ପୁରୀ,୧୨/୦୨: ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ସରକାର ପ୍ରଣୟନ କରିଛନ୍ତି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନା । ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁରଠାରୁ ଏହି ଯୋଜନାର ଶୁଭାରମ୍ଭ କରିବେ । ୫୦୦ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶ୍ରଦ୍ଧାଳୁ ଯେପରି ଶ୍ରଦ୍ଧା ଓ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ଣରେ ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ।

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ସହ ଯେପରି ଏକ ସୁଖଦ ଅନୁଭବ ନେଇ ଯିବେ ସେଥିପାଇଁ ସମସ୍ତ ବିଭାଗ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହା ଏକ ଆଧ୍ୟାତ୍ମିକ ଓ ଧାର୍ମିକ ଯୋଜନା ଅନ୍ତର୍ଗତ ହୋଇ ଥିବାରୁ ସେବା ମନୋଭାବ ନେଇ ପ୍ରତ୍ୟେକ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ସରୋଜ କୁମାର ସ୍ୱାଇଁ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୫୦୦ ଶ୍ରଦ୍ଧାଳୁ ଆସିବେ, ୧୩ ତାରିଖ ସନ୍ଧ୍ୟାରେ ପ୍ରାୟ ୨୦୦ ଜଣ ଓ ଅବଶିଷ୍ଟ ୧୪ ତାରିଖ ସକାଳୁ ପହଞ୍ଚିବେ । ୬୦ରୁ ୭୫ ବର୍ଷ ବୟସ୍କ ବ୍ୟକ୍ତି ଓ ବିଧବା ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ । ସଂପୃକ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କ ତାଲିକା ପ୍ରସ୍ତୁତ କରି ପୁରୀ ପ୍ରଶାସନକୁ ଦେବେ । ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଦର୍ଶନର ବ୍ୟବସ୍ଥା କରାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବେ ବୋଲି ସେ କହିଥିଲେ ।

ଆହୁରି ପଢ଼ନ୍ତୁ :- ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ କାର୍ଯ୍ୟକାରିତା ନେଇ ଚିଠି, ସ୍ଥାପନ ହେବ ୭୫ ବରପୁତ୍ରଙ୍କ ପ୍ରତିମୂର୍ତ୍ତି

ଶ୍ରଦ୍ଧାଳୁ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରହଣି ପାଇଁ ବୃନ୍ଦାବତୀ ନିବାସରେ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା, ସହାୟତା ପାଇଁ ହେଲ୍ପ ଡେସ୍କର ବ୍ୟବସ୍ଥା, ଯାତାୟାତ ପାଇଁ ସ୍ଥାନୀୟ ପରିବହନ ବ୍ୟବସ୍ଥା, ଦର୍ଶନ ସୁବିଧା, ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ବ୍ୟବସ୍ଥା, ଗାଡ଼ି ପାର୍କିଂ ବ୍ୟବସ୍ଥା, ଫଟୋ ଭିଡିଓ ବ୍ୟବସ୍ଥା ଇତ୍ୟାଦି କରାଯିବ । ବିଭିନ୍ନ ଅଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯିବ ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଦେବେନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌରନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, କମାଣ୍ଡାଣ୍ଟ ତାପସ କୁମାର ଦାସ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୌଶିକ ନାୟକ, ଅତିରିକ୍ତ ଏସପି ଦେବୀ ପ୍ରସାଦ ପ୍ରତାପ, ପର୍ଯ୍ୟଟନ ଉପସଚିବ ମନୋଜ କୁମାର ବେହେରା, ଡେପୁଟି ଉନ୍ନୟନ ପ୍ରଶାସକ ରଞ୍ଜନ କୁମାର ବେହେରା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।