ପୁରୀ,୨୭/୦୫: ଶ୍ରୀମନ୍ଦିରରେ ସେବାପୂଜା ନେଇ ‘ସ୍ୱତ୍ତ୍ୱଲିପି’ ପ୍ରସ୍ତୁତ କରାଯିବା ଭଳି ଶ୍ରୀମନ୍ଦିରରେ ବ୍ୟବହୃତ ସ୍ୱତନ୍ତ୍ର ଶବ୍ଦ ଓ ବାକ୍ୟର ‘ସ୍ୱତ୍ତ୍ୱାଧିକାର’(ପାଟେଣ୍ଟ) ପ୍ରସ୍ତୁତ ହେବ ।  ଏନେଇ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପ୍ରଶାସନର  ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ସୋମବାର ବସିଥିବା  ଉଚ୍ଚସ୍ତରୀୟ କମିଟି ବୈଠକରେ ଏନେଇ ସୁପାରିସ ସହ ସରକାରଙ୍କ  ନିକଟକୁ ଅନୁମୋଦନ ଲାଭ ନିମନ୍ତେ ପଠାଯାଇଛି । ଏନେଇ  ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।  

ସେ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଯେତେବି ଶବ୍ଦାବଳି  ରହିଛି ଯେପରି ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ଧାମ, ମହାପ୍ରସାଦ, ପୁରୁଷୋତ୍ତମ  ଧାମ, ଶ୍ରୀମନ୍ଦିରର ଲୋଗୋ ପ୍ରଭୃତିକୁ ‘ପାଟେଣ୍ଟ’ କରିବାକୁ ସରକାରଙ୍କ  ନିକଟରେ ଆବେଦନ କରାଯିବ । ଏହାଦ୍ୱାରା ଶ୍ରୀମନ୍ଦିରରେ ବ୍ୟବହୃତ ମୂଳ  ତଥା ସ୍ୱତନ୍ତ୍ର ଶବ୍ଦଗୁଡ଼ିକ ସୁରକ୍ଷିତ ରହିବ । 

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି, ପୂଜା ପାର୍ବଣ  ସହ ଚାଲିଚଳଣୀ, ଉତ୍ସବ, ବାସନ, ଆସବାବପତ୍ର, ପୋଷାକ, ପୁଷ୍ପ ଅଳଙ୍କାର, ରତ୍ନ ଅଳଙ୍କାର, ବିଭିନ୍ନ ଦେଉଳର ନାମକରଣ ପ୍ରଭୃତିର  ସ୍ୱତନ୍ତ୍ରତା ରହିଛି । ଶ୍ରୀମନ୍ଦିର ପରମ୍ପରା, ସଂସ୍କୃତି ଓ ଐତିହ୍ୟକୁ ଏହା ରୁଦ୍ଧିମନ୍ତ କରିଆସୁଛି । ତତ୍କାଳୀନ ପରିସ୍ଥିତିରେ ଶ୍ରୀମନ୍ଦିର ସଂସ୍କୃତି,  ପରମ୍ପରା ଓ ଐତିହ୍ୟକୁ ଅପଭ୍ରଂଶ କରି ଅନେକ ଧାର୍ମିକ ସଂଗଠନ ନିଜ ରୂପ ଦେବାକୁ ଚେଷ୍ଟା କରୁଛନ୍ତି । 

ଇସ୍କନର ଅଦିନିଆ ରଥଯାତ୍ରା ହେଉ ବା ଦୀଘାରେ ‘ଜଗନ୍ନାଥ ଧାମ’  ନାମକରଣ କରାଯାଇ ଏହାକୁ ପ୍ରଚାର କରାଯିବା ଏହାର ଜ୍ୱଳନ୍ତ ଛବି । ଦେଶବିଦେଶରେ ଥିବା ବିଭିନ୍ନ ଧାର୍ମିକ ଅନୁଷ୍ଠାନମାନେ ନିଜ ମନ ମୁତାବକ  ଠାକୁର ପ୍ରତିଷ୍ଠା, ରଥ ତିଆରି, ଉତ୍ସବ ପ୍ରକରଣ, ପୂଜାପାଠ, ନୈବେଦ୍ୟ  ଅର୍ପଣ କରି ମୂଳପୀଠ ଶ୍ରୀମନ୍ଦିରର ସଂସ୍କୃତି, ପରମ୍ପରା, ଐତିହ୍ୟ ପ୍ରଭୃତିକୁ  ଅପଭ୍ରଂଶ କରୁଛନ୍ତି । ଏହାକୁ ରୋକିବା ଜରୁରି ହୋଇପଡ଼ିଛି । ଏହାକୁ  ଦୃଷ୍ଟିରେ ପ୍ରଶାସନ ଏଭଳି ପଦକ୍ଷେପ ନେଉଥିବା ଜଣାପଡ଼ିଛି ।