ଭୁବନେଶ୍ୱର,୨୫/୦୧: ବିଶ୍ୱ ଐତିହ୍ୟ ତାଲିକାରେ ଯୋଡ଼ିହେବା ପାଇଁ ଓଡ଼ିଶାର ହୀରକ ତ୍ରିଭୁଜ ତଥା ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ସର୍କିଟ୍ ଭିତରୁ ଅନ୍ୟତମ ରତ୍ନଗିରି, ଲଳିତଗିରି ଓ ଉଦୟଗିରି ୟୁନେସ୍କୋର ପ୍ରୟୋଗାତ୍ମକ ଐତିହ୍ୟ ତାଲିକାଭୁକ୍ତ ହୋଇଛି । ୟୁନେସ୍କୋର ନିର୍ଦ୍ଦେଶକ ଲାଜାରେ ଇଲୋଣ୍ଡୋଭ ଆସୋମୋ ଏହାର ଭାରତୀୟ ସ୍ଥାୟୀ ସଦସ୍ୟ ତଥା ଆମ୍ବାସାଡର ବିଶାଲ ଭି ଶର୍ମାଙ୍କୁ ଗତ ୨୧ ତାରିଖରେ ଏକ ପତ୍ର ଲେଖି ଏହି ସମ୍ମାନଜନକ ସ୍ୱୀକୃତି ସଂକ୍ରାନ୍ତ ଅନୁମୋଦନ ପଠାଇଛନ୍ତି ।

ଦେଶର ପୂର୍ବ ଭାଗରେ ଅବସ୍ଥିତ ଏହି ପ୍ରମୁଖ ତିନି ବୌଦ୍ଧପୀଠକୁ ୟୁନେସ୍କୋର ଐତିହ୍ୟ ତାଲିକାଭୁକ୍ତ କରିବା ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ୮ ମାସ ତଳେ ବିଧିବଦ୍ଧ ଭାବରେ ଆବେଦନ କରିଥିଲେ । ଏଥିପାଇଁ ଉଦ୍ଦିଷ୍ଟ ଆବେଦନପତ୍ର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର, ଫଟୋଚିତ୍ର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦସ୍ତାବିଜ ଦାଖଲ କରାଯାଇଥିଲା । ଏହାକୁ ପୁଙ୍ଖାନୁପୁଙ୍ଖ ଭାବେ ଏବଂ ଆବଶ୍ୟକ ମାର୍ଗଦର୍ଶିକା ସହିତ ଅନୁଧ୍ୟାନ ପରେ ଭାରତର ପ୍ରୟୋଗାତ୍ମକ ତାଲିକାରେ ସାମିଲ କରାଯାଇଥିବା ୟୁନେସ୍କୋ ନିର୍ଦ୍ଦେଶକ ଅବଗତ କରାଇଛନ୍ତି ।

ଏହା ଆମ ରାଜ୍ୟ ତଥା ଆମ ସଂସ୍କୃତି ଓ ଐତିହ୍ୟ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଓଡ଼ିଶା ପର୍ଯ୍ୟଟନ ବିଭାଗ କହିଛି, ଓଡ଼ିଶାର ହୀରକ ତ୍ରିଭୁଜ ପାଇଁ ଏହା ଏକ ଐତିହାସିକ ମାଇଲଖୁଣ୍ଟ । ଏହି ସଫଳତା ଗବେଷଣା, ସଂରକ୍ଷଣ ଓ ଦୀର୍ଘକାଳୀନ ପର୍ଯ୍ୟଟନ ଦୃଷ୍ଟିକୋଣରେ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ବୌଦ୍ଧ ଐତିହ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ରାଜ୍ୟର ବୌଦ୍ଧ ଐତିହ୍ୟ ଓ ସାଂସ୍କୃତିକ ମହତ୍ତ୍ୱକୁ ବିଶ୍ୱ ମଞ୍ଚରେ ନୂଆ ପରିଚୟ ଦେଇଛି ।

ରତ୍ନଗିରି ଓ ଉଦୟଗିରି ଯାଜପୁର ଜିଲ୍ଲାରେ ଏବଂ ଲଳିତଗିରି କଟକ ଜିଲ୍ଲାରେ ରହିଛି । ଏହି ୩ଟି ବୌଦ୍ଧପୀଠରେ ପ୍ରତ୍ନତାତ୍ତ୍ୱିକ ଖନନରୁ ପୁରାତନ ବୌଦ୍ଧ ମହାବିହାର, ବିଶାଳକାୟ ମହାସ୍ତୂପ, ଚୈତ୍ୟଗୃହ ସ୍ତୂପ, ପ୍ରାଚୀନ ବୌଦ୍ଧ ବିଶ୍ୱବିଦ୍ୟାଳୟ, ବହୁ ମନୋରମ ବୌଦ୍ଧ ମୂର୍ତ୍ତି, ଅନେକ ଶିଳା ଖୋଦିତ ଅଭିଲେଖ ଏବଂ ଦୁର୍ମୂଲ୍ୟ କୀର୍ତ୍ତିରାଜି ମିଳିଛି ।