ପୁରୀ ୨୦/୧୧ : ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ରାଜ୍ୟବ୍ୟାପୀ “ସୂଚନା କମିଶନଙ୍କ କେସ୍ ଅର୍ଡ଼ର ପୋଡ଼ି” ଅଭିଯାନ ଓ ବିକ୍ଷୋଭ। ସୂଚନା କମିଶନଙ୍କ ଯାବତୀୟ ମନମୁଖୀ, ଆଇନ ବିରୋଧୀ କାର୍ଯ୍ୟ, ସୂଚନା ଆଇନକୁ ବରବାଦ କରିବା ପାଇଁ କମିଶନଙ୍କ ଗଭୀର ଷଡ଼ଯନ୍ତ୍ର ଓ ନାଗରିକମାନଙ୍କୁ ନ୍ୟାୟ ପ୍ରଦାନରେ ଚରମ ବିଫଳତା ପ୍ରତିବାଦରେ ଏବଂ ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ା ଓ ତାଙ୍କ ସଦସ୍ୟମାନଙ୍କୁ ତୁରନ୍ତ ବହିଷ୍କାର ଦାବିରେ ପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

ଓଡ଼ିଶା ସୂଚନା ଅଧିକାର ଅଭିଯାନର ଅଭିଯୋଗ ଅନୁଯାୟୀ, ପ୍ରଶାସନରେ ସ୍ଵଚ୍ଛତା ଓ ଉତ୍ତରାଦାୟୀତ୍ଵ ବ୍ୟବସ୍ଥା ତ୍ୱରାନ୍ବିତ କରିବା ପାଇଁ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି। ଏହି ଆଇନ ନାଗରିକମାନଙ୍କୁ ସରକାରୀ ଦପ୍ତରରୁ ସୂଚନା ପାଇବାର ଅଧିକାର ଦେଇଛି। ସୂଚନା ଆଇନର ୨୦ ବର୍ଷର କାର୍ଯ୍ୟକାରୀତାରେ ସରକାରୀ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ସମ୍ପର୍କୀତ ଅନେକ ତଥ୍ୟ ଲୋକଲୋଚନକୁ ଆସିବାରେ ଲାଗିଛି। ଏହି ଆଇନକୁ ବ୍ୟବହାର କରି ସାଧାରଣ ଲୋକେ ନିଜ ହକ୍ ଅଧିକାର ପାଇଁ ଲଢ଼େଇ କରୁଛନ୍ତି। ଅନେକ ସାମାଜିକ କର୍ମୀ ବହୁ ବଡ଼ ବଡ଼ ଦୁର୍ନୀତି ଲୋକଲୋଚନକୁ ଆଣିଛନ୍ତି ଏବଂ ଦୁର୍ନୀତି ବିରୁଦ୍ଧରେ ସେମାନଙ୍କ ଲଢ଼େଇ ଜାରି ରଖିଛନ୍ତି। ସୂଚନା ଅଧିକାର ଆଇନରେ ସୂଚନା କମିଶନଙ୍କୁ ଅନେକ କ୍ଷମତା ପ୍ରଦାନ କରାଯାଇଛି। ଧାରା ୧୮, ୧୯ ଓ ୨୦ ଅନୁଯାୟୀ, ସୂଚନା କମିଶନ ସମସ୍ତ ଅପିଲ, ଅଭିଯୋଗର ଶୁଣାଣୀ କରି ନାଗରିକମାନଙ୍କୁ ସୂଚନା ପ୍ରଦାନ କରାଇବେ। ଆବଶ୍ୟକ ସ୍ଥଳେ ସୂଚନା ପ୍ରଦାନ ଅବହେଳା ସମ୍ପର୍କରେ ତଦନ୍ତ କରାଇବେ। ଆଇନ ଉଲଙ୍ଘନକାରୀ ପି.ଆଇ.ଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କ୍ଷତିଗ୍ରସ୍ତ ନାଗରିକମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବେ। ସୂଚନା ଅଧିକାର ଆଇନର ସଠିକ୍ କାର୍ଯ୍ୟାନ୍ବୟନ ପାଇଁ ସରକାରଙ୍କୁ ସୁପାରିଶ କରିବେ। କିନ୍ତୁ ପୂର୍ବ ସରକାରରେ ପ୍ରଶାସନିକ ଅଧିକାରୀମାନେ ଷଡ଼ଯନ୍ତ୍ର କରି ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ସୂଚନା କମିଶନରେ ନିଯୁକ୍ତ କରୁଥିଲେ। ଏହା ବିରୋଧରେ ଲଗାତର ଓଡ଼ିଶା ସୂଚନା ଅଧିକାର ଅଭିଯାନ ଆନ୍ଦୋଳନ କରି ଆସିଥିଲା। ସୂଚନା ଅଧିକାର ଆଇନର କାର୍ଯ୍ୟକାରୀତାକୁ ତ୍ଵରାନ୍ଵିତ କରିବାରେ ସକ୍ଷମ ହୋଇଥିଲା।

୨୦୨୪ରେ ବିଜେପି ସରକାର ଆସିବା ପରେ ୨୦୨୫ ଏପ୍ରିଲରେ ମୁଖ୍ୟ ସୂଚନା କମିଶନର ଓ ତିନି ଜଣ ସୂଚନା କମିଶନରଙ୍କୁ ନିଯୁକ୍ତି ଦେଲେ। ହେଲେ କାର୍ଯ୍ୟ କରିବାର ୬ ମାସରେ ସେମାନଙ୍କ ଅପାରଗତା ପଦାରେ ପଡିଛି। ନବନିଯୁକ୍ତ ସୂଚନା କମିଶନରମାନଙ୍କର ଆଇନ୍ ସଂପର୍କରେ ଧାରଣା ନାହିଁ କି ଅଭିଜ୍ଞତା ନାହିଁ। ସେମାନେ ଆଇନକୁ ବୁଝି ନାହାଁନ୍ତି କି ଅର୍ଡର ଡାକି ପାରୁ ନାହାଁନ୍ତି। ତେଣୁ ଏହି ସୂଚନା କମିଶନରଙ୍କୁ ତୁରନ୍ତ ବହିଷ୍କାର ଦାବିରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ରାଜ୍ୟବ୍ୟାପୀ “ସୂଚନା କମିଶନଙ୍କ କେସ୍ ଅର୍ଡ଼ର ପୋଡ଼ି” ଅଭିଯାନ ଓ ବିକ୍ଷୋଭ କରାଯାଉଛି। ଓଡ଼ିଶାବାସୀ ଏହାକୁ ସହଯୋଗ କରିବାକୁ ଅପିଲ୍ କରିଛନ୍ତି।