ନୂଆଦିଲ୍ଲୀ: ଏସୀୟ ବିକାଶ ବ୍ୟାଙ୍କ (ADB) ର ମୁଖ୍ୟ ଅର୍ଥଶାସ୍ତ୍ରୀ ଅଲବର୍ଟ ପାର୍କ ଏକ ବଡ଼ ଚେତାବନୀ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଆଗାମୀ ବର୍ଷ ଗୁଡ଼ିକରେ ଅଶୋଧିତ ତୈଳ (Crude Oil) ଦର ଅଧିକ ରହିବାର ଆଶଙ୍କା ରହିଛି। ମଧ୍ୟ-ପ୍ରାଚ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ଯୋଗୁଁ ଏଭଳି ସ୍ଥିତି ଉପୁଜିବ। ଏହା ଦ୍ୱାରା ଏକାଧାରରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇପାରେ ଏବଂ ଅନ୍ୟପଟେ ମୁଦ୍ରାସ୍ଫୀତି ବଢ଼ିବାର ଭୟ ରହିଛି।

ପାର୍କ କହିଛନ୍ତି ଯେ, "ତୈଳ ମୂଲ୍ୟରେ ବୃଦ୍ଧି ହେବାର ସମ୍ଭାବନା ଅଛି। ଆମର ନୂଆ ଆକଳନ ଅନୁଯାୟୀ, ୨୦୨୬ରେ ହାରାହାରି ମୂଲ୍ୟ ବ୍ୟାରେଲ ପିଛା ୯୬ ଡଲାର ରହିପାରେ। ସେହିପରି ୨୦୨୭ରେ ମଧ୍ୟ ଏହା ୮୦ ଡଲାର ଭଳି ଉଚ୍ଚ ସ୍ତରରେ ରହିବାର ସମ୍ଭାବନା ଅଛି। ତେଣୁ ଆମେ ମାନୁଛୁ ଯେ,ତୈଳ ଦର ଦୀର୍ଘ ସମୟ ଧରି ବୃଦ୍ଧି ପାଇ ରହିବ।"

ଅଲବର୍ଟ ପାର୍କଙ୍କ ଅନୁଯାୟୀ,

  • ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ୨୦୨୬-୨୭ରେ ଭାରତର ଜିଡିପି ଅଭିବୃଦ୍ଧି ୦.୬% ପର୍ଯ୍ୟନ୍ତ ହ୍ରାସ ପାଇପାରେ।
  • ଏହାଦ୍ୱାରା ଭାରତର ଆର୍ଥିକ ଅଭିବୃଦ୍ଧି କମି ୬.୩ ପ୍ରତିଶତକୁ ଖସି ଆସିବ।
  • ଏହା ସହିତ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ ମଧ୍ୟ ଦ୍ରୁତ ଗତିରେ ବଢ଼ିପାରେ।

ଏହା ପୂର୍ବରୁ ଏପ୍ରିଲ ମାସରେ ADB ଅନୁମାନ କରିଥିଲା ଯେ, ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ୬.୯% ଏବଂ ଆସନ୍ତା ଆର୍ଥିକ ବର୍ଷରେ ୭.୩% ହାରରେ ବୃଦ୍ଧି ପାଇବ। କିନ୍ତୁ ସଂଶୋଧିତ ଆକଳନ ଅନୁଯାୟୀ, ତୈଳ ଦର ଏହି ଅଭିବୃଦ୍ଧିରେ ବାଧା ସୃଷ୍ଟି କରି ପାରେ। ତଥାପି ପାର୍କ କହିଛନ୍ତି ଯେ, ଭାରତ ପରବର୍ତ୍ତୀ ବର୍ଷରେ ପୁଣି ଥରେ ଶକ୍ତିଶାଳୀ ଭାବେ ପ୍ରତ୍ୟାବର୍ତ୍ତନ କରିବ।

ଅର୍ଥଶାସ୍ତ୍ରୀଙ୍କ ଅନୁଯାୟୀ, ଭାରତରେ ମୁଦ୍ରାସ୍ଫୀତି ଚଳିତ ବର୍ଷ ୨.୪% ବୃଦ୍ଧି ପାଇ ୬.୯% ରେ ପହଞ୍ଚି ପାରେ। ଏହାର ମୁଖ୍ୟ କାରଣ ହେଉଛି ଭାରତ ଆମଦାନୀ ହେଉଥିବା ତୈଳ ଏବଂ ଗ୍ୟାସ୍ ଉପରେ ଅଧିକ ନିର୍ଭରଶୀଳ। ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ଉପରେ ଏହାର ପ୍ରଭାବ ସାମାନ୍ୟ ଅଧିକ ରହିବ।

ପାର୍କ 'ଅଲ୍ ନିନୋ'ର ସମ୍ଭାବ୍ୟ ପ୍ରଭାବ ଏବଂ ସାରର ବର୍ଦ୍ଧିତ ମୂଲ୍ୟକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କହିଛନ୍ତି ,ଭାରତରେ ଯେତେବେଳେ ଫସଲ ଖରାପ ହୁଏ, ସେତେବେଳେ ସମସ୍ୟା ବଢ଼ିଯାଏ। ବିଶ୍ୱ ଚାଉଳ ବଜାରରେ ଭାରତର ଏକ ବଡ଼ ଅଂଶ ରହିଛି, ତେଣୁ ଭାରତରେ ଯାହା ଘଟେ ତାହାର ପ୍ରଭାବ ଅନ୍ୟ ଦେଶ ଉପରେ ମଧ୍ୟ ପଡ଼େ

ସାର ମୂଲ୍ୟ ବୃଦ୍ଧି ଯୋଗୁଁ ଚାଷୀମାନେ ଏହାର ବ୍ୟବହାର କମାଇ ଦେଇପାରନ୍ତି, ଯାହା ଫସଲ ଅମଳ ହ୍ରାସ କରିବ ଏବଂ ବର୍ଷ ଶେଷ ଆଡ଼କୁ ଖାଦ୍ୟ ସାମଗ୍ରୀର ଅଭାବ ଦେଖା ଦେଇପାରେ।

ଆହୁରି ମଧ୍ୟ ପଢନ୍ତୁ : ଚିନ୍ତା ବଢାଉଛି ପଶ୍ଚିମ ଏସିଆ ସଙ୍କଟ : ରୋଷେଇ ଘରୁ ରନ୍‌ୱେ ଯାଏଁ ମହଙ୍ଗା ମାଡ଼ !