ଭୁବନେଶ୍ୱର, ୨୨।୨: ଓଡ଼ିଶାରେ ବଢ଼ିବ ଚିଙ୍ଗୁଡ଼ି ଉତ୍ପାଦନ । ଏ ଦିଗରେ ସହାୟକ ହେବ ଓଡ଼ିଶା ଚିଙ୍ଗୁଡ଼ି ମିଶନ । ଓଡ଼ିଶା ଚିଙ୍ଗୁଡ଼ି ମିଶନରେ ୧୦,୦୦୦ ହେକ୍ଟରରୁ ଅଧିକ ଜମିରେ ହେବ ଚିଙ୍ଗୁଡ଼ି ଚାଷ । ଚିଙ୍ଗୁଡ଼ି ରପ୍ତାନିକୁ ବାର୍ଷିକ ୨ ଲକ୍ଷ ଟନ୍ ବୃଦ୍ଧି କରାଯିବ, ଯାହାଫଳରେ ବାର୍ଷିକ ୧୨,୦୦୦ କୋଟି ଟଙ୍କା ଆୟ ହୋଇପାରିବ । ଚିଙ୍ଗୁଡ଼ି ରପ୍ତାନି ସେଲ୍ ବି ପ୍ରତିଷ୍ଠା ହେବ । ଏହି ମିଶନରେ ୨ଲକ୍ଷରୁ ଅଧିକ ଚାଷୀଙ୍କୁ ତାଲିମ ଓ ଆୟ କରିବାର ସୁଯୋଗ ମିଳିବ । ଫଳରେ ନିଯୁକ୍ତି ବୃଦ୍ଧି ପାଇବ, ବେକାରୀ ସମସ୍ୟା ଦୂର ହେବ । ଶନିବାର ଏଭଳି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ରାଜ୍ୟ ସରକାର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପାଇଁ ୨୦୧୯ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସାମୁଦ୍ରିକ ମାଛ ମିଶନ ଅନ୍ତର୍ଗତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧୫୦ଟି ନୂତନ ଗଭୀର ସମୁଦ୍ର ମାଛଧରା ଜାହାଜ ନିର୍ମାଣ ଏବଂ ୫୦୦ଟି ଯାନ୍ତ୍ରିକ ଡଙ୍ଗାକୁ ଉନ୍ନତ କରାଯିବ ।

ଏହା ବି ପଢ଼ନ୍ତୁ... ​​​​​​​ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଉର୍ଦ୍ଧ୍ୱ ଦୋକାନ

ଆଧୁନିକ ମାଛ ବଜାରର ବିକାଶ ସହିତ ପାରାଦୀପ, ଧାମରା, ଚାନ୍ଦିପୁର ଏବଂ ଅସ୍ତରଙ୍ଗ ବନ୍ଦରର ଆଧୁନିକୀକରଣ ହେବ । ବାର୍ଷିକ ୧ ଲକ୍ଷ ମେଟ୍ରିକ ଟନ୍ ସାମୁଦ୍ରିକ ମାଛ ଉତ୍ପାଦନ ବୃଦ୍ଧି ଆଶା କରାଯାଉଛି । ମାଛ ଚାଷ ପାଇଁ ନୂତନ ପୋଖରୀ ଖନନ ଯୋଜନା କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ରାଜ୍ୟ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ୧୫୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରାଣୀସଂପଦ ବିକାଶ ଏବଂ କୃଷକଙ୍କୁ ସହାୟତା କରିବା ପାଇଁ ପ୍ରାଣୀ ସମୃଦ୍ଧି ଯୋଜନା ପାଇଁ ୧୮୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ନିଦାନ, ପ୍ରତିଷେଧକ ଏବଂ ପ୍ରାଣୀମାନଙ୍କ ଯତ୍ନ ପାଇଁ ଗୋମାତା ଯୋଜନାରେ ୫୭ କୋଟି ଟଙ୍କା ଖର୍ଚ୍ଚ ହେବ । ଫୁଲନଖରାରେ ହେବାକୁ ଥିବା ୨୪ଘଣ୍ଟିଆ ରେଫରାଲ ପ୍ରାଣୀ ଚିକିତ୍ସାଳୟରେ ୧୦୦ ଆଇପିଡି ଏବଂ ୩୦୦ ଓପିଡି ପ୍ରାଣୀଙ୍କୁ ଚିକିତ୍ସା କରାଯାଇପାରିବ । ୨୦୪୭ ସୁଦ୍ଧା ବାର୍ଷିକ ୧ହଜାର ୭ ଶହ କୋଟି ଅଣ୍ଡା, ଦିନକୁ ୨ ଶହ ୭୪ ଲକ୍ଷ ଲିଟର ଦୁଗ୍ଧ ଏବଂ ୮ ଲକ୍ଷ ମେଟ୍ରିକ ଟନ ମାଂସ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ମନ୍ତ୍ରୀ ଗୋକୁଳାନନ୍ଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ।