ଆଳି, ୨୪/୦୭: ମା’ଙ୍କ ବୟସ  ୮୩ ବର୍ଷ । ତାଙ୍କୁ ମିଳୁଛି ୩୫୦୦ ଟଙ୍କା ଭତ୍ତା । ପୁଅଙ୍କ ବୟସ ୮୨ ବର୍ଷ ।  ତାଙ୍କୁ ମଧ୍ୟ ମିଳୁଛି ୩୫୦୦ ଟଙ୍କା  ଭତ୍ତା । ମା’-ପୁଅ ଦୁହିଙ୍କ ବୟସରେ  ମାତ୍ର ବର୍ଷେ ତଫାତ୍‌ ଥିବା ବେଳେ  ଉଭୟଙ୍କୁ ମିଳୁଛି ସରକାରଙ୍କ ନୂତନ  ବର୍ଦ୍ଧିତ ଭତ୍ତା । ଏଭଳି ଅଜବ ଘଟଣା  ସମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା  ଆଳି ବ୍ଲକ୍‌ ଏକମାଣିଆ ପଞ୍ଚାୟତରେ ।  ଘଟଣା ପଦାକୁ ଆସିବା ପରେ ଆରମ୍ଭ  ହୋଇଛି ବିଭାଗୀୟ ଖୋଳତାଡ଼ । 

ପ୍ରାପ୍ତ ବିବରଣୀରୁ ପ୍ରକାଶ,  ରାଜ୍ୟରେ ନୂତନ ସରକାର ଆସିବା  ପରେ ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କ  ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ହୋଇଛି ।  ତଦନୁଯାୟୀ ଏକମାଣିଆ ପଞ୍ଚାୟତର  ବାଲି ଦେଈ (୮୩) ୩୫୦୦ ଟଙ୍କା ଭତ୍ତା  ପାଉଥିବା ବେଳେ ତାଙ୍କ ପୁଅ ଭରତ  ରାଉତ(୮୨)ଙ୍କୁ ମିଳୁଛି ୩୫୦୦ ଟଙ୍କା  ଭତ୍ତା । ମା’ଙ୍କ ବୟସ ୮୩ ହୋଇଥିବା  ବେଳେ ପୁଅଙ୍କ ବୟସ କିଭଳି ୮୨  ବର୍ଷ ହେଲା ବୋଲି ଏବେ ପ୍ରଶ୍ନ ଉଠିଛି ।  ପଞ୍ଚାୟତର ବହୁ ହିତାଧିକାରୀଙ୍କ ବୟସ  ୮୦ ଅତିକ୍ରମ କରିଥିଲେ ମଧ୍ୟ ସେମାନଙ୍କୁ  ଏଯାଏ ବର୍ଦ୍ଧିତ ଭତ୍ତା ମିଳୁନଥିବା  ବେଳେ କିଭଳି ମା’ ଓ ପୁଅଙ୍କ ବୟସ  ମାତ୍ର ଏକବର୍ଷ ବ୍ୟବଧାନ କରି ଭତ୍ତା  ଦିଆଗଲା, ତାହା ତଦନ୍ତ ଅପେକ୍ଷାରେ ।  

ଏହି ପଞ୍ଚାୟତର ହେମଲତା ବିଶ୍ୱାଳ  ନାମକ ବୃଦ୍ଧାଙ୍କ ବୟସ ୮୫ ହୋଇଥିବା  ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ ବର୍ଦ୍ଧିତ  ଭତ୍ତା ଏଯାଏ ଦିଆଯାଉନି । କିନ୍ତୁ ଭରତଙ୍କୁ  ଗତ ଜାନୁଆରୀ ମାସରୁ ୩୫୦୦ ଟଙ୍କା  ମିଳୁଛି । ଏଭଳି ଆହୁରି ଅନେକ  ହିତାଧିକାରୀ ବୟସ ଜାଲିଆତି କରି  ବର୍ଦ୍ଧିତ ଭତ୍ତା ହାତେଇଥିବା କୁହାଯାଉଛି ।  ଏ ନେଇ ସରପଞ୍ଚ ଅହଲ୍ୟା  ବେହେରାଙ୍କ ପ୍ରତିନିଧି ତଥା ତାଙ୍କ ସ୍ୱାମୀ  ପ୍ରମୋଦ ବିଶ୍ୱାଳ କହିଛନ୍ତି, ମା’ ଓ  ପୁଅ ଦୁହିଙ୍କୁ ବର୍ଦ୍ଧିତ ଭତ୍ତା ମିଳୁଥିଲା ।  ପୁଅଙ୍କ ବିରୋଧରେ ଅଭିଯୋଗ ଆସିବା  ପରେ ବ୍ଲକ୍‌ ପକ୍ଷରୁ ଚଳିତ ମାସରୁ  ଭତ୍ତା ବନ୍ଦ ହୋଇଛି । ପଞ୍ଚାୟତର  ୮ଜଣ ହିତାଧିକାରୀଙ୍କ ଭତ୍ତା ବୃଦ୍ଧି  କରାଯିବା ନିମନ୍ତେ ପ୍ରଶାସନକୁ ଅବଗତ  କରାଯାଇଛି । ଏନେଇ ଆଳି ବିଡିଓ  ଅବିନାଶ ବିଶ୍ୱଜିତ ସେଠୀ କହିଛନ୍ତି,  ଅଭିଯୋଗ ପରେ ଭରତ ରାଉତଙ୍କ ଭତ୍ତା  ବନ୍ଦ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।