ଭାପୁର, ୧/୯ : ଗଣେଶ ମୂର୍ତ୍ତି ଭସାଣି ବେଳେ ଗଣ୍ଡଗୋଳ। ବୁଝାସୁଝା କରିବାକୁ ଯାଇ ବଳି ପଡ଼ିଗଲେ ବୃଦ୍ଧ। ଆକ୍ରମଣ ପ୍ରତି ଆକ୍ରମଣରେ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା କରଡ଼ାପଲ୍ଲୀ ଗାଁରେ ରବିବାର ରାତିରେ ଭସାଣି ବେଳେ ଏଭଳି ଘଟଣା ଘଟିଛି। ଏନେଇ ଫତେଗଡ଼ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଡିଜେ ଗାଡି ଓ ଡ୍ରାଇଭର୍ଙ୍କୁ ଥାନାରେ ଅଟକ ରଖିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢାଉ ଚାଲିଛି।
ସୂଚନାନୁଯାୟୀ, ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ ପାଥପୁର ଗାଁରେ ଗଣେଶ ପୂଜା ଧୁମଧାମରେ ହୋଇଥିଲା। ରବିବାର ରାତିରେ ଗାଁର ଯୁବକମାନେ ଡିଜେ ବଜାଇ ଭସାଣି ସାରି ନିକଟସ୍ଥ କରଡ଼ାପଲ୍ଲୀ ଗ୍ରାମକୁ ରାତି ପ୍ରାୟ ୧୦ଟା ବେଳେ ଯାଇଥିଲେ। କରଡ଼ାପଲ୍ଲୀ ଗ୍ରାମରେ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ରଶ୍ମିରଞ୍ଜନ ସ୍ୱାଇଁଙ୍କ ସହ ପାଥପୁର ଗାଁର ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ରଶ୍ମିରଞ୍ଜନଙ୍କ ବାପା ହରିହର ସ୍ବାଇଁ(୬୨ ବର୍ଷ) ଗଣ୍ଡଗୋଳ ମଝିରେ ପଶି ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଆକ୍ରମଣ ପ୍ରତିଆକ୍ରମଣ ବେଳେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଭାପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଫତେଗଡ଼ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଡିଜେ ଗାଡି ଓ ଡ୍ରାଇଭର୍ଙ୍କୁ ଥାନାରେ ଅଟକ ରଖିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢାଉ ଚାଲିଛି।

ସେପଟେ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ଗ୍ରାମବାସୀମାନେ ଶବକୁ ଭାପୁର ଡାକ୍ତରଖାନା ସମ୍ମୁଖ ରାସ୍ତାରେ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏସଡିପିଓଙ୍କ ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଦୁଇ ଗ୍ରାମରେ ପୁଲିସ ମୁତୟନ ହୋଇଛନ୍ତି।