ଭୁବନେଶ୍ୱର,୨୩/୦୨: ରାଜ୍ୟରେ  ଅପରୂପ ପ୍ରାକୃତିକ ଶୋଭାରାଜି ସହ  ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି ।  ଓଡ଼ିଶାକୁ ପର୍ଯ୍ୟଟନର ଗନ୍ତବ୍ୟସ୍ଥଳ ଭାବେ ଗଢ଼ି  ତୋଳିବାକୁ ରାଜ୍ୟର ସରକାର ଏବେ ମିଶନ  ରଖି କାର୍ଯ୍ୟ କରୁଛନ୍ତି । ଏହି ଧାରାରେ ନୂଆ  ଡେଷ୍ଟିନେସନ ୱେଡିଂ ନୀତି ଆସିବ ବୋଲି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । 

୨୪ରୁ ୩ ଦିନ ବ୍ୟାପି ସ୍ଥାନିୟ ସ୍ୱସ୍ତି  ପ୍ରିମିୟମ ଏବଂ ମେ ଫେୟାରଠାରେ ରାଜ୍ୟ  ପର୍ଯ୍ୟଟନ ବିଭାଗ ପକ୍ଷରୁ ଶିଳ୍ପ ସଂଘ ଫିକି ସହଭାଗିତାରେ ଅନୁଷ୍ଠିତ ହେବାକୁ ଯାଉଛି  ୬ଷ୍ଠ ସଂସ୍କରଣ ଓଡ଼ିଶା ଟ୍ରାଭେଲ ବଜାର ।  ଏହି ଅବସରରେ ଅନୁଷ୍ଠିତ ସାମ୍ବାଦିକ  ସମ୍ମିଳନୀରେ ଶ୍ରୀମତି ପରିଡ଼ା କହିଲେ,  ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ତ୍ୱରାନ୍ୱିତ  କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏଦିଗରେ  ଓଡ଼ିଶା ଟ୍ରାଭେଲ ବଜାରକୁ ଏଥର ଆହୁରି  ଆକର୍ଷଣୀୟ କରାଯିବ । 

୨୪ ତାରିଖ ସଂଧ୍ୟାରେ ମେ ଫେୟାର  ଠାରେ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀ  ଗଜେନ୍ଦ୍ର ସିଂ ଶେଖାୱତ ଉଦ୍‌ଘାଟନ କରିବେ ।  ସେହିଭଳି ୨୫ ତାରିଖ ସକାଳେ ସ୍ୱସ୍ତି ପ୍ରିମିୟମ  ଠାରେ ଏ ନେଇ ଏକ୍ସପୋର ମଧ୍ୟ ଶୁଭାରମ୍ଭ  ହେବ । ଏଥର କାର୍ଯ୍ୟକ୍ରମରେ ଜିଲା ସ୍ତରରୁ  ହୋଟେଲ ଏବଂ ଟୁର ଅପରେଟର ମାନଙ୍କୁ  ସାମିଲ କରାଯାଇଛି । ଦେଶର ପ୍ରମୁଖ ୩୦  ସହରରୁ ୧୦୦ ଘରୋଇ ଟୁର ଅପରେଟର  ଏବଂ ବିଦେଶର ୩୦ରୁ ଊଦ୍ଧ୍ୱର୍ ଟୁର୍‌ ଅପରେଟର  ଯୋଗ ଦେବେ । ଅଷ୍ଟ୍ରେଲିଆ, ୟୁକେ, ଜର୍ମାନି,  ବେଲଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ,  ସିଙ୍ଗାପୁର ଭଳି ୧୭ ଦେଶ କାର୍ଯ୍ୟକ୍ରମରେ  ସାମିଲ ହେବେ । 

ଏଠାରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର  ସମେତ ଘରୋଇ ଟୁର ଅପରେଟର(ଡିଟିଓ)  ଓ ବିଦେଶୀ ଟୁର ଅପରେଟର (ଏଫ୍‌ଟିଓ) ର ୭୦ ସେଲରଙ୍କ ମଧ୍ୟରେ ବି୨ବି ବୈଠକ  ଅନୁଷ୍ଠିତ ହେବ । ଏଥି ସହିତ ସେଲର  ମାନେ ଭିତରକନିକା, ରଘୁରାଜପୁର, ପୁରୀକୋଣାର୍କ, ଡାଏମଣ୍ଡ ଟ୍ରାଏଙ୍ଗେଲ ଭଳି ରାଜ୍ୟର  ବିଭିନ୍ନ ପର୍ଯ୍ୟଟନ ସ୍ଥଳିକୁ ଯାତ୍ରା କରିବେ ।  

ଏହି କାର୍ଯ୍ୟକ୍ରମ ସମୟରେ ସେଲରଙ୍କ  ସହ ୩୦୦୦ ପୂର୍ବ ନିର୍ଦ୍ଧାରିତ ବୈଠକ ଧାର୍ଯ୍ୟ  କରାଯାଇଥିବା ବେଳେ ବିଜ୍‌ନେସ ଗୁଡିକର ସରକାରଙ୍କ ସହ ବୈଠକ ଏବଂ ଆଡଭେଞ୍ଚର  ୱାର୍କଶପ୍‌ ମଧ୍ୟ ଆୟୋଜନ କରାଯିବ ।ଟ୍ରାଭେଲ  ବଜାର ୨୦୨୫ ଦ୍ୱାରା ବିଶ୍ୱ ବଜାରର କ୍ରେତାଙ୍କ  ପାଇଁ ଓଡ଼ିଶାର ଗନ୍ତବ୍ୟସ୍ଥଳୀଗୁଡିକର ପ୍ରଚାର  ପ୍ରସାର ପାଇଁ ପ୍ଲାଟଫର୍ମ ସୃଷ୍ଟି କରିବା ଲକ୍ଷ୍ୟ  ରହିଛି ।  ଶ୍ରୀମତି ପରିଡା କହିଲେ, ଓଡ଼ିଶାରେ  ଡେଷ୍ଟିନେଶନ ୱେଡିଂ, ଟେମ୍ପଲ ୱେଡିଂର ବିପୁଳ  ସମ୍ଭାବନା ରହିଛି । ୱେଡିଂ ଓଡ଼ିଶା, ୱେଡିଂ  ଇଣ୍ଡିଆ ବ୍ୟାନରରେ ଡେଷ୍ଟିନେସନ ୱେଡିଂକୁ  ଉତ୍ସାହିତ କରିବା ଲାଗି ରାଜ୍ୟ ସରକାର ନୂଆ  ନୀତି ଆଣିବେ । ଏଥିରେ ନୂଆ ପ୍ରପର୍ଟି ବିକାଶ  ଏବଂ କନଭେନସନ ସେଣ୍ଟର ଗୁଡିକ ଆସିବାକୁ  ଯାଉଛି । ରାଜ୍ୟରେ ଦୁଃସାହସିକ ଟୁରିଜିମ ଲାଗି  ୩୫ ଜଣିଆ ବିଶେଷଜ୍ଞ ଟିମ୍‌ ରାଜ୍ୟର ଟୁର୍‌  କରିବା ସହ ଏହି ନୀତି ଆଣିବା ଲାଗି ବିଭିନ୍ନ  ପରାମର୍ଶ ଦେବେ । ସେହିଭଳି ଓଡ଼ିଶା ହୋମ୍‌  ଷ୍ଟେ ନୀତି ଉପରେ ଏବେ ରାଜ୍ୟ ସରକାର  କାମ କରୁଛନ୍ତି । 

କେନ୍ଦ୍ର ସରକାର ଓଡ଼ିଶାରେ ପର୍ଯ୍ୟଟନ  ବିକାଶ ଲାଗି ପ୍ରାଥମିକତା ଦେଇଛନ୍ତି ।  ଏଥର ହୀରାକୁଦ ଏବଂ ସାତକୋଶିଆରେ  ରିଭରଫ୍ରଣ୍ଟ ପର୍ଯ୍ୟଟନ ବିକାଶ ପାଇଁ ୧୦୦  କୋଟି ଲେଖାଏ ଅର୍ଥ ବିନିଯୋଗ ହେବ ।  ଏହାବାଦ ମାଇସ, ଆଗ୍ରୋ ସହ ରାଜ୍ୟର  ଖାଦ୍ୟ ସଂସ୍କୃତିକୁ ନେଇ ପର୍ଯ୍ୟଟନକୁ ଆକୃଷ୍ଟ  କରିବା ଦିଗରେ ପଦକ୍ଷେପ ମଧ୍ୟ ଆସିବାକୁ  ଯାଉଛି । କୋରାପୁଟରେ ଜନଜାତି ପର୍ଯ୍ୟଟନକୁ  ଉତ୍ସାହିତ କରିବା ଲାଗି ଟ୍ରାଇବାଲ ମ୍ୟୁଜିୟମ  ମଧ୍ୟ ସ୍ଥାପନ ହେବାକୁ ଯାଉଛି । ଅନ୍ୟ ପକ୍ଷରେ  ବିଦେଶୀ ପର୍ଯ୍ୟଟକଙ୍କୁ ରାଜ୍ୟକୁ ଆକୃଷ୍ଟ କରିବା  କରାଯିବ । ଏବେ ଇକୋ ରିଟ୍ରିଟ୍‌କରେ ବୁକିଂ  ୭୫% ସ୍ତରରେ ରହିଥିବା ଶ୍ରୀମତି ପରିଡା  ଉଲ୍ଲେଖ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ  ପର୍ଯ୍ୟଟନ ସଚିବ ବଲ୍‌ୱନ୍ତ ସିଂ ଏବଂ ନିର୍ଦ୍ଦେଶକ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।