କଟକ,୧୫/୦୫:  କଟକ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟରେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ କରି ଅଧକୋଟିରୁ ଅଧିକ ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ପିଅନ ସୁବାସ ଚନ୍ଦ୍ର ସାହୁ ବନ୍ଧା ହୋଇଛନ୍ତି । କଟକ ଡିଇଓଙ୍କ କାର୍ଯ୍ୟାଳୟରେ କାମ କରୁଥିବା ସମୟରେ ୫୧ ଲକ୍ଷ ୫୩ହଜାର ୬୪୦ ଟଙ୍କା ଅନିୟମିତତା ଘଟଣାରେ ଭିଜିଲାନ୍ସ ସୁବାସଙ୍କୁ ଗିରଫ କରିଛି । ୨୦୧୮ ଡିସେମ୍ବର ୩୧ ରୁ ୨୦୨୧ ଅକ୍ଟୋବର ୧୬ତାରିଖ ମଧ୍ୟରେ ନକଲି ଶିକ୍ଷକ ଆକାଉଣ୍ଟ ତିଆରି କରାଯାଇ ଅଧକୋଟିରୁ ଅଧିକ ଟଙ୍କା ଆତ୍ମସାତ୍ ହୋଇଥିବା ଭିଜିଲାନ୍ସ ତଦନ୍ତ ସମୟରେ ଜାଣିବାକୁ ପାଇଛି । ସୁବାସ ବନ୍ଧା ହେବା ପରେ ଏବେ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ଅନ୍ୟ ଅଧିକାରୀମାନେ ଛାନିଆ ହୋଇଯାଇଛନ୍ତି ।

ଘଟଣାକ୍ରମ ଅନୁସାରେ, ୨୦୧୮ ରୁ ୨୦୨୧ ମଧ୍ୟରେ ଡିଇଓଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଅନୁଦାନ ରାଶି ଆସିଥିଲା । କାର୍ଯ୍ୟାଳୟର କିଛି ଅଧିକାରୀ ଓ କର୍ମଚାରୀ ମିଶି ଏହାକୁ ବାଟମାରଣା କରିବାକୁ ଯୋଜନା କରିଥିଲେ । କରିତ୍କର୍ମୀ ଚତୁର୍ଥଶ୍ରେଣୀ କର୍ମଚାରୀ ସୁବାସ ଚନ୍ଦ୍ର ସାହୁ ଏଥିରେ ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କରି ମାଧ୍ୟମରେ ଚାରିଟି ନକଲି ଆକାଉଣ୍ଟ ବ୍ୟାଙ୍କରେ ଖୋଲାଯାଇଥିଲା । ପ୍ରକାଶ ଚନ୍ଦ୍ର ମିଶ୍ର, ପ୍ରତାପ ଚନ୍ଦ୍ର ରଣାଙ୍କ ଭଳି କିଛି ଛଦ୍ମ ନାମରେ ଆକାଉଣ୍ଟ କରାଯାଇଥିଲା । ଟଙ୍କା ନକଲି ଆକାଉଣ୍ଟକୁ ଯିବା ପରେ ଏହି ଆକାଉଣ୍ଟରୁ ସମ୍ପୃକ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଜ ଆକାଉଣ୍ଟକୁ ସବୁତକ ଟଙ୍କା ଟ୍ରାନ୍ସଫର୍ କରିନେଇଥିଲେ ।

ଗୁରୁତ୍ୱପୂର୍ଣ୍ଣ ହେଲା, ଏ ସବୁ ପ୍ରକ୍ରିୟା ସରକାରୀ ବିଧିବ୍ୟବସ୍ଥା ଓ ନୀତିନିୟମକୁ ଅନୁସରଣ କରି କରାଯାଇଥିଲା । ଯାହାଫଳରେ ଏଥିପ୍ରତି କାହାର ସନ୍ଦେହ ବି ହେବନାହିଁ । କିନ୍ତୁ ଏହାର ୫ମାସ ପରେ ଘଟଣା ଧରାପଡ଼ିଯାଇଥିଲା । ୨୦୨୧ ନଭେମ୍ବର ୨୦ ତାରିଖରେ ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଏ ବାବଦରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ ଚିଠି ଲେଖିଥିଲେ। ସରକାରୀ ଟଙ୍କା ହେରଫେର ହୋଇଥିବା ଦର୍ଶାଇ ଦେଣନେଣ (ଟ୍ରାଞ୍ଜାକସନ୍) ତାଲିକା ମାଗିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ତାଲିକା ଦେବାରେ ଜଣାପଡିଥିଲା ଯେ, ଯେଉଁ ଦିନ ଉପରୋକ୍ତ ଦୁଇ ଜାଲ୍ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା ସେହି ଦିନ ପିଅନ ଜଣକ ନିଜ ନାଁକୁ ଏହି ଟଙ୍କା ଟ୍ରାନ୍ସଫର୍ କରିନେଇଥିଲେ । ଯାହାଫଳରେ ଡିଇଓ ଶ୍ରୀ ବେହେରାଙ୍କ ତରଫରୁ ସମ୍ପୃକ୍ତ ପିଅନଙ୍କୁ ନୋଟିସ୍ ଜାରି କରାଯାଇଥିଲା ।

ଅଧିକ ପଢ଼ନ୍ତୁ :-  Unique Marriage: ରୋଶଣି କରି ବର ଘରକୁ ଗଲା କନିଆଁ, ଯଉତୁକ ଦେଇ ପୁଅକୁ ବିଦାୟ ଦେଲେ ପରିବାର...

ଅନ୍ୟପକ୍ଷରେ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିବାର କିଛି ଦିନ ଭିତରେ ପିଅନ ଜଣକ ଏହାର ଭାଗବାଣ୍ଟ କରିଥିଲେ । କାହାକୁ ଫ୍ଲାଇଟ୍ ଟିକେଟ୍ ତ ଆଉ କାହାକୁ ଅନ୍ୟ ଉପହାର ଦେଇଥିଲେ । ଭାଗବଣ୍ଟାର ସମ୍ପୂର୍ଣ୍ଣ ଚିଠା ଡିଇଓଙ୍କ ନିକଟରେ ସୁବାସ ଦାଖଲ କରିଥିଲେ । ଏଥିରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ସିଧାସଳଖ ରହିଥିବାରୁ ତଦନ୍ତ ଚପିଗଲା । ପୂର୍ବତନ ଡିଇଓଙ୍କ ବଦଳି ପରେ ନୂଆ ଡିଇଓ ଏ ଫାଇଲ୍ ଘଣ୍ଟା ଚକଟା କରିଥିଲେ । କିନ୍ତୁ କିଛି ଦିନର ତଦନ୍ତ ପରେ ଏ ଫାଇଲ୍ ବି ବନ୍ଦ ହେଇଗଲା । ପ୍ରାୟ ୪ବର୍ଷ ପରେ ଡିଇଓ କାର୍ଯ୍ୟାଳୟର ଏ ଗଫଲତି ଖବର ‘ପ୍ରମେୟ’ରେ ପ୍ରକାଶ ପାଇଥିଲା । ଏହାପରେ ତଦନ୍ତ ଆରମ୍ଭ କରାଯାଇ ଏଥିରେ ସାମିଲ୍ କିଛି କର୍ମଚାରୀଙ୍କୁ ଲୋକ ଦେଖାଣିଆ ବଦଳି କରାଯାଇଥିଲା ।

ଏବେ ଦୀର୍ଘ ବର୍ଷ ପରେ ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଗତକାଲି ଭିଜିଲାନ୍ସ ଡିଏସ୍ପି ଡିଇଓ କାର୍ଯ୍ୟାଳୟରେ ପହଞ୍ଚି କାଗଜପତ୍ର ହାସଲ କରିଥିଲେ । ଆଜି ଘଟଣାରେ ସୁବାସଙ୍କୁ ଗିରଫ କରାଯାଇଛି । ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସୁବାସଙ୍କୁ ଅଧିକ ପଚରାଉଚରା କରାଯିବା ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ । କିଛି ଅଧିକାରୀ, କର୍ମଚାରୀ ଏଥିରେ ସିଧାସଳଖ ସମ୍ପୃକ୍ତ ରହିଛନ୍ତି । ଯେଉଁମାନେ ସୁବାସଙ୍କ ଜରିଆରେ ବିମାନ ଟିକେଟ୍ ଠାରୁ ଆରମ୍ଭ କରି ଦାମୀ ଉପହାର ମଧ୍ୟ ନେଇଛନ୍ତି । ଏ ସବୁର ପ୍ରମାଣ ସୁବାସଙ୍କ ପାଖରେ ରହିଥିବା ବେଳେ ଖୁବ୍ ଶୀଘ୍ର କିଛି ଅଧିକାରୀ ଭିଜିଲାନ୍ସ ଜାଲରେ ଫସିବେ ବୋଲି ଆଶଙ୍କା କରାଯାଉଛି ।