ଭୁବନେଶ୍ୱର,୧୬/୦୬; ସାରା ରାଜ୍ୟରେ ଅସ୍ୱାଭାବିକ ଗରମ । ସାମାନ୍ୟ ତାତି ଖସିଛି ସତ ହେଲେ ଅସହ୍ୟ ଗୁଳୁଗୁଳି ନୟାନ୍ତ କରୁଛି । ବିନା ପଙ୍ଖାରେ ବସିବା ସମ୍ଭବ ହେଉନି । ତା ସାଙ୍ଗକୁ ଯଦି ବିଦ୍ୟୁତ୍ କାଟ୍ ହୁଏ ଆହୁରି ଯନ୍ତ୍ରଣାଦାୟକ । ମୌସୁମୀ ଛୁଇଁଛି ହେଲେ ତାତିର ପ୍ରଭାବ କମିନି । ଘରୁ ବାହରକୁ ବାହାରିବା ମାତ୍ରେ ଗୋଟିଏ ମିନିଟ୍ ଛିଡ଼ା ହେବା ସମ୍ଭବ ନୁହେଁ । ଏମିତି ସ୍ଥିତିରେ ସ୍କୁଲ ଆସନ୍ତା ୧୮ ତାରିଖରୁ ଖୋଲିବା ଚିନ୍ତା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଅଭିଭାବକଙ୍କ ଦାବି ଆଉ ସରକାର ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ଅବଧିକୁ ବୃଦ୍ଧି କରାଯାଉ । ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ କହିଛନ୍ତି, ପିଲାଙ୍କ ପାଠପଢ଼ା ପ୍ରତି ଗୁରୁତ୍ୱ ଆବଶ୍ୟକତା ରହିଛି । ତେଣୁ ଆସନ୍ତା ୧୮ ତାରିଖରେ ସ୍କୁଲ ଖୋଲିବ । ଯଦି ୧୮ ତାରିଖରେ ଅତ୍ୟାଧିକ ଗରମ ହୁଏ, ପିଲାଙ୍କର ବିଦ୍ୟାଳୟକୁ ଯିବା ଅସୁବିଧା ହୁଏ ତେବେ ନିଶ୍ଚିୟ ଭାବେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସେ ସମୟରେ ଚିନ୍ତା କରାଯିବ ।
ସୂଚନାଯୋଗ୍ୟ, ଗ୍ରୀଷ୍ମ ଛୁଟି ସାଧାରଣତଃ ଶିକ୍ଷାବର୍ଷର କ୍ୟାଲେଣ୍ଡର ଅନୁଯାୟୀ ହୋଇଥାଏ । ମେ ୫ରୁ ଜୁନ୍ ୧୮ ତାରିଖ ଯାଏ ହୁଏ । ଚଳିତବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଏପ୍ରିଲ୍ ୨୭ ତାରିଖରୁ ସ୍କୁଲ ଛୁଟି ଆଗୁଆ ଘୋଷଣା କରାଯାଇଥିଲା । ଅର୍ଥାତ୍ ଧାର୍ଯ୍ୟ ସମୟର ଏକ ସପ୍ତାହ ପୂର୍ବରୁ ସ୍କୁଲ ଛୁଟି ହୋଇଛି । ହେଲେ ବର୍ତ୍ତମାନ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ତାପମାତ୍ରା କମିଛି ସତ କିନ୍ତୁ ଆର୍ଦ୍ରତା ପାଇଁ ଭୟଙ୍କର ଗୁଳୁଗୁଳି ଅନୁଭୂତ ହେଉଛି । ୪୫ରୁ ୫୦ ଡିଗ୍ରୀ ତାତି ପରି ଅନୁଭବ ହେଉଛି । ବାହାରେ ଗୋଟିଏ ମିନିଟ୍ ବି ଛିଡ଼ା ହେବା ଅସମ୍ଭବ ହୋଇ ପଡ଼ୁଛି । ଏପରି ସ୍ଥିତିରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ନେଇ ଅଭିଭାବକ, ଶିକ୍ଷକ ସଂଘମାନେ ବିରୋଧ କରୁଛନ୍ତି । ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ସୋମବାର ତାପମାତ୍ରା ୩୭ ଡିଗ୍ରୀ ଥିଲା । ଯାହା ସ୍ୱାଭାବିକଠୁ ୨ ଡିଗ୍ରୀ ଅଧିକ । ଆର୍ଦ୍ରତା ୬୮ ପ୍ରତିଶତ ଥିବାରୁ ତାତି ୪୫ ଡିଗ୍ରୀ ପରି ଅନୁଭୂତ ହେଉଥିଲା ।
ସୋମବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ବୌଦ୍ଧ । ବୌଦ୍ଧକୁ ମୌସୁମୀ ଛୁଇଁଥିବା ସତ୍ତେ୍ୱ ତାତି ୪୨.୫ ଡିଗ୍ରୀ ତାପମାତ୍ରା ଥିଲା । ସମ୍ବଲପୁରରେ ୪୧.୬ ଡିଗ୍ରୀ, ହୀରାକୁଦରେ ୪୧.୫ ଡିଗ୍ରୀ, ଝାରୁସୁଗୁଡ଼ାରେ ୪୧.୨, ସୋନପୁରରେ ୪୦.୫ ଡିଗ୍ରୀ ତାତି ରହିଥିଲା । ଏପରିକି କୋରାପୁଟକୁ ମୌସୁମୀ ଛୁଇଁ ସାରିଥିଲେ ହେଁ ଏହାର ତାପମାତ୍ରା ୩୭.୪ ଡିଗ୍ରୀ ରହିଥିଲା । ଯାହା ସ୍ୱାଭାବିକ ତାପମାତ୍ରାଠୁ ୫ରୁ ୬ ଡିଗ୍ରୀ ଅଧିକ । ସମ୍ବଲପୁରରେ ସ୍ୱାଭାବିକ ତାତି ଯେତିକି ରହିବା କଥା ତାଠୁ ୫ ଡିଗ୍ରୀ ଅଧିକ ତାତି ଥିଲା । ବଲାଙ୍ଗିର ଓ ବାରିପଦାରେ ୩ ଡିଗ୍ରୀରୁ ଅଧିକ ତାତି ଥିଲା । ପୁରୀରେ ମଧ୍ୟ ସ୍ୱାଭାବିକ ତାତିଠୁ ୨ ଡିଗ୍ରୀ ଅଧିକ ତାପମାତ୍ରା ଆଜି ରହିଥିଲା । ମୌସୁମୀ ପ୍ରଭାବରେ ଯେଉଁ ବର୍ଷା ହେଉଛି ତାହା ପରିବେଶକୁ ଥଣ୍ଡା କରିପାରୁନି । ଗତ ଶନିବାର ଦିନ ଓଷ୍ଟା ପକ୍ଷରୁ ମଧ୍ୟ ପ୍ରେସ ବିବୃତ୍ତି ମାଧ୍ୟମରେ ସ୍କୁଲ ଖରା ଛୁଟି ଅବଧି ବୃଦ୍ଧି କରିବାକୁ ଅନୁରୋଧ କରାଯାଇଛି । ହେଲେ ବିଭାଗର ଏକା ଜିଦ୍ ଆମ ପିଲାଙ୍କ ପାଠପଢ଼ା ଆଗ ସ୍ୱାସ୍ଥ୍ୟ ପଛ । ୧୮ ତାରିଖରେ ହିଁ ସ୍କୁଲ ଖୋଲିବ ତେଣିକି ଗରମ ହେଉ ପିଲାମାନେ ହନ୍ତସନ୍ତ ହୁଅନ୍ତୁ ।
ଏହା ବି ପଢନ୍ତୁ...Nandankanan : ନନ୍ଦନକାନନରେ ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ ମୃତ, ୧୦କୁ ଖସିଲା ସଂଖ୍ୟା
ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଆସନ୍ତା ୧୮ ତାରିଖରେ ସ୍କୁଲ ଖୋଲିବ । ବର୍ତ୍ତମାନ ବର୍ଷା, ମୌସୁମୀ ଆସୁଛି । ପାଣିପାଗ ଥଣ୍ଡା ପଡ଼ିଲାଣି । ସ୍କୁଲ ଛୁଟି ଅବଧି ବୃଦ୍ଧି କରିବାକୁ ଠିକ୍ ଲାଗୁନି । ଯେହେତୁ ପିଲାଙ୍କ ପାଠପଢ଼ା ପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ତେଣୁ ଆସନ୍ତା ୧୮ ତାରିଖରେ ସ୍କୁଲ ଖୋଲିବ । ଯଦି ୧୮ ତାରିଖରେ ଅତ୍ୟାଧିକ ଗରମ ହୁଏ, ପିଲାଙ୍କର ବିଦ୍ୟାଳୟକୁ ଯିବା ଅସୁବିଧା ହୁଏ ତେବେ ନିଶ୍ଚିୟ ଭାବେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସେ ସମୟରେ ଚିନ୍ତା କରାଯିବ । ସ୍କୁଲ ଛୁଟି ଅବଧି ବୃଦ୍ଧି ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ହୋଇନି ।