କଟକ,୧୩/୦୯: ଆସନ୍ତା ୧୭ ତାରିଖରୁ  କଟକରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ପ୍ରୋ  ଟି-ଟ୍ୱେଣ୍ଟି ଲିଗ୍‌ । ଓଡ଼ିଶା କ୍ରିକେଟ ଆସୋସିଏସନ  (ଓସିଏ) ଓ ଆରିଭା ସ୍ପୋର୍ଟ୍ସର ମିଳିତ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି  ଲିଗ୍‌ ପାଇଁ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ମେ’ଫେୟାର  ହୋଟେଲରେ ଖେଳାଳି ଡ୍ରାଫ୍ଟ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ୬ଟି ଯାକ ଦଳ ନିମନ୍ତେ ଖେଳାଳି ଡ୍ରାଫ୍ଟ ଶେଷ ହୋଇଛି । ପ୍ରତ୍ୟେକ ଦଳରେ  ୧୬ଜଣ ଲେଖାଏଁ ଖେଳାଳି ରହିଛନ୍ତି । ତେବେ ପ୍ରତି ଦଳର ଅଧିନାୟକ ତଥା ମାର୍କି ଖେଳାଳିଙ୍କ ଦାମ୍‌ ସର୍ବାଧିକ ୧.୨୫ ଲକ୍ଷ ଟଙ୍କା ରହିଛି ।

ସ୍ୱସ୍ତିକ ସାମଲଙ୍କ ନେତୃତ୍ୱରେ ଗଠିତ  କଟକ ପାନ୍ଥର୍ସ ଦଳରେ ବିପ୍ଳବ ସାମନ୍ତରାୟ,  ଅଭିଷେକ ରାଉତ, ହର୍ଷିତ ରାଥୋଡ, ଶୁଭମ  ଶତ୍ରୁଜିତ, ତାପସ କୁମାର ଦାସ, ପାନକଳ  ଶଶାଙ୍କ ପ୍ରମୁଖ ରହିଛନ୍ତି । ସେହିପରି ସମ୍ବଲପୁର  ୱାରିୟର୍ସ ଦଳରେ ଶୁଭ୍ରାଂଶୁ ଶେଖର ସେନାପତି  ଅଧିନାୟକ ରହିଛନ୍ତି ଏବଂ ପ୍ରୟାସ କୁମାର  ସିଂହ, ଶ୍ରେୟାଂଶ ଭରଦ୍ୱାଜ, ତରଣୀ ସ, ରାକେଶ  ପଟ୍ଟନାୟକ, ପ୍ରବୀଣ ଲୁହା, ଆୟୂଷ ବାରିକ,  ରାମଚନ୍ଦ୍ର ବହେରା ପ୍ରମୁଖ ସ୍ଥାନ ପାଇଛନ୍ତି ।  ପୁରୀ ଟାଇଟନ୍ସ ଦଳର ଅଧିନାୟକ ରହିଛନ୍ତି ସନ୍ଦୀପ ପଟ୍ଟନାୟକ । ଏହି ଦଳରେ ରାଜେଶ  ମହାନ୍ତି, କାର୍ତ୍ତିକ ବିଶ୍ୱାଳ, ଆଶୁତୋଷ ଛୁରିଆ,  ଅନୁରାଗ ଷଡ଼ଙ୍ଗୀ, ସାୱନ ପହରିଆ, ସୁଶୀଲ  କୁମାର ବାରିକ ପ୍ରମୁଖଙ୍କୁ ଡ୍ରାଫ୍ଟ ଆକାରରେ କିଣା  ଯାଇଛି । ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ନେତୃତ୍ୱାଧୀନ  ଭୁବନେଶ୍ୱର ଟାଇଟନ୍ସ ଦଳରେ ରାଜେଶ  ଧୂପର, ଗୌରବ ଚୌଧୁରୀ, ଦେବବ୍ରତ  ପ୍ରଧାନ, ବାଦଲ ବିଶ୍ୱାଳ, ସତ୍ୟକାମ ଭରଦ୍ୱାଜ,  ଅଂଶୁମାନ ବେଜ୍‌ ପ୍ରମୁଖ ରହିଛନ୍ତି । କେନ୍ଦୁଝର  ମାଇନର୍ସ ଦଳର ଅଧିନାୟକ ହେଉଛନ୍ତି ଗୋବିନ୍ଦ  ପୋଦ୍ଦାର । ଏହି ଦଳରେ ଅଭିଷେକ ଯାଦବ,  ଓମ ଟି ମୁଣ୍ଡେ, ସର୍ବଶ୍ୱେର ମହାନ୍ତି, ଅନୀଲ  ପରିଡା, ସୟଦ ଟି ଅହମ୍ମଦ, ପପୁ ରାୟ  ପ୍ରମୁଖଙ୍କୁ ସାମିଲ କରାଯାଇଛି । ଯୁବ ପ୍ରତିଭା  ଆଶୀର୍ବାଦ ସ୍ୱାଇଁଙ୍କ ନେତୃତ୍ୱାଧୀନ ରାଉରକେଲା  ଷ୍ଟିଲର୍ସ ଦଳରେ ସମ୍ୱିତ ବରାଳ, ସାଇଦୀପ  ମହାପାତ୍ର, ଜାମେଳା ଭଞ୍ଜନ ମହାପାତ୍ର,  ବିନାୟକ ସାହୁ, ଅମିନ ଖାନ ପ୍ରମୁଖ ରହିଛନ୍ତି ।

ଖେଳାଳି ଡ୍ରାଫ୍ଟ କାର୍ଯ୍ୟକ୍ରମରେ ଫୁଟବଲ  ଆସୋସିଏସନ ଅଫ ଓଡ଼ିଶା ସମ୍ପାଦକ  ଆଶୀର୍ବାଦ ବେହେରା ମୁଖ୍ୟ ଅତିଥି ଭାବେ  ଯୋଗ ଦେଇଥିଲେ । ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବହେରା,  ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ  ବିକାଶ ପ୍ରଧାନ, କଟକ ପାନ୍ଥର୍ସ ଦଳର ଫ୍ରାଞ୍ଚାଇଜ  ଶୁଭଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ମାର୍କି ଖେଳାଳିଙ୍କ ମୂଲ୍ୟ ୧.୨୫ ଲକ୍ଷ  ଟଙ୍କା ମୂଲ୍ୟ ରହିଥିବାବେଳେ ଅନ୍ୟ ୪ଟି  କ୍ୟାଟେଗୋରୀରେ ଖେଳାଳି ଡ୍ରାଫ୍ଟ ହୋଇଥିଲା ।  ରାଜ୍ୟ ବରିଷ୍ଠ ଦଳର ନିୟମିତ ଖେଳାଳିଙ୍କ  ସମେତ ୨୩ବର୍ଷରୁ କମ୍‌ ବୟସ ବର୍ଗରେ  ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ  କ୍ୟାଟେଗୋରୀ-ଏ’ରେ ସାମିଲ କରାଯାଇଥିଲା ।  ଏହି ବର୍ଗରେ ଖେଳାଳିଙ୍କ ମୂଲ୍ୟ ୧ଲକ୍ଷ ଟଙ୍କା  ଧାର୍ଯ୍ୟ ହୋଇଥିଲା । କ୍ୟାଟେଗୋରୀ-ବି’ରେ  ୨୩ବର୍ଷରୁ କମ୍‌ ବୟସ, ୨୫ବର୍ଷରୁ କମ୍‌ ବୟସ  ବର୍ଗର ଖେଳାଳି ରହିଥିବାବେଳେ ସେମାନଙ୍କ  ମୂଲ୍ୟ ୭୫ହଜାର ଟଙ୍କା ନିର୍ଦ୍ଧାରଣ ହୋଇଛି ।  ୧୬ବର୍ଷରୁ କମ୍‌ ବୟସ ବର୍ଗର ଖେଳାଳିଙ୍କୁ  କ୍ୟାଟେଗୋରୀ-ସି’ରେ ରଖାଯାଇଛି ଏବଂ  ସେମାନଙ୍କ ମୂଲ୍ୟ ୫୦ହଜାର ଟଙ୍କା ରହିଛି ।  ବରିଷ୍ଠ ଏବଂ କନିଷ୍ଠ ବର୍ଗର କିଛି ଖେଳାଳିଙ୍କୁ  କ୍ୟାଟେଗୋରୀ-ଡି’ରେ ରଖାଯାଇଛି । ଏମାନଙ୍କ  ମୂଲ୍ୟ ୪୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି ।