ଭୁବନେଶ୍ୱର,୧୩/୦୪: ଓଡ଼ିଶାରେ ଲାଗୁହେଲା  ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ।  ଶନିବାର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ନିକଟରେ ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ  (ସଂଶୋଧନ) ବିଧେୟକ-୨୦୨୪କୁ ସ୍ୱୀକୃତି ପ୍ରଦାନ କରିବା  ପରେ ଏହା ସରକାରୀ ଭାବେ ଲାଗୁ କରାଯାଇଛି ।  

ଗତ ୨ ତାରିଖରେ ବିଧାନସଭାରେ ରାତିତମାମ  ଆଲୋଚନା ହେବା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ  (ସଂଶୋଧନ) ବିଧେୟକ ବିଧାନସଭାରେ ପାରିତ ହୋଇଥିଲା । ଏହି ଅଧିନିୟମ ଲାଗୁ ହେବା  ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟପାଳ  ଡ. କମ୍ଭମପତିଙ୍କୁ ଧନ୍ୟବାଦ ଜଣାଇବା ସହ ଉଚ୍ଚଶିକ୍ଷା  କ୍ଷେତ୍ରରେ ନୂତନ ସୂର୍ଯ୍ୟୋଦୟ ହୋଇଛି ବୋଲି କହିଛନ୍ତି ।  

ସେ କହିଛନ୍ତି, ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ  ସମସ୍ୟାର ସମାଧାନ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ  ବୈପ୍ଳବିକ ପରିବର୍ତ୍ତନ ଆଣି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ  ସୁଦୃଢ଼ କରିବା ନିମନ୍ତେ ଏହି ବିଧେୟକ ଗୁରୁତ୍ୱପୂର୍ଣ୍ଣ ।  ଏହି ଅଧିନିୟମ ଦ୍ୱାରା ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ସୁନିଶ୍ଚିତ ହେବା ସହିତ ଅଧ୍ୟାପକ ନିଯୁକ୍ତି  ପ୍ରକ୍ରିୟାକୁ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ  ସରଳୀକରଣ ଓ ତ୍ୱରାନ୍ୱିତ କରାଯାଇ ପାରିବ । ବିଶ୍ୱବିଦ୍ୟାଳୟରେ ସିନେଟ୍‌ର ପୁନଃ-ଅନ୍ତର୍ଭୁକ୍ତୀକରଣ  କରାଯିବ । ପ୍ରତି ବର୍ଷ ଦୁଇଥର ସିନେଟ୍‌ ବୈଠକ ଅନୁଷ୍ଠିତ  ହେବ। ଏଥିସହ ସିନେଟରେ ସର୍ବମୋଟ ୬୮ଜଣ  ସଦସ୍ୟ ରହିବାର ବ୍ୟବସ୍ଥା ଥିବାବେଳେ ଅତିକମ୍‌ରେ  ୩୭ଜଣ ସଦସ୍ୟ  ଶିକ୍ଷକ, ଶିକ୍ଷାବିତ୍‌ ଓ ଛାତ୍ରସମାଜ ପ୍ରତିନିଧି ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି ।  

ସେହିପରି ଅଧ୍ୟାପକ ଓ କୁଳପତି ଚୟନରେ  ସରକାରୀ ହସ୍ତକ୍ଷେପ ହ୍ରାସ ପାଇବ । ଗୁଣାତ୍ମକ  ଉଚ୍ଚଶିକ୍ଷାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଓ ରାଜ୍ୟରେ  ନାମଲେଖା ଅନୁପାତ ବଢ଼ାଇବା ନିମନ୍ତେ ପ୍ରତ୍ୟେକ  ବିଶ୍ୱବିଦ୍ୟାଳୟରେ "ଦୂରଶିକ୍ଷା’ ବ୍ୟବସ୍ଥାକୁ ପ୍ରଣୟନ  କରାଯିବ ।ବିଶ୍ୱବିଦ୍ୟାଳୟର ଆର୍ଥିକ ପରିଚାଳନାର  ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଅର୍ଥ କମିଟି ଗଠନ  ହେବ । ଭିତ୍ତିଭୂମି ପ୍ରକଳ୍ପ ବିକାଶର ସମୀକ୍ଷା ଓ ଯାଞ୍ଚ  ନିମନ୍ତେ କୋଠାବାଡ଼ି ଓ ନିର୍ମାଣ କମିଟି ଗଠନର ପ୍ରସ୍ତାବ  ସହ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାପ୍ତ କିମ୍ବା ଅର୍ଜିତ ସମସ୍ତ  ଅର୍ଥରାଶି ଭାରତ ମହାଲେଖା ନିୟନ୍ତ୍ରକଙ୍କ ଦ୍ୱାରା ଅଡିଟ୍‌  କରାଯାଇ ତାହାର ବିବରଣୀ ଓଡ଼ିଶା ବିଧାନସଭାରେ  ଉପସ୍ଥାପନ କରାଯିବ । ଶିକ୍ଷାନୁଷ୍ଠାନମାନଙ୍କରେ ବିଶ୍ୱସ୍ତରୀୟ  ଗବେଷଣା ଓ ଶୈକ୍ଷିକ ଉତ୍କର୍ଷକୁ ପ୍ରୋତ୍ସାହନ ଦେବା  ସହିତ ଜ୍ଞାନଭିତ୍ତିକ ଅର୍ଥନୀତିର ଅଭିବୃଦ୍ଧିରେ ମଧ୍ୟ  ସହାୟକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।