ଭୁବନେଶ୍ବର,୧୬/୫ : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟର ପାଠାଗାର ନିମନ୍ତେ ବହିକିଣାରେ ବ୍ୟାପକ ଚଞ୍ଚକତା ନେଇ ପ୍ରଶ୍ନ ଉଠାଇଛି 'ଓଡ଼ିଶା ପ୍ରକାଶକ ସଂଘ' l ଏ ନେଇ ସଂଘର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସରକାରୀ ଅଧିକାରୀ ଓ କତିପୟ ପ୍ରକାଶକ-ପୁସ୍ତକ ବିକ୍ରେତାଙ୍କ ମଧୁଚନ୍ଦ୍ରିକାର ପର୍ଦ୍ଦାଫାଶ କରାଯିବା ସହ ପ୍ରତିବାଦର ସ୍ବର ତୀବ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି l
ବହିକିଣାରେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଅସାଧୁ ସଂପୃକ୍ତି, ପୁସ୍ତକ ତାଲିକା ପ୍ରକାଶରେ କାଳକ୍ଷେପଣ, ନକଲି ତାଲିକାରେ ବହିକିଣା, ନିର୍ଦ୍ଦିଷ୍ଟ ପୁସ୍ତକ ବିକ୍ରେତା ଓ ପ୍ରକାଶକଙ୍କୁ ବିକ୍ରି ସୁଯୋଗ ପ୍ରଦାନ ଆଦିର ଅଭିଯୋଗ କରି ଚଳିତ ମେ' ମାସ ୧୨ ତାରିଖରେ ଅତିରିକ୍ତ ସଚିବଙ୍କୁ ସଂଘ ପକ୍ଷରୁ ଏକ ଚିଠି କରାଯାଇଥିବାବେଳେ ଏହାର ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ସଚିବଙ୍କୁ ଦିଆଯାଇଥିଲା l ବାରମ୍ବାର ଚିଠି ପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ରାଜ୍ୟର ସର୍ବବୃହତ ପ୍ରକାଶକ ସଂଗଠନ "ଓଡ଼ିଶା ପ୍ରକାଶକ ସଂଘ'ର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ସେମାନେ ଏକାଠି ହୋଇ ପ୍ରତିବାଦ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି l
ବୈଠକରେ ସଂଘର ସଭାପତି କ୍ଷୀରୋଦ ଚନ୍ଦ୍ର ପତି, ଦୁଇ ଉପସଭାପତି ବନୋଜ ତ୍ରିପାଠୀ ଓ ସରୋଜ ବଳ, ସଂପାଦକ ଶୁଭ୍ରାଂଶୁ ପଣ୍ଡା, କୋଷାଧ୍ୟକ୍ଷ ରାଧାକୃଷ୍ଣ ଘଡ଼େଇ, ବରିଷ୍ଠ ସଦସ୍ୟ ଅଭୟ ଦାସ, ତୁଷାର ବରଣ ସାହୁ, ଦେବରାଜ ସାହୁ, ଦେବାଶିଷ ସାମନ୍ତରାୟ, ବିଜୟ ରାଉତ, ରଜତରଶ୍ମି ସ୍ବାଇଁ ଓ ବିରଞ୍ଚି ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l