ବଲାଙ୍ଗିର, ୨୮/୦୪: ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ପୁଣିଥରେ ଓଡ଼ିଆ ପୁଅ ପ୍ରଥମସ୍ଥାନ  ଅକ୍ତିଆର କରିଛନ୍ତି । ଏଥର ସର୍ବଭାରତୀୟ ନିଟ୍‌ ଏସ୍‌ଏସ୍‌ (ସୁପର ସ୍ପେଶାଲିଟି ଏଣ୍ଟ୍ରାନ୍‌ସ ପରୀକ୍ଷା-୨୦୨୫)ରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିବାସୀ ୟଶ  ଜୈନ ପ୍ରଥମ ର‌୍ୟାଙ୍କ ହାସଲ କରିଛନ୍ତି ।    

କଣ୍ଟାବାଞ୍ଜି ନିବାସୀ ସୁନୀଲ ଜୈନ ଓ ମାତା  ପୂଜା ଜୈନଙ୍କ ପୁଅ ୟଶ । ସେ ମୁମ୍ବାଇର ପ୍ରତିଷ୍ଠିତ କେଇଏମ୍‌ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ରେ ୧୪୭ ର‌୍ୟାଙ୍କ (ନିଟ୍‌)ର  ଡିଗ୍ରୀ ହାସଲ କରିଥିଲେ । ଏହାପରେ ମହାରାଷ୍ଟ୍ର ନାଗପୁର ସରକାରୀ ମେଡିକାଲ  କଲେଜରେ ଜେନେରାଲ ସର୍ଜରୀ ବିଭାଗରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।  

ଗତ ମାର୍ଚ୍ଚ ୩୦ରେ ପରୀକ୍ଷା ଦେଇଥିଲେ । ପ୍ରତିବର୍ଷ ୧୫ରୁ ୨୦ହଜାର ପରୀକ୍ଷାର୍ଥୀ ଏଥିରେ ସାମିଲ ହୋଇଥାନ୍ତି । ସେଥିରେ ସେ ପ୍ରଥମ ର‌୍ୟାଙ୍କ ପାଇଥିବାରୁ ଖୁସିବ୍ୟକ୍ତ  କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି ।  ଶ୍ରୀ ଜୈନଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି, ସ୍ୱାସ୍ଥ୍ୟମନ୍ତ୍ରୀ  ଡା. ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିରୋଧୀ ଦଳ ନେତା  ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।