ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଜନଜାତୀୟ ଗୌରବ ଦିବସରେ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ, ନଭେମ୍ବର ୫ ସୁଦ୍ଧା ଯୋଗ୍ୟ ତାଲିକା

Published By : Prameya | October 19, 2024 11:18 AM

ଭୁବନେଶ୍ୱର,୧୯/୧୦: ନଭେମ୍ବର ୧୫ ସହିଦ ବିର୍ଷା ମୁଣ୍ଡାଙ୍କ ଜୟନ୍ତୀ । ସେହି ଦିନକୁ ରାଜ୍ୟ ସରକାର ‘ଜନଜାତୀୟ  ଗୌରବ ଦିବସ’ ଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି । ଏହି  ଅବସରରେ ରାଉରକେଲାରେ ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ସେହି ଦିନ ‘ସହିଦ  ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ର ମଧ୍ୟ ଶୁଭାରମ୍ଭ ହେବ । ତେବେ  ତା’ ପୂର୍ବରୁ ନଭେମ୍ବର ୫ ତାରିଖ ସୁଦ୍ଧା ଏହି ଯୋଜନାରେ ଭତ୍ତା  ପାଇବା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ ହେବ । ମିଶନ୍‌ ମୋଡ୍‌ରେ ସେ ନେଇ କାମ କରିବାକୁ ପଡିବ । ଯୋଜନାରେ ଲାଭବାନ ହେବାକୁ ଥିବା ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୦% ବିଦ୍ୟାଳୟ ଓ  ଗଣଶିକ୍ଷା ବିଭାଗର । ତେଣୁ ବିଭାଗୀୟ ସଚିବ ଶାଲିନୀ ପଣ୍ଡିତଙ୍କୁ ଏ ନେଇ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି  ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ପ୍ରମୁଖ  ସଚିବ ବିଷ୍ଣୁପଦ ସେଠୀ । ତାଙ୍କୁ ଏକ ଆକ୍ସନ୍‌ ପ୍ଲାନ୍‌ ମଧ୍ୟ ଦେଇଛନ୍ତି ।  

ଶ୍ରୀ ସେଠୀ କହିଛନ୍ତି, ରାଜ୍ୟରେ ଅଷ୍ଟମ ଓ ଦଶମ ପରେ ବହୁ  ଅନୁସୂଚିତ ଜନଜାତି ବର୍ଗ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡୁଛନ୍ତି ।  ତେଣୁ ଏହି ସଂଖ୍ୟା କମାଇବା ପାଇଁ ନବମ ଓ ଏକାଦଶ (ଯୁକ୍ତ  ଦୁଇ ପ୍ରଥମବର୍ଷ) ଶ୍ରେଣୀର ଅନୁସୂଚିତ ଜନଜାତି ବର୍ଗ ଛାତ୍ରଛାତ୍ରୀଙ୍କୁ  ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ରେ ୫ ହଜାର ଟଙ୍କା  ମିଳିବ । ନଭେମ୍ବର ୧୫ ତାରିଖ ଦିନ ରାଜ୍ୟ ରାଜକୋଷରୁ ପ୍ରତ୍ୟକ୍ଷ  ଲାଭ ହସ୍ତାନ୍ତର ଯୋଜନା(ଡିବିଟି) ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ  ଆକାଉଣ୍ଟକୁ ଟଙ୍କା ଯିବ । 

ଚଳିତ ମାସ ୨୫ ତାରିଖ ସୁଦ୍ଧା ଜାତି  ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଓ ବ୍ୟାଙ୍କ ପାସବୁକ୍‌ର ପ୍ରଥମ ପୃଷ୍ଠା  ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନଶିକ୍ଷକ ଓ ଯୁକ୍ତ ଦୁଇ କଲେଜ  ଅଧ୍ୟକ୍ଷ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ଚୂଡାନ୍ତ କରିବେ । କେବଳ  ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିପାଇଁ  ଯୋଗ୍ୟ ବିବେଚିତ ହେବେ ବୋଲି ଆକ୍ସନ୍‌ ପ୍ଲାନ୍‌ରେ ଦର୍ଶାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.