ଭୁବନେଶ୍ୱର,୧୭/୦୬; ମୌସୁମୀ ଆସିଲା । ରଜ ସରିଲା । ଧାନ ବୁଣିବାକୁ ଚାଷୀ ଅନେଇ ବସିଛି । କେବେ ଚାଷ ଜମି ଭିଜିବ, ମାଟି ବତର ହେବ ? ପୁଣି କେବେ ଧାନ ବୁଣାବୁଣି କାମ ଆଗେଇବ ? ମାଟି ଶୁଖିଲା । ଡହଡହ ଖରା । ଆକାଶରେ ବାଦଲ ଖଣ୍ଡ ବି ଦେଖାଯାଉନି । ଆସିଲେ ବି ଠାଏ ଠାଏ ବରଷୁଛି । ବାକି ଅଞ୍ଚଳ ଶୁଖିଲା, ତତଲା । ମୌସୁମୀର ଏ ବିଚିତ୍ର ରୂପରେ ସ୍ଥିତି ଗୁରୁତର ହେବାକୁ ବସିଲାଣି । ରାଜ୍ୟରେ ଜୁନ୍ ପହିଲାରୁ ଏବେ ଯାଏ ୪୪% ବର୍ଷା ନିଅଣ୍ଟିଆ ରହିଛି ।
କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ଯେଉଁ ସ୍ଥିତି ରହିଛି, ସେଥିରେ ବିଶେଷ ପରିବର୍ତ୍ତନ ଦେଖାଯାଉନି । ଆସନ୍ତା ୧୯/୨୦ ତାରିଖବେଳକୁ କିଛି ବର୍ଷା ହୋଇପାରେ । ସମ୍ଭବତଃ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ପ୍ରଭାବରେ । ମାତ୍ର ତାହା ବି ଦୁର୍ବଳ ରହିପାରେ । ବର୍ଷା ହେଲେ ସ୍ୱଳ୍ପରୁ ମଧ୍ୟମ ଧରଣର ରହିବ । ଯଦି ୧୯/୨୦ ତାରିଖବେଳକୁ ବର୍ଷା ନ ହେବ, ତେବେ ସ୍ଥିତି ଆହୁରି ବିଗିଡ଼ିବ । କାରଣ ତା’ପରେ ୭/୮ ଦିନ ପର୍ଯ୍ୟନ୍ତ ବର୍ଷା ବଢ଼ିବା ସମ୍ଭାବନା କମ୍ । ଯଦି ହେବ, ୨୭- ୨୮ ତାରିଖବେଳକୁ ହୋଇପାରେ । ପ୍ରଫେସର ପଶୁପାଳକଙ୍କ କହିବାନୁସାରେ ବର୍ଷା ହେବା ପାଇଁ ଜଳୀୟବାଷ୍ପ ପ୍ରବଳ ମାତ୍ରାରେ ଅଛି । କିନ୍ତୁ, ତାହା ବାୟୁମଣ୍ଡଳ ଉପରିଭାଗକୁ ଉଠିପାରୁନି । ତେଣୁ ମେଘ ବାଦଲ ଖଣ୍ଡ ସଂଗଠିତ ହୋଇପାରୁନି । ମୌସୁମୀ ଟ୍ରଫ୍ କିମ୍ବା ଲଘୁଚାପ ମଧ୍ୟ ସୃଷ୍ଟି ହେଉନି । ତେଣୁ ବର୍ଷା ନାହିଁ । ଅପେକ୍ଷା ୨୦ ଯାଏଁ ।
ଜୁନ୍ରେ ମୌସୁମୀ ଆଗମନ ପରେ ବର୍ଷା ନଥିବାରୁ ଚାଷ କାମ ଆଗକୁ ବଢ଼ୁନି । ବିଲରେ ବିହନ ବୁଣାବୁଣି କାମ ଅଟକି ରହିଛି । ଆଉ କେତେକ ବିଶେଷଜ୍ଞଙ୍କ କହିବାନୁସାରେ ଚଳିତବର୍ଷ ମୌସୁମୀର ଉଭୟ ପାଶ୍ୱର୍ ଶାଖା ଦୁର୍ବଳ । ଆରବ ସାଗର ଓ ବଙ୍ଗୋପସାଗର ଶାଖା ଦୁର୍ବଳ ଥିବାରୁ ମୌସୁମୀ ସକ୍ରିୟ ହୋଇପାରୁନି । ବର୍ତ୍ତମାନ ପ୍ରଭାବୀ ଲଘୁଚାପ ସୃଷ୍ଟି ହେବା ନେଇ ସ୍ପଷ୍ଟ ଭାବେ କହି ହେବନି । ତେଣୁ ୨୦ ତାରିଖ ପରେ ହିଁ ବର୍ଷା ବଢ଼ିପରରେ । ମାତ୍ର ଲଗାଣ ବର୍ଷା ହେଲା ଭଳି ସମ୍ଭାବନା ଦେଖାଯାଉନି । ଭୁବନେଶ୍ୱର ପାଣିପାଗ ବିଭାଗ ଅନୁସାରେ ମୌସୁମୀ ଆଗକୁ ବଢ଼ି ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ର ଅଳ୍ପ ଅଂଶ, କୋରାପୁଟର କିଛି ଅଞ୍ଚଳ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଦେବଗଡ଼ ଅଧିକାଂଶ ଅଞ୍ଚଳ ଛୁଇଁଛି । ୪-୫ ଦିନରେ ପୂରା ରାଜ୍ୟକୁ ବ୍ୟାପିଯାରେ । ଅପରପକ୍ଷରେ ରାଜ୍ୟରେ ଗରମ ପ୍ରକୋପ ଜାରି ରହିଛି । ବୌଦ୍ଧ ପୁଣି ସବୁଠୁ ଉତ୍ତପ୍ତ ସହର ପାଲଟିଛି, ତାପମାତ୍ରା ୪୨.୬ ଡିଗ୍ରୀ ସେଲସିୟସ୍ ଥିଲା ମଙ୍ଗଳବାର । ହୀରାକୁଦ ୪୨, ସୋନପୁର ୪୧.୮, ସମ୍ବଲପୁର ୪୧.୨, ଟିଟିଲାଗଡ଼ ୪୧, ଝାରସୁଗୁଡ଼ା ୪୦.୮, ବଲାଙ୍ଗୀର ୪୦.୩ ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା ୩୯.୨ ଡିଗ୍ରୀ ଥିବାବେଳେ ନୂଆପଡ଼ା ୩୯.୬, ଖୋର୍ଦ୍ଧା ୩୯, ଭବାନୀପାଟଣା ୩୯.୫ ଡିଗ୍ରୀ ଥିଲା । ଆର୍ଦ୍ରତା ପରିମାଣ ଅଧିକ ଥିବାରୁ ଗୁଳୁଗୁଳି ବି ଭୀଷଣ ନାକେଦମ କରୁଛି ।
୨୦ ଯାଏଁ ରାଜ୍ୟର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ଉପକୂଳରେ ଗରମ, ଗୁଳୁଗୁଳି ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଛି । ମଙ୍ଗଳବାର ସକାଳରୁ ସନ୍ଧ୍ୟା ଭିତରେ ରାଉରକେଲାରେ ୪୦.୮ ମିଲିମିଟର ବର୍ଷା ହୋଇଥିବାବେଳେ ବାରିପଦାରେ ୨୬.୪, ଢେଙ୍କାନାଳ ୧୫.୨, ଭଦ୍ରକରେ ୧୪.୬ ମିମି ବର୍ଷା ହୋଇଥିଲା । ଭୁବନେଶ୍ୱରରେ ଅପରାହ୍ନରେ କଳାହାଣ୍ଡିଆ ମେଘ ଆସିଲା । ମାତ୍ର ବାଦଲ ଉଡ଼ିଗଲା । ଜୁନ୍ ପହିଲାରୁ ୧୬ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୮୩ ମିମି ବର୍ଷା ହେବା କଥା । ହୋଇଛି ମାତ୍ର ୪୬.୬ ମିମି । ଢେଙ୍କାନାଳକୁ ଛାଡ଼ିଦେଲେ ବିଶେଷ ବର୍ଷା କୌଣସି ଜିଲ୍ଲାରେ ନାହିଁ । ପୂରା ପଶ୍ଚିମ ଓଡ଼ିଶା ଶୁଖିଲା ପଡ଼ିଛି । ୬୨% ରୁ ୮୭% ପର୍ଯ୍ୟନ୍ତ ନିଅଣ୍ଟିଆ ସ୍ଥିତି ପଶ୍ଚିମରେ । ଦକ୍ଷିଣରେ ବି ୩୦%ରୁ ୬୦% ଯାଏଁ ନିଅଣ୍ଟିଆ ।