ଭୁବନେଶ୍ୱର,୦୬/୦୯: ବୟାନବାଜି ରାଜନୀତିରୁ ଆଗକୁ ବଢ଼ିବେ । ମଇଦାନକୁ ଓହ୍ଲାଇବେ ତିନି ଦଳ । କିଏ ପଦଯାତ୍ରା କରିବେ, ଆଉ କିଏ ସେବା ପକ୍ଷ ପାଳିବେ । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । କମ୍ପିବ ରାଜରାସ୍ତା ।
ସାଂଗଠନିକ ରୂପରେଖକୁ ଚୂଡ଼ାନ୍ତ ରୂପ ଦେବାକୁ ତିନି ଦିନ ଲାଗି ପଡ଼ିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ସାଂଗଠନିକ ଟିମ୍ରେ ଯାହା ପରିବର୍ତ୍ତନ କରାଯିବା କଥା, ଖୁବଶୀଘ୍ର ହେବ । ବିଜେଡିର ରାଜ୍ୟ କମିଟି, ଛାମୁଆ ସଂଗଠନ ନୂଆ ରୂପ ନେଇଛି । ବାଲେଶ୍ୱର,ଖୋର୍ଦ୍ଧା ବାଦ୍ ବାକି ସବୁ ଜିଲ୍ଲାରେ ବିଜେଡିର ସାଂଗଠନିକ ରୂପରେଖ ଚୂଡ଼ାନ୍ତ ହୋଇସାରିଛି । କଂଗ୍ରେସର ରାଜ୍ୟ କମିଟି ଗଠନ ସରିଥିବାବେଳେ ମାସ ଶେଷ ସୁଦ୍ଧା ଜିଲ୍ଲା ସଭାପତି ଘୋଷଣା ହେବ । ଅନ୍ୟପଟେ ତିନି ଦଳ ବର୍ତ୍ତମାନ ମଇଦାନକୁ ଓହ୍ଲାଇବାକୁ ହୁଙ୍କାର ଦେଲେଣି । ଢେର୍ ଦିନ ହେବ ମାନ୍ଦା ପଡ଼ିଯାଇଥିବା କାର୍ଯ୍ୟକର୍ତ୍ତା ଓ ସଂଗଠନକୁ ସକ୍ରିୟ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖଠାରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଅକ୍ଟୋବର ୨ ତାରିଖ ଯାଏ ସେବା ପକ୍ଷ ପାଳିବ ବିଜେପି । ୧୭ରେ ରାଜ୍ୟସ୍ତରୀୟ, ୧୮ରେ ଜିଲ୍ଲାସ୍ତରୀୟ ଓ ୧୯ରୁ ୨୭ ପର୍ଯ୍ୟନ୍ତ ମଣ୍ଡଳସ୍ତରରେ ସ୍ୱଚ୍ଛତା ଅଭିଯାନ ଓ ରକ୍ତଦାନ ଶିବିର ହେବ । ୧୭ରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନ ଉପରେ ରାଜ୍ୟସ୍ତରୀୟ ପ୍ରଦର୍ଶନୀ, ୧୮ରୁ ୨୭ ସେପ୍ଟେମ୍ବର ଯାଏ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ କରାଯିବ । ୧୯ରୁ ୨୭ ତାରିଖ ଯାଏ ବିଭିନ୍ନ ସ୍କୁଲ, କଲେଜ, ପାଠାଗାର ଓ ପଞ୍ଚାୟତ ଅଫିସରେ ମୋଦିଜୀଙ୍କ ଜୀବନୀ ଉପରେ ପୁସ୍ତକ ବାଣ୍ଟିବ ବିଜେପି । ୨୦ରେ ସମୁଦ୍ର ଉପକୂଳରେ ସ୍ୱଚ୍ଛତା ଅଭିଯାନ, ୨୧ରେ ମୋଦି ବିକାଶ ମାରାଥନ, ୨୫ରେ ରାଜ୍ୟ, ଜିଲ୍ଲା ଓ ବୁଥ୍ସ୍ତରରେ ଦୀନଦୟାଲ ଜୟନ୍ତୀ ପାଳନ କରିବେ । ବଡ଼ କଥା ହେଲା, ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ, ମନ୍ତ୍ରୀ, ସାଂସଦ ଓ ସ୍ଥାନୀୟ ନେତୃମଣ୍ଡଳୀ ଏସବୁ କାର୍ଯ୍ୟକ୍ରମରେ ସାମିଲ ହେବା ସହ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବେ ।
ବିଜେଡି ସଂଗଠନ ବି ପ୍ରସ୍ତୁତି ଆରମ୍ଭ କଲାଣି । ଆସନ୍ତା ୧୮ରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାବେଳେ ସେହି ସମୟରେ ଦଳ କିଛି କାର୍ଯ୍ୟକ୍ରମ ହାତକୁ ନେଇପାରେ । ବିଧାନସଭା ଭିତରେ ଓ ବାହାରେ ପ୍ରମୁଖ ପ୍ରସଙ୍ଗ ନେଇ ବିଜେଡି ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ବିଚାର ବିମର୍ଶ ଚଳାଇଛି । ଚଳିତବର୍ଷ ଗାନ୍ଧି ଜୟନ୍ତୀରୁ ଦଳ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରିବ । ଏଥର ଏଥିରେ ଛାମୁଆ ସଂଗଠନ ବଡ଼ ଭୂମିକା ନେବ । ନୂଆ କରି ନିଯୁକ୍ତ ଛାମୁଆ ନେତାଙ୍କୁ ଏ ନେଇ ଗୁରୁ ଦାୟିତ୍ୱ ଦିଆଯାଇଛି । ଗାନ୍ଧି ଜୟନ୍ତୀ ଦିନ ଚଳିତବର୍ଷ ଦଶହରା ପର୍ବ ଥିବାରୁ ପଦଯାତ୍ରା ଆରମ୍ଭ ଦିନ ସାମାନ୍ୟ ଘୁଞ୍ଚିପାରେ । ତୃଣମୂଳ ସ୍ତରର କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିବାକୁ ବିଜେଡି ଏଥର ପଦଯାତ୍ରାକୁ ବ୍ୟାପକ ରୂପ ଦେବାକୁ ଯୋଜନା ଚଳାଇଛି । ପ୍ରତି ନିର୍ବାଚନମଣ୍ଡଳୀ ନେତା, ଜିଲ୍ଲା ସଭାପତିଙ୍କୁ ଏଥିପାଇଁ ପରାମର୍ଶ ଦିଆଯାଇଛି । କର୍ମୀମାନେ ରାସ୍ତାକୁ ଓହ୍ଲାଇବା ସହ ନବୀନଙ୍କ ଶାସନ କାଳର ସଫଳ ଯୋଜନା ଓ ବିଜେପି ସରକାରଙ୍କ ବିଫଳତା ନେଇ ଲୋକଙ୍କୁ ଅବଗତ କରାଇବେ ।
କଂଗ୍ରେସ ମଧ୍ୟ ବ୍ୟାପକ ଯୋଜନା ଚଳାଇଛି ରାଜ୍ୟବ୍ୟାପୀ ଅଭିଯାନ ତେଜିବାକୁ । ଏଆଇସିସିର ପୂରା ନଜର ଏବେ ଓଡ଼ିଶା କଂଗ୍ରେସର ଉତ୍ଥାନ ବ୍ଲୁ ପ୍ରିଣ୍ଟ ଉପରେ । ପିସିସି ସଭାପତି ଭକ୍ତ ଦାସ ଓ ତାଙ୍କ ଟିମ୍ ଲାଗି ପଡ଼ିଛନ୍ତି ସଂଗଠନ ସଜଡ଼ାରେ । ଏଥର ପଦଯାତ୍ରାରେ କଂଗ୍ରେସ କେନ୍ଦ୍ରୀୟ ନେତାମାନଙ୍କୁ ଓଡ଼ିଶା ଆଣିବା ପାଇଁ ଯୋଜନାରେ ଅଛି । ସରକାର ବିରୋଧୀ ବିଭିନ୍ନ ପ୍ରସଙ୍ଗ ନେଇ କଂଗ୍ରେସ ସହରରୁ ଗାଁ ପର୍ଯ୍ୟନ୍ତ ପଦଯାତ୍ରା କରିବ । ଏହା ପୂର୍ବରୁ ବିଧାନସଭା ଅଧିବେଶନରେ କଂଗ୍ରେସ ପୁଣି ଥରେ ଜୋରଦାର ପ୍ରଦର୍ଶନ କରିବାକୁ ଯୋଜନା ଚଳାଇଛି ।