ଭୁବନେଶ୍ବର: ଓଡ଼ିଶାର ଶିକ୍ଷା କ୍ଷେତ୍ର ପାଇଁ ଏକ ନୂଆ ସୁଯୋଗ । ବିଶ୍ୱସ୍ତରୀୟ ରାଙ୍କିଙ୍ଗ ପାଇଁ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକୁ ସାମିଲ କରିବା ପାଇଁ ଆରମ୍ଭ ହୋଇଛି ଏକ ବଡ଼ କସରତ। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (BPUT) ଏବଂ ଶିକ୍ଷା ଓ ଅନୁସନ୍ଧାନ (SOA)ର ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଛି ' ଓଡ଼ିଶା ରିଜିଓନାଲ କନକ୍ଲେଭ୍'। ଯାହାର ଲକ୍ଷ୍ୟ ରହିଛି— କେବଳ NIRF କିମ୍ବା NAAC ନୁହେଁ, ବରଂ ବିଶ୍ୱର ଶ୍ରେଷ୍ଠ ତାଲିକାରେ ସ୍ଥାନ ପାଇବେ ଓଡ଼ିଶାର କଲେଜ ଓ ୟୁନିଭର୍ସିଟି ।
ଆଜିକାଲିର ପ୍ରତିଯୋଗିତାମୂଳକ ସମୟରେ ଜଣେ ଛାତ୍ର ପାଇଁ ଶିକ୍ଷାନୁଷ୍ଠାନର 'ରେଙ୍କିଙ୍ଗ' ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେ NAAC ମାନ୍ୟତା ହେଉ କିମ୍ବା NIRF ଓ QS ରେଙ୍କିଙ୍ଗ। କିନ୍ତୁ ଏବେ ସମୟ ଆସିଛି ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଶ୍ୱ ଦରବାରରେ ପହଞ୍ଚାଇବା। ଏହି ଲକ୍ଷ୍ୟକୁ ନେଇ ରାଜଧାନୀରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର କନକ୍ଲେଭ୍। ବିଶ୍ୱର ପ୍ରତିଷ୍ଠିତ 'ଟାଇମ୍ସ ହାୟର ଏଜୁକେଶନ' ସହ ମିଶି BPUT ଏବଂ SOA ବିଶ୍ୱବିଦ୍ୟାଳୟ ଏହି ରୋଡ୍ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ଏହି ସମ୍ମିଳନୀରେ ରାଜ୍ୟର ପ୍ରାୟ ୩୭ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧି ଯୋଗ ଦେଇଛନ୍ତି। ବିଶେଷ କରି BPUT ଅଧୀନରେ ଥିବା ୧୪୫ଟି କଲେଜ ପାଇଁ ଏହା ଏକ ବଡ଼ ସୁଯୋଗ। ଶିକ୍ଷାର ଗୁଣବତ୍ତା ବା 'କ୍ୱାଲିଟୀ ପାରାମିଟର' କିପରି ବଢ଼ାଯିବ ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ଅନୁଷ୍ଠାନ କିପରି 'ଟାଇମ୍ସ ହାୟର ଏଜୁକେଶନ' ରେଙ୍କିଙ୍ଗ ପାଇଁ ଆବେଦନ କରିପାରିବେ, ସେ ନେଇ ଏଠାରେ ମନ୍ଥନ କରାଯାଉଛି।
ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏହା ଏକ ନୂଆ ଅଧ୍ୟାୟ। ଯଦି ଆମର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଅନ୍ତର୍ଜାତୀୟ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୁଅନ୍ତି, ତେବେ କେବଳ ରାଜ୍ୟ ନୁହେଁ, ବରଂ ବିଦେଶୀ ଛାତ୍ରଛାତ୍ରୀ ମଧ୍ୟ ଓଡ଼ିଶା ପ୍ରତି ଆକର୍ଷିତ ହେବେ। ବିଭିନ୍ନ ଦିଗକୁ ତଦାରଖ କରି କଲେଜ ଓ ବିଶ୍ୱବିଦ୍ୟାଳୟକୁ ରେଙ୍କିଙ୍ଗ ପାଇଁ ଚୟନ କରାଯାଇଥିବା । ଯେମିତି କି ଶିକ୍ଷାର ବ୍ୟବସ୍ଥା, ନିଯୁକ୍ତି ସୁଯୋଗ , ଷ୍ଟାର୍ଟଅପ, ଏମିତି ଅନେକ ଦିଗକୁ ନେଇ ସ୍ଥାନ ପାଇବେ କଲେଜ ଓ ବିଶବବିଦ୍ୟାଳୟ । BPUT ଓ SOA ସହ ଟାଇମ୍ସ ହାୟର ଏଜୁକେଶନର ଆସୋସିଏସନ୍ ଏହି ଚେଷ୍ଟାର ମୁଖ୍ୟ ଲକ୍ଷ୍ୟ ହେଉଛି, ଓଡ଼ିଶାର ଶିକ୍ଷାନୁଷ୍ଠାନକୁ ଗ୍ଲୋବାଲ୍ ରେଙ୍କିଙ୍ଗରେ ସ୍ଥାନ ଦେବା। ୩୭ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧି ଓ BPUT ଅଧୀନରେ ଥିବା ୧୪୫ କଲେଜ ଉପରେ ଗୁରୁତ୍ୱ ଦିଆଯିବ ।
ତେବେ ଦେଖିବାକୁ ବାକି ରହିଲା, ଏହି ଗୁରୁତ୍ୱପୂର୍ଣ୍ଣ କନକ୍ଲେଭ୍ ପରେ ଓଡ଼ିଶାର କେତେ ଶିକ୍ଷାନୁଷ୍ଠାନ ବିଶ୍ୱ ତାଲିକାରେ ନିଜ ସ୍ଥାନ ପକ୍କା କରି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଓଡ଼ିଶାକୁ ଗର୍ବିତ କରୁଛନ୍ତି ।