ଭୁବନେଶ୍ୱର, ୧୦/୦୩: ରାଜ୍ୟରେ ତାତି ଯେତିକି ବଢୁଛି, ଜଙ୍ଗଲ ନିଆଁ ସେତିକି ମାଡ଼ି ମାଡ଼ି ଚାଲିଛି । ୨୨୫୩ଟି  ସ୍ଥାନରେ ଜଙ୍ଗଲ ହୁତ୍‌ ହୁତ୍‌ ହୋଇ ଜଳୁଛି । ମାଲକାନଗିରି, ନବରଙ୍ଗପୁର, ସୁନାବେଡ଼ା, କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, ବାଲିଗୁଡ଼ା ଓ ଆଠମଲ୍ଲିକ ବନଖଣ୍ଡରେ ବଡ଼ଧରଣର ନିଆଁ ଲାଗିଛି । ତେଲେଙ୍ଗାନା ପରେ ଗତ ସପ୍ତାହରେ ବନାଗ୍ନିରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । 

କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଗତ ମାର୍ଚ୍ଚ ୨ ତାରିଖରୁ ଏବେ ସୁଦ୍ଧା ଓଡ଼ିଶାରେ ଦେଶର ଦ୍ୱିତୀୟ ସର୍ବାଧିକ ଜଙ୍ଗଲ ନିଆଁ ତଥ୍ୟ ରେକର୍ଡ ହୋଇଛି । ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ (ଏଫଏସ୍‌ଆଇ) ର ଏସଏନପିପି ମଡେଲ ଅନୁସାରେ,୨୨୫୩ଟି ସ୍ଥାନରେ ଜଙ୍ଗଲ ଜଳୁଛି । ଏମଓଡିଆଇଏସ୍‌ର ତଥ୍ୟ ଅନୁସାରେ  ୩୩୩ଟି ସ୍ଥାନରେ ଜଙ୍ଗଲ ଜଳୁଛି ।  

କୋରାପୁଟ ସର୍କଲର ରାୟଗଡ଼ା ରେଞ୍ଜ, ବୋରିଗୁମ୍ମା ରେଞ୍ଜ,  ମୋଟୁ ରେଞ୍ଜ , ବୈପାରୀଗୁଡ଼ା ଓ ଝରିଗାଁ ରେଞ୍ଜର ଏକାଧିକ  ସ୍ଥାନରେ ଜଙ୍ଗଲ ଜଳୁଛି । ମାଲକାନଗିରିର ମାଥିଲି ରେଞ୍ଜ,  କୋଡ଼ିଙ୍ଗା ରେଞ୍ଜ, ଉମରକୋଟ ରେଞ୍ଜ, ନାରାୟଣପାଟଣା  ରେଞ୍ଜ, କୋଟପାଡ଼ ଓ ସେମିଳିଗୁଡ଼ା ରେଞ୍ଜର ଅନେକ ସ୍ଥାନରେ  ଜଙ୍ଗଲ ଜଳୁଛି । ଭବାନୀପାଟଣା ସର୍କଲର ସୁନାବେଡ଼ା ରେଞ୍ଜ,  ନୂଆପଡ଼ା ରେଞ୍ଜ, ଜୟପାଟଣା ରେଞ୍ଜ, ସିନାପାଲ୍ଲୀ ରେଞ୍ଜ,  ଖରିଆର ରେଞ୍ଜ, କଗାଁ ରେଞ୍ଜ, ହରିଶଙ୍କର ରେଞ୍ଜରେ ଜଙ୍ଗଲ  ଜଳୁଛି । 

ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସର୍କଲର  ଗୋପାଳପୁର ରେଞ୍ଜ, ହେମଗିରି ରେଞ୍ଜରେ ଜଙ୍ଗଲ ଜଳୁଛି ।  କନ୍ଧମାଳ, ରାୟଗଡ଼ା, ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର, ଗଞ୍ଜାମ,  ଗଜପତି, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ,  ଜିଲ୍ଲାର ବହୁ ସ୍ଥାନରେ ଜଙ୍ଗଲ ନିଆଁ ମାଡ଼ି ମାଡ଼ି ଚାଲିଛି ।