ଭୁବନେଶ୍ୱର, ୨୫/୦୭:  ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି  ଯୋଜନା (ମନରେଗା)ରେ ଭୂତ ଓ  ଜାଲ ଜବକାର୍ଡଧାରୀଙ୍କ ବ୍ୟାଙ୍କ ଖାତାକୁ  ଯାଉଛି ମଜୁରି ଟଙ୍କା । ଦେଶରେ ଜାଲ  ଜବକାର୍ଡ ଖୋଳତାଡ଼ରେ ଓଡ଼ିଶାରୁ  ୭,୫୬୬ କାର୍ଡ ଚିହ୍ନଟ ହୋଇଛି ।  ଏତିକି ପରିମାଣରେ ଜାଲ ଜବକାର୍ଡ  ଚିହ୍ନଟରେ ଓଡ଼ିଶା ଦେଶରେ ଦ୍ୱିତୀୟ ।  ଶୀର୍ଷରେ ବିହାର (୮,୧୧୧) ଥିଲା  ବେଳେ ଓଡ଼ିଶା ପଛକୁ ଅଛି ଆସାମ  (୭,୩୪୧) । ୨୦୨୪-୨୫ ଆର୍ଥିକ  ବର୍ଷରେ ଏ ନକଲି କାର୍ଡ ଚିହ୍ନଟ  ସହ ତାଲିକାରୁ ବାଦ୍‌ ଦିଆଯାଇଛି ।  ଲୋକସଭାରେ ମନରେଗା ସଂପର୍କିତ  ପ୍ରଶ୍ନର ଜବାବରେ ଏହି ଲିଖିତ  ଉତ୍ତର ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ  ଉନ୍ନୟନ ମନ୍ତ୍ରୀ କମଳେଶ ପାଶ୍ୱାନ । 

ଗତ ୩ଟି ଆର୍ଥିକ ବର୍ଷରେ  ଦେଶରେ ପ୍ରାୟ ୧୨ ଲକ୍ଷ ନକଲି  ଜବକାର୍ଡଧାରୀଙ୍କୁ ଚିହ୍ନଟ ସହ  ତାଲିକାରୁ ବାଦ୍‌ ଦିଆଯାଇଛି ।  ଓଡ଼ିଶାରେ ୨୦୨୨-୨୩ରେ ୧  ଲକ୍ଷ ୧୪ ହଜାର ୪୫୪ ଜାଲ  କାର୍ଡଧାରୀଙ୍କୁ ଚିହ୍ନଟ କରାଯାଇଥିଲା ।  ୨୦୨୩-୨୪ରେ ୨୨,୨୬୪  କାର୍ଡଧାରୀ ବାଦ୍‌ ପଡ଼ିଥିଲେ । ଗତ  ୩ ବର୍ଷରେ ୧ ଲକ୍ଷ ୪୪ ହଜାର  ନକଲି କାର୍ଡଧାରୀଙ୍କୁ ଚିହ୍ନଟ ସହ  ମଷ୍ଟରରୋଲରୁ ହଟାଯାଇଛି । ଏଯାଏଁ  ସମସ୍ତ ନକଲି କାର୍ଡଧାରୀ ଚିହ୍ନଟ  ହୋଇ ତାଲିକାରୁ ବାଦ ପଡ଼ିନାହାନ୍ତି ।  ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ପାଇଁ  ବଡ଼ ଯୋଜନା ମନରେଗାକୁ ସ୍ୱଚ୍ଛ କରିବାକୁ ସରକାର ସବୁପ୍ରକାର  ପଦକ୍ଷେପ ନେଉଥିବା କେନ୍ଦ୍ରମନ୍ତ୍ରୀ  ସଂସଦକୁ ଅବଗତ କରାଇଛନ୍ତି । 

ମନରେଗାର ପ୍ରାୟ ୩୪  ପ୍ରତିଶତ ପାଣ୍ଠି ସରକାରୀ ବାବୁ,  ଦଲାଲମାନେ ଲୁଟି ନେଉଛନ୍ତି । ଜାଲ  ଓ ଭୂତ ଜବକାର୍ଡଧାରୀଙ୍କ ନାଁରେ  ମଜୁରୀ ହଡ଼ପ କରୁଛନ୍ତି । ବର୍ଷ  ବର୍ଷ ଧରି ଏମିତି ହରିଲୁଟ୍‌ ଚାଲୁଥିଲା  ବେଳେ କାର୍ଯ୍ୟାନୁଷ୍ଠାନ କେବଳ ଧର୍ମକୁ  ଆଖିଠାର । ଅନୁଧ୍ୟାନ ରିପୋର୍ଟ କହୁଛି ଓଡ଼ିଶାରେ ଗତ ଆର୍ଥିକ  ବର୍ଷରେ ୧୨୭୭ (ମୋଟ ଖର୍ଚ୍ଚର  ୩୨%) କୋଟି ଟଙ୍କା ଲୁଟିଛନ୍ତି  ସରକାରୀ ଅଧିକାରୀ । ମଜୁରୀ ଓ ସାମଗ୍ରୀ କିଣାବିକାରୁ ଏତିକି ଟଙ୍କା  ବାବୁଙ୍କ ପେଟକୁ ଯାଇଛି ।  

ପୋଖରୀ ଖୋଳା ହେଉ ଅବା  ବନ୍ଧ ମରାମତି । ଖେଳ ପଡ଼ିଆ ନିର୍ମାଣରୁ କେନାଲ ମରାମତି ଓ ରାସ୍ତା ନିର୍ମାଣ ।  ମନରେଗା କାମରେ ଯୁଆଡ଼କୁ ଦେଖିଲେ ପୁଳା ପୁଳା ଦୁର୍ନୀତି ।  କେନ୍ଦ୍ର ସରକାରଙ୍କ ଏ ମହତ୍‌ ଯୋଜନା ଗରିବ ଶ୍ରମିକ ପରିବାରକୁ  କାମଧନ୍ଦା ଯୋଗାଇବାରେ ଯେତିକି ସଫଳ ହେଉନି, ସରକାରୀ  ବାବୁଙ୍କୁ କୋଟିପତି କରିପାରେ ଅଧିକ ସଫଳ ହେଉଛି । ରାଜ୍ୟରେ  ପ୍ରାୟ ୬୬ ଲକ୍ଷ ଜବକାର୍ଡ ବଣ୍ଟନ କରାଯାଇଛି । ମନରେଗା କାମରେ  ବର୍ଷ ବର୍ଷ ଧରି ବଡ଼ ଧରଣର ଦୁର୍ନୀତି ଲାଗି ରହିଛି । କେନ୍ଦ୍ର ସରକାର  ୨୦୨୩ରେ ଏ ଦୁର୍ନୀତିରେ ତାଲା ମାରିବାକୁ ଡିଜିଟାଲ ପ୍ରକ୍ରିୟାରେ  ଶ୍ରମିକଙ୍କ ଉପସ୍ଥାନ ନେଲେ । ନରେଗା ମୋବାଇଲ ମନିଟରିଂ ସିଷ୍ଟମ୍‌  (ଏନ୍‌ଏମ୍‌ଏମ୍‌ଏସ୍‌)ରେ ଉପସ୍ଥାନ ଗ୍ରହଣ ବ୍ୟବସ୍ଥା ରହିଲା ।  ଶ୍ରମିକମାନେ କାମ କରୁଥିବା ବେଳର ଦୁଇଟି ଫଟୋ (ସକାଳେ ଓ  ସନ୍ଧ୍ୟାରେ) ଏହି ଏନ୍‌ଏମ୍‌ଏମଏସ୍‌ ଆପ୍‌ରେ ଅପଲୋଡ଼ ହେବ । ଏହି  ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟରେ ଜାଲ ଜବକାର୍ଡଧାରୀଙ୍କ କାର୍ଡ  ଚିହ୍ନଟ ସହ ବାଦ୍‌ ଦିଆଯାଇଛି । ଆଗକୁ ଏ ସଂଖ୍ୟା ଆହୁରି ବଢ଼ିବ  ବୋଲି ଅନୁମାନ କରାଯାଉଛି ।  

ଜାଲ ଓ ଭୂତ କାର୍ଡକୁ ମାଧ୍ୟମ କରି ବର୍ଷ ବର୍ଷ ଧରି ସରକାରୀ  ବାବୁ-ଦଲାଲଙ୍କ ଅସାଧୁ ମେଣ୍ଟ ଏହି ଯୋଜନାକୁ ବାଟବଣା କରିଛି ।  କେଉଁଠି ଗୋଟିଏ ପ୍ରକଳ୍ପକୁ ୨ଥର ବିଲ୍‌ କରାଯାଉଛି । ଆଉ କେଉଁଠି  କାମ ନକରି ବିଲ୍‌ ତ ଅନ୍ୟଠି ଅତି ନିମ୍ନମାନର କାମରେ ବିଲ୍‌ ହେଉଛି । ସାମଗ୍ରୀ କିଣାରେ ମଧ୍ୟ ଆଖିବୁଜା ଦୁର୍ନିୀତି ଅଭିଯୋଗ ହେଉଛି ।  ଏପରିକି ବହୁ ଜବକାର୍ଡଧାରୀ କାମ କରୁନାହାନ୍ତି । ତାଙ୍କୁ ମଷ୍ଟରରୋଲରେ ସାମିଲ କରି ମଜୁରୀ ଉଠାଯାଉଛି । ସେମାନଙ୍କ ବ୍ୟାଙ୍କ ପାସବୁକ୍‌  ସରକାରୀ ବାବୁଙ୍କ ପାଖରେ ରହୁଛି । ସାଧାରଣତଃ ମଷ୍ଟରରୋଲରେ ଶ୍ରମିକଙ୍କ ନାଁ ଏଣ୍ଟ୍ରି କରିବା କାର୍ଯ୍ୟ ଜିଆରଏସ୍‌ଙ୍କର । ଏହାକୁ ପଞ୍ଚାୟତ  ନିର୍ବାହୀ ଅଧିକାରୀ ମଞ୍ଜୁର କରିବା ପରେ ବିଲ୍‌ ଉଠିଥାଏ । କାମକୁ କନିଷ୍ଠ ଯନ୍ତ୍ରୀ ତଦାରଖ କରନ୍ତି । ମାତ୍ର ତାଳୁରୁ ତଳିପା ଯାଏଁ ସମସ୍ତେ  ଏ ହରିଲୁଟରେ ସାମିଲ ହୋଇ ବିପୁଳ ପାଣ୍ଠି ହଡ଼ପ କରୁଛନ୍ତି ।