ମାଲକାନଗିରି /ମାଥିଲି, ୨୪/୧୧(ଆପ୍ର )ସାବେରୀ ନଦୀରେ ଶୌଚ କରିବା ବେଳେ ଗୋଡ ଖସି ଯାଇ ଭାସି ଜଣେ ବୃଦ୍ଧା ନିଖୋଜ ହୋଇଛନ୍ତି । ନିଖୋଜ ବୃଦ୍ଧା ଜଣକ ହେଲେ ମଙ୍ଗୁଳି ଭୂମିଆ।
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଞ୍ଚାୟତ ସଦର ଗ୍ରାମର ବୃଦ୍ଧା ମଙ୍ଗୁଳି ଭୂମିଆ ସାବେରୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଅସାବଧନତା କାରଣରୁ ନିଜର ପାଦ ଖସି ଯାଇଥିଲା। ପାଦ ଖସି ଯିବା ପରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧା ଜଣକ। ସାଙ୍ଗରେ ଯାଇଥିବା ଅନ୍ୟ ମହିଳା ମାନେ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା ମଧ୍ୟ ବିଫଳ ହୋଇଥିଲେ। ଖବର ପାଇ ମାଥିଲି ଅଗ୍ନିଶମ ବାହିନୀ ର ଅଧିକାରୀ ରେଣୁ ଦିଶାରୀଙ୍କ ସହ ଟିମ ଓ ମାଥିଲି ପୋଲିସ ସଙ୍ଗେ ସଙ୍ଗେ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ। ଦିନ ତମାମ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ନିଖୋଜ ବୃଦ୍ଧା ଙ୍କର କିଛି ପତା ମିଳି ନଥିଲା। ନଦୀର ପ୍ରଖର ସ୍ରୋତ ଥିବାରୁ ନିଖୋଜ ମଙ୍ଗୁଳିର କୌଣସି ପତ୍ତା ମିଳି ନାହିଁ । ସଂଧ୍ୟା ହେବାରୁ ଆଜି ଅପରେସନ ବନ୍ଦ ରଖାଯାଇଛି। ଆସନ୍ତାକାଲି ସକାଳୁ ପୁଣି ଅପରେସନ ଚାଲୁ ହେବ ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି।