୍‌ରେ  ବ୍ୟବହାର କରିବେ ବୋଲି ନିର୍ଦ୍ଦେଶ ମଧ୍ୟ ଦିଆଗଲା ।  ପ୍ରାୟ ୯ ବର୍ଷ ହେବ ଏହି ନମ୍ବର ଜାରି ହେଲାଣି ।  ଏହି ୯ ବର୍ଷ ମଧ୍ୟରେ ରିଚାର୍ଜରେ କୋଟିଏରୁ ଅଧିକ  ଟଙ୍କା ମଧ୍ୟ ପୁଲିସ ବିଭାଗ ଖର୍ଚ୍ଚ କରିସାରିଲାଣି ।  ମାତ୍ର ଏବେ ୨୦୦ରୁ ଅଧିକ ଫୋନ୍‌ ନମ୍ବର ଦୀର୍ଘ  ଦିନ ହେବ ବନ୍ଦ ରହୁଥିବା ପୁଲିସ ବିଭାଗର ଜଣେ  ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହି ନମ୍ବର  ଗୁଡ଼ିକ ସଚଳ କରି ରଖିବାକୁ ରାଜ୍ୟ ପୁଲିସ  ମୁଖ୍ୟାଳୟ ଓ ବିଭିନ୍ନ ଜିଲ୍ଲା ପୁଲିସ ପକ୍ଷରୁ ତାଗିଦ୍‌  କରାଯାଉଥିଲେ ମଧ୍ୟ ତାର ବିଶେଷ କିଛି ପ୍ରଭାବ  ଦେଖିବାକୁ ମିଳୁନାହିଁ । ଏଭଳି ସ୍ଥିତିର କାରଣ ଓ  ସମାଧାନ ସଂପର୍କରେ ଜାଣିବା ପାଇଁ ରାଜ୍ୟ ପୁଲିସ  ମୁଖ୍ୟାଳୟ ସହ ଯୋଗାଯୋଗ କରାଯାଇଥିଲେ  ହେଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।