କେତେବର୍ଷ ହେଲା ପାଠ ପଢୁଥିବା  ଆଈମା’ମାନେ ଶାଳାରେ ଖୁସିରେ ମଜ୍ଜି  ଯାଇଚନ୍ତି । ତାଙ୍କପାଇଁ ଏ ଶାଳା ହେଲା  ଖସୁଥିବା ବୟସରେ ପରସ୍ପର ଭିତରେ  ସମ୍ବାଦର, ମୈତ୍ରିଣୀଙ୍କୁ ଭେଟିବାର, ଖଳଖଳ  ହସିବାର, ବହୁତ ଗପ ଲଗେଇବାର  ଅଧିକାରର ଜାଗା । ଦି’ପହରେ ଦି’ଟାରୁ  ଚାରିଟା ପାଠପଢ଼ା, ତା’ପରେ ଅଭଙ୍ଗ  ଗାଇବା, ଆଉ ଗୀତ ଓ ପଣିକିଆ।

ଭଲ ଶିକ୍ଷା ଯାହାକୁ ବି ବଦଳେଇ ପାରିବ । ମାତ୍ର  ଜଣେ ଭଲ ଗୁରୁ ବା ଶିକ୍ଷକ ଅନେକ କିଛି  ବଦଳେଇ ପାରିବେ । ଏଭଳି ଗୁରୁ କେବେ ସେବାନିବୃତ୍ତ ହୋଇନପାରନ୍ତି । ଏଭଳି ଜଣେ ସେବାନିବୃତ୍ତ, କର୍ତ୍ତବ୍ୟନିଷ୍ଠ  ଓ ନିଜକୁ ବୁହାଇ ଦେଇଥିବା ଗୁରୁ ହେଲେ ୟୋଗେନ୍ଦ୍ର  ବାଙ୍ଗର । ମୁମ୍ବଇ ନିକଟସ୍ଥ ଠାଣେ ଜିଲ୍ଲାର ମୁରବାଡ  ତାଲୁକାର ଫାଙ୍ଗଣେ ନାମକ ଗାଁରେ "ଜେଜେମା’ଙ୍କ  ଚାଟଶାଳି' ଗତ ଆଠବର୍ଷ ହେଲା ଚାଲିଚି । ମାତ୍ର ଏ ପ୍ରବାସ  ସହଜ ନଥିଲା । ଜଣେ ମଣିଷର ସର୍ବବୃହତ ପରିଶ୍ରମ ଓ  ଜିଦ୍ଦି ଯୋଗୁଁ ଏହା ହୋଇପାରିଲା । 

ଗୋଟେ ସିନେମା କରିବାର ଜାଗା ଠଉରେଇବା  ପାଇଁ ବୁଲୁବୁଲୁ ଏ ପାଠଶାଳାର ଖବର ମିଳିଲା । ମୁଁ ଓ  ଦିଗ୍‌ଦର୍ଶକ ୟୁସୁଫ୍‌ ଖାଁ ପ୍ରଥମକରି ସେ ଫାଙ୍ଗଣେ ଗାଁକୁ  ଗଲୁ । ଗାଁ ମୁଣ୍ଡରେ ଏକ ବୋର୍ଡରେ ଲେଖା "ନମସ୍କାର କରି  ବୋଲଣେ, ଗାଁ ନାଆଁ ଫାଙ୍ଗଣେ' ପଢ଼ି ଉତ୍ସୁକତା ବଢ଼ିଲା।  ଏକ ଅଲଗା ପ୍ରକାରର ପାଠଶାଳା ବୋଲି ଫାଙ୍ଗଣେ ଗାଁର  ଏ ଜେଜେମା’ଙ୍କ ଚାଟଶାଳି ପ୍ରସିଦ୍ଧ । ଗୋଲାପୀ ରଙ୍ଗର  ନଅହାତି ଶାଢ଼ିପିନ୍ଧା, ନୋଥ ଲଗେଇଥିବା ବୁଢ଼ୀମାନେ  ନିତିଦିନ ଦିପହରେ ଶାଳାକୁ ଯାଆନ୍ତି । ଆମେ ସେ ଶାଳା  ଦେଖିଲା କ୍ଷଣି ତା’ ଉପରେ ସିନେମା କରିବାକୁ ସ୍ଥିର କଲାରୁ  ବାରମ୍ବାର ଗାଁକୁ ଯିବା ହେଲା । ସେ ଶାଳାର ବିଦ୍ୟାର୍ଥୀ ବୟସ୍କ  ବୁଢ଼ୀ ଆଈମା’ । ଜୀବନଯାକ ଗଧଖଟଣି ଖଟି ଥକିଯାଇଥିବା  ହାତ ଏବେ ଅକ୍ଷର ଗିରେଇବାକୁ ଲାଗିପଡ଼ିଚନ୍ତି । ସାନ  ପିଲାଙ୍କୁ ଲାଜେଇବାର ଉତ୍ସାହରେ ଏ ବୁଢ଼ୀମାନେ ଶାଳାକୁ  ଆସୁଚନ୍ତି । ଗୋଲାପୀ ଶାଢ଼ିପିନ୍ଧା ସିନିୟର ବିଦ୍ୟାର୍ଥିନୀ, ତ  ହଳଦିଆ ଶାଢ଼ିର ଜୁନିୟର । ଏ ଶାଳା ତାଙ୍କ ଜୀବନରେ  ଯାଦୁ କଲା । ସମସ୍ତଙ୍କ ବୟସ ସତୁରି ଉପରକୁ। ଅସଲ  କଥା ତାଙ୍କ ମୁଖସ୍ଥ ଏକବାରେ ଖଣଖଣିତ । ଜୀବନର  ସଞ୍ଜବେଳେ ଶିକ୍ଷାର କାନି ଧରିଥିବା ଏ ଆଈମାନେ  ଅନେକଙ୍କ ପାଇଁ ଆଦର୍ଶ ହେଉଚନ୍ତି । 

୨୦୧୬ ମସିହାରେ ଗାଁରେ "ଶିବାଜୀ ଜୟନ୍ତୀ' ଉତ୍ସବ  ଦିନ ବାଙ୍ଗର ସାର୍‌ଙ୍କ ମନକୁ ଏ କଳ୍ପନା ଆସିଲା । ଗାଁ  ମାଇପେ ଏ ଉତ୍ସବରେ ଅଭଙ୍ଗ (ମଧ୍ୟଯୁଗୀୟ ସନ୍ଥ କବିଙ୍କ  ମରାଠୀ ଚୌପଦୀ) ଗାଉଥିଲେ । କେତେକ ବୟସ୍କ  ମହିଳାଙ୍କର ଅଭଙ୍ଗ ପଢ଼ିବାର ଇଚ୍ଛା ଥାଏ । ମାତ୍ର ପଢ଼ି  ନଜାଣିଥିବାରୁ ତା’ ହେଇପାରୁନଥିଲା । ସେତେବେଳେ  ତାଙ୍କୁ ଆସିଥିବା ଏ କଳ୍ପନା ପଛରେ ସାରା ଗାଁ ଧାଇଁଲା ।  ଜେଜେମା’ଙ୍କ ଚାଟଶାଳି ଏକମାତ୍ର ପାଠଶାଳା, ଯାହାର ନାଆଁ  ବିଦ୍ୟାର୍ଥୀଙ୍କ ନାଆଁରୁ ଦିଆଯାଇଚି । ୨୦୧୬ ମସିହା ମାର୍ଚ୍ଚ ମାସ  ଆଠ ତାରିଖ, ଆନ୍ତର୍ଜାତିକ ମହିଳା ଦିବସ ଦିନ ତା'ର  ସ୍ଥାପନା ହେଲା । ପାଠଶାଳାର ନାଆଁ ସାଦା ଥାଇ ଏକ  ସାଦା ମଣିଷର କଳ୍ପନା ତାହା ଥିଲା । ତଥାପି ଅତି ସାଦା  କଳ୍ପନା ସର୍ବଦା ଜୀବନ ବଦଳାଇବାର ହୁଏ । ଯାହାଙ୍କର  ପେନ୍‌ସିଲ୍‌ ଉଠେଇ ସହୀ (ଦସ୍ତଖତ) କରିବାର ଇଚ୍ଛା  ସେ ବୁଢ଼ୀ ମାଇପୀଙ୍କ ପାଇଁ ଏ ଚାଟଶାଳି ।  

ଏକ ବୁଢ଼ୀ ଆଈ ହସିହସି ଗର୍ବର ସହିତ କହିଲେ  "ମତେ ଯେତେବେଳେ ସ୍ୱର୍ଗରେ ପଚାରିବେ ମୁଁ ଜୀବନରେ  କଅଣ କଲି, ମୁଁ କହିବି, ମୁଁ ମୋ ନାଆଁ ସହୀ କରିବାକୁ  ଶିଖିଲି’ । ଭାରତର ମଫସଲରେ ରହୁଥିବା କେତେକ  ମାଇପେ ଏ ଗର୍ବ କରିପାରନ୍ତି! ସେମାନେ ସମାଜ ଉପରେ,  ପରିସ୍ଥିତି ଉପରେ ବିଜୟ ପାଇଚନ୍ତି । 

ପ୍ରତିଦିନ ଦିପହରେ "ଚାଲ୍‌ ଲୋ ଅନୁସୂୟା' ବୋଲି  ପରସ୍ପରକୁ ଡାକ ମାରି, ଗୋଟେ ହାତରେ ନାଲି-କଳା ରଙ୍ଗର  ବସ୍ତାନି ଓ ଆର ହାତରେ କାଠି, ନହେଲେ ନାତିନାତୁଣୀଙ୍କ  ହାତ ଆଧାର ପାଇଁ ଧରି, ସବୁ ବୁଢ଼ୀ ଆଈମା’ ଶାଳାର ବାଟ  ଧରନ୍ତି । ଏ ଶାଳା, ମାନେ "ବିନା କାନ୍ଥର ଖୋଲା ଶାଳା, ଲକ୍ଷ  ଏଠାର ଗୁରୁ ଗଛ, ଲତା, ପଶୁ, ପତଙ୍ଗ ୟାଙ୍କ ସାଙ୍ଗେ  ଦୋସ୍ତି କରୁ'– ଏ ଗୀତର ୟେ ପ୍ରତ୍ୟକ୍ଷ ଅନୁଭବ । କାରଣ  ତାହା ନିସର୍ଗର ସାନ୍ନିଧ୍ୟରେ ସ୍ଥାପିତ ।  

ଏକ ବଡ଼ ଆମ୍ବଗଛ ତଳେ ବାଉଁଶକୁ ଦି’ଫାଳ କରି  କାନ୍ଥ ତିଆରି । ତା’ ଉପରେ ଗହମ ନଡ଼ାରେ ଛପର ।  ଶ୍ରେଣୀ ଆଗକୁ କିଛି ଦୂରରେ ପ୍ରତ୍ୟେକ ବୁଢ଼ୀଙ୍କ ନାଆଁର  ଗଛ । ଭଙ୍ଗା ଟାଇଲ୍‌ ଖଣ୍ଡମାନଙ୍କ ଉପରେ ବର୍ଣ୍ଣମାଳାର  ପ୍ରତ୍ୟେକ ଅକ୍ଷର ଲେଖା । ଷାଠିଏ ଡେଇଁଥିବା ବୟସରେ  ଛପା ବହିର ଚିତ୍ର ଗିରାଉଥିବାର ଦୃଶ୍ୟ ମୋହିତ କରିବାର ।  ଶ୍ରେଣୀରେ ପଶିଲା ମାତ୍ରେ ସାମନାର ଫଳା ଉପରେ ଦିନ- ବାର-ତାରିଖ ସାଙ୍ଗକୁ ଲେଖାଟା "ଶିକ୍ଷା ଲାଗି ବୟସର ବନ୍ଧନ  ନାହିଁ’ ମନକୁ ଲାଗିଯାଏ । ବୋର୍ଡ ସାମନାରେ ଧାଡ଼ି ହୋଇ,  ମୁଣ୍ଡ ଉପରେ ପଣତକୁ ସମ୍ଭାଳି ଚକାପକେଇ ବସିଥିବା ୩୯  ଛାତ୍ରୀ କୋଳରେ ସିଲଟ, ତଳେ ବସ୍ତାନି, ବସ୍ତାନି ଉପରେ  ଲେଖା "ବାଳମିତ୍ର', ବସ୍ତାନି କଡ଼କୁ ସିଲଟ ପୋଛିବା କନା,  ଆର ହାତରେ ଖଡ଼ି ସହିତ ଅକ୍ଷର ଘୋରେଇବାରେ ଦଙ୍ଗ । 

କେତେବର୍ଷ ହେଲା ପାଠ ପଢୁଥିବା ଆଈମା’ମାନେ ଶାଳାରେ ଖୁସିରେ ମଜ୍ଜି ଯାଇଚନ୍ତି । ତାଙ୍କପାଇଁ ଏ  ଶାଳା ହେଲା ଖସୁଥିବା ବୟସରେ ପରସ୍ପର ଭିତରେ  ସମ୍ବାଦର, ମୈତ୍ରିଣୀଙ୍କୁ ଭେଟିବାର, ଖଳଖଳ ହସିବାର,  ବହୁତ ଗପ ଲଗେଇବାର ଅଧିକାରର ଜାଗା ।  ଦି’ପହରେ ଦି’ଟାରୁ ଚାରିଟା ପାଠପଢ଼ା, ତା'ପରେ  ଅଭଙ୍ଗ ଗାଇବା, ଆଉ ଗୀତ ଓ ପଣିକିଆ । ଜଣେ ଆଈ  ଆଗ କହିଲେ, ବାକିମାନେ ନିୟମରେ ତାଙ୍କ ପଛକୁ  କହନ୍ତି । ଶ୍ରେଣୀ ଆଗରେ ଥିବା ଗଛ ଭିତରୁ ପ୍ରତ୍ୟେକ  ଗଛ ଜଣେ ଆଈକୁ । ସେ ଗଛର ପାଳକ ସେ ଆଈ ।  ଶାଳାର ନିୟମ ଅନୁସାରେ ସେ ଗଛରେ ଖତପାଣି ଦେଇ  ତାହାର ଯତ୍ନ ନେବାର ଦାୟିତ୍ୱ ସେ ଆଈଙ୍କର । ଶାଳାର  ଅଭ୍ୟାସକ୍ରମରେ ଗଛର ସମ୍ବର୍ଦ୍ଧନର ଉପକ୍ରମ ବି ଅଛି । 

ବେଳେବେଳେ ଆଈମା’ଙ୍କୁ ପଢ଼ାରେ ସାହାଯ୍ୟ  କରିବାକୁ ନାତିନାତୁଣୀ ବି ଆସି ବସନ୍ତି । ସେମାନେ ବି  "ଇମିତି ନୁହଁ ଲୋ ଆଈ, ଇମିତି, ଇମିତି ଆ-କାର ଦେ'  ବୋଲି କହନ୍ତି । "ଆଲୋ, କ-ଲେଖେ, "ଇମିତି ଗାର ପକା,  ହଁ ହଁ ଇମିତି, "ଏଇଲେ ଦେଖ୍‌, ତତେ ପଇଟିଲା, ମା ଲୋ,  ଦେଖ୍‌ ଠିକ୍‌ ଲେଖିଲୁ, ମୋ ନାଆଁ ଠିକ୍‌ ହେଇଚିଟି ଲୋ, ମୁଁ  ମୋ ସହୀ କରି ଦେଖେଉଚି, ଆହେ ଆଈ, ଦୌପଦୀ ନୁହଁ,  ଦୌ ତଳେ ର-ଫଳା ଦେବାର, ତା’ ରହିଲା କି ନାଇଁ?  ପୋଛିକରି ପୁଣି ଲେଖ, ଆଉ ମତେ ଦେଖା, ମୋ ସିଲଟ  ପୋଛା କନା କୁଆଡ଼େ ଗଲା, ଏଇଠି ତ ଥିଲା, ହେଇଟି ତୋ  ଜଂଘତଳେ ଅଛି, ଆଲୋ, ତୋ ନାଆଁ ତ ଦୁରୁପଦୀ, ମନରେ  ରଖୁନୁ– ଏମିତି ସବୁ ଶାଳା ଚାଲିଥିବା ବେଳର କଥାବାର୍ତ୍ତା । 

ପ୍ରତି ଗୁରୁବାର ଦିନ ଗାଁରେ ଭଜନର କାର୍ଯ୍ୟକ୍ରମ  ଥିଲାରୁ ସେଦିନ ସାପ୍ତାହିକ ଛୁଟି । ଆଈବୁଢ଼ୀ ସୁନନ୍ଦା  କେଦାର କହନ୍ତି "ଏ ଶାଳା ଯୋଗୁଁ ଆମେ ଜଣ ଜଣକୁ  ଭେଟିପାରୁଚୁ, ନହେଲେ ଯେଝାର ଯିଏ ନିଜ ଘରେ  ରହୁ । ଭେଟିବାକୁ ହେଲେ ବେଳ କାଢ଼ି ଭେଟିବାକୁ  ପଡ଼େ । ଶାଳା ଯୋଗୁଁ ଚାରି ଅକ୍ଷର ଶିଖିବାକୁ ମିଳୁଚି ।  ଏ ବୟସରେ ସେତକ ବେଳ କାଟିବା । ଆମ ପିଲାଦିନେ  ଗରିବୀ ଯୋଗୁଁ ଶାଳାକୁ ଯାଇନହେଲା । ପଛକୁ ମାଆବାପାଙ୍କ କଷ୍ଟ ଆମ ଭାଗ୍ୟକୁ ଅଇଲା । ହେଲେ ଚାରି ବୁକ  ଶିଖିବାର ଥିଲା, ସବୁବେଳେ ଲାଗେ' । 

୬୭ବର୍ଷର ଯମୁନା କେଦାର କହନ୍ତି "ବାଙ୍ଗର ଗୁରୁଜୀ  ଆରମ୍ଭ କରିଥିବା ଏ ଶାଳା ଯୋଗୁଁ ବୁଢ଼ୀ ବୟସରେ ହେଲେ  ବି ଶିଖିବାକୁ ମିଳିବାରେ ଭାରି ସୁଖ’ ।ଏଇ ଶାଳାରେ  ଶିଖୁଥିବା ୭୦ବର୍ଷ ବୟସର ଅନୁସୂୟା ଆଈ କହନ୍ତି  ‘ଶିଖି ନଥିଲାରୁ କେହି କେତେବେଳେ ସହୀ କରିବାକୁ  କହିଲେ ଟିପଚିହ୍ନ ଦବାକୁ ପଡ଼େ । ଶାଳାର ମୁହଁ କେବେ  ଦେଖିନଥିଲାରୁ ଲେଖି ଆସୁନଥିଲା । ହେଲେ ଇଲୋ ମୋ  ନାଆଁ ମତେ ଲେଖି ଆସୁଚି, ଆଉ ସହୀ ସୁଦ୍ଧା' । ଏ ଶାଳା ଠିଆ କରିବାର ବାଙ୍ଗର ଗୁରୁଜୀ ମୁରବାଡ  ତାଲୁକାର ଶେଲାରୀ ଗାଁର । ୨୦୧୨ ମସିହାରେ "ଦୁର୍ମିଳ  ପାହାଡ଼ିଆ ଆଦିବାସୀ ଭାଗ'ରେ ଥିବା ଫାଗଣେ ଗାଁର  ଆଦିବାସୀ ଶାଳାରେ ଶିକ୍ଷକ ଭାବରେ ତାଙ୍କ ନିଯୁକ୍ତି ହେଲା ।  ସତ କହିଲେ, ଏମିତି ପାହାଡ଼ିଆ ଦୁର୍ଗମ ଅଞ୍ଚଳରେ ନିଯୁକ୍ତି,  ମାନଦଣ୍ଡ ବୋଲି ଧରାଯାଏ । ମାତ୍ର ତାକୁ ଦଣ୍ଡ ନବିଚାରି କାମ  କଲେ ନିଶ୍ଚିତ ରୂପ ଦେଇହେବ । ଏ ଗାଁରେ ମାତ୍ର ସତୁରି  ପରିବାର । ଗାଁକୁ ବସ୍‌ ଆସିପାରେ ନାହିଁ । ପଞ୍ଚମ ଶ୍ରେଣୀ  ପଛକୁ ଶିଖିବାକୁ ହେଲେ ପିଲାଙ୍କୁ ପନ୍ଦର କିଲୋମିଟର  ଯିବାକୁ ପଡ଼ିବ । ଡାକ୍ତରଖାନା ଓ ବ୍ୟାଙ୍କ ବି ସେତିକି ଦୂର । 

ଏଠାକୁ ଚାକିରିକି ଅଇଲାରୁ ସାର୍‌ଙ୍କୁ ଲାଗିଲା କିଛି ଗାଁ  ପାଇଁ କରିବା ଦରକାର । ୨୦୧୩ ମସିହାରେ ଗାଁରେ  ଶୌଚାଳୟ କରି ସେ ଗାଁ ପରିସରକୁ ମଳଶୂନ୍ୟ  କଲେ । ପର୍ଯ୍ୟାବରଣ ରକ୍ଷାଲାଗି ସେ "ଘରମାତ୍ରେ  ନିମ୍ବଗଛ', "ଘରମାତ୍ରେ ସଜନା', "ଘରମାତ୍ରେ  ବଢିଆଳ' କରାଇଲେ । ଗାଁର ଏ ପ୍ରଗତିରେ ଦିଲୀପଭାଇ  ଦଲାଲଙ୍କର ବହୁତ ସହଯୋଗ । ସେ ଜଣେ ଉଦ୍ୟୋଜକ,  ମାଇପିଙ୍କ ମୁଣ୍ଡ ଉପର ପାଣିର ହଣ୍ଡା ଓହ୍ଲେଇବା ପାଇଁ  ସେ କରିଥିବା ଆର୍ଥିକ ସାହାଯ୍ୟରୁ ଗାଁକୁ ପାଣିପାଇପ  ଆସିଲା । ଶିବାଜୀ ଜୟନ୍ତୀ ଉପଲକ୍ଷେ ଗାଁରେ ମହିଳାଙ୍କ  ସହ ତାଙ୍କର ଦେଖାରୁ ଶିକ୍ଷାର ଦିଆନିଆ ଲାଗି କିଛି  କରୁ ବୋଲି କହି ମୋତିଲାଲ ଦଲାଲ ଚାରିଟେବ୍ଲ ଟ୍ରଷ୍ଟ  ସାହାଯ୍ୟରେ ଜେଜେମା’ଙ୍କ ଚାଟଶାଳିର ଆରମ୍ଭ । 

ସାନପିଲାଙ୍କୁ ପଢ଼େଇଲା ବେଳେ ଆମେ ତାଙ୍କ ଉପରେ  ରାଗିପାରିବା, ଗାଳି ଦେଇପାରିବା । ମାତ୍ର ବୁଢ଼ୀ ଆଈଙ୍କି  ସିମିତି କରିହେବନି । ଆସ୍ତେ କହି, ମନ ଧରିଲା ଭଳି କହି  ଶିଖେଇବାକୁ ପଡ଼ିବ । ନହେଲେ ତାଙ୍କୁ ଖରାପ ଲାଗିବ ।  ଫଳରେ ଗାଁର ଶୀତଳ ମୋରେ (ମହିଳା) ଆଗେଇ  ଆସିଲେ । ସେ ଦଶମ ଶ୍ରେଣୀ ପାସ୍‌ । ଶାଳାରେ କମ୍‌  ବୟସରେ ଶିକ୍ଷା ଓ ବୃଦ୍ଧ ବୟସରେ ଶିକ୍ଷାର ଫରକ ଅଛି ।  ଏଠାରେ ଶିଖୁଥିବା ବୃଦ୍ଧ ମହିଳା ସବୁବେଳେ ଉତ୍ସାହୀ । "ପ୍ରତିଦିନ ଶାଳାକୁ ବେଳରେ ଆସିବା ଦରକାର' ଏହା  ତାଙ୍କୁ କେବେ କହିବାକୁ ପଡେନାହିଁ । ଶ୍ରେଣୀରେ ବୟସରେ  ସବୁଠାରୁ ବଡ଼ ବିଦ୍ୟାର୍ଥିନୀ ୯୭ବର୍ଷ ବୟସର । ଫଳରେ  ବୟସ ଅନୁସାରେ କମ୍‌ ଶୁଭିବା, ମନେ ନରହିବା,  ପ୍ରତ୍ୟେକ ଅକ୍ଷରର ଉଚ୍ଚାରଣ ଠିକ୍‌ କରିନହେବା, ଏହା  ସ୍ୱାଭାବିକ । ସବୁ ବିଦ୍ୟାର୍ଥିନୀ ଆଈମାନେ ଏସବୁ ଅସୁବିଧା  ସତ୍ତେ୍ୱ ଉତ୍ସାହର ସହିତ କାମ କରନ୍ତି । ଅନେକ ଦିନ ପର୍ଯ୍ୟନ୍ତ ସିଲଟ ଉପରେ ଖାଲି ଗୋଲ ଗୋଲ୍‌ ବୁଲାଉ  ଥାଆନ୍ତି । ତାପରେ ତାଙ୍କ ହାତ, ହାତରେ ଧରି ଗୋଟିଏ  ଅକ୍ଷର ଉପରେ ଅନେକ ଦିନ ଗିରେଇବା ପରେ ଏବେ  ଅକ୍ଷର ଲେଖିଆସିଲା । 

ଶାଳା ବାବଦରେ ବାଙ୍ଗର ସାର୍‌ କହିଲେ "ପଡ଼ିଶା  ଗାଁରେ ବି ଏମିତି ଶାଳା ଖୋଲିବା ପାଇଁ ସେ ଗାଁବାଲେ  ଉତ୍ସୁକ । ଗାଁର ଲୋକଙ୍କ ସହ କାର୍ଯ୍ୟ ମିଳିଲେ ଏଭଳି  ବିବିଧ ଉପକ୍ରମ କରିହେବ’ । ଗାଁର ଜିଲ୍ଲା ପରିଷଦର ଶାଳା  ଡିଜିଟଲ୍‌ । ସାର୍‌ ଇ-ଲର୍ଣ୍ଣିଂର ବିଭିନ୍ନ ପ୍ରୟୋଗ ଏଠାରେ  ଆରମ୍ଭ କରିଚନ୍ତି । ଆମେ ଦେଖିଚେ ବୁଢ଼ୀ ଆଈମା’ମାନେ  ପିଲାଙ୍କୁ ଶାଳାରେ ପହଞ୍ଚେଇବାକୁ ଆସିବା । ମାତ୍ର ଏଠାରେ  ନାତିନାତୁଣୀ ତାଙ୍କ ଆଈମା’ଙ୍କୁ ଶାଳାରେ ପହଞ୍ଚେଇବାକୁ  ଆସନ୍ତି । "ବୁଢ଼ୀ ବୟସରେ ଅନ୍ତତଃ ପୋଥି, ଧାର୍ମିକ ପୁସ୍ତକ  ପଢ଼ିଆସିବା ଦରକାର', ଜଣେ ବୁଢ଼ୀଙ୍କର ଏକଥା ଶୁଣି  ବାଙ୍ଗର ସାର୍‌ଙ୍କ ମୁଣ୍ଡରେ ଏ କଳ୍ପନା ପଶିଥିଲା । ଜାନୁଆରୀ 

୨୦୧୮ରୁ ଫାଙ୍ଗଣେ ଗାଁ ପାଖର ଶେଲାରୀ  ଗାଁରେ ଆଈମା’ଙ୍କ ଶାଳା ସାଙ୍ଗକୁ ବୁଢ଼ାବାପା-ଅଜାଙ୍କ  ଚାଟଶାଳି ଆରମ୍ଭ ହୋଇଚି । ନାତିନାତୁଣୀଙ୍କ ସାଙ୍ଗକୁ  ବୁଢ଼ୀ ଆଈମା’ଙ୍କୁ ଅକ୍ଷର ଗିରେଇବାକୁ ମିଳିଲାରୁ ଦି’ ପିଢ଼ି  ଅନ୍‌ଲାଇନ୍‌ ଶିକ୍ଷାର ବାଟ ଚାହିଁଚନ୍ତି । ବିବିଧ ଉପକ୍ରମରୁ ଏ  ବୟସରେ ବୁଢ଼ାବୁଢ଼ୀଙ୍କି ଶିଖେଇ ସମୃଦ୍ଧ କରିବାର କାମ  ଆରମ୍ଭ ହୋଇଚି । ଏହା ଦେଖି ମୁମ୍ବଇର "ଜେଡି-ଆଇସ୍‌'  ସଂସ୍ଥା ଆଈଙ୍କ ଶାଳା ବିଷୟରେ ଏକ ଚଳଚ୍ଚିତ୍ର କରିବାକୁ  ସ୍ଥିରକଲେ । ଶୀଘ୍ର ଏ ଅଲଗା ଶାଳାକୁ ବଡ଼ ପରଦା ଉପରେ  ଦେଖିବାକୁ ମିଳିବ । ଫଳରେ ଫାଙ୍ଗଣେ ଗାଁରେ ଚୈତନ୍ୟର  ବାତାବରଣ ଦେଖିବାକୁ ମିଳୁଚି । 

ଅମିତାଭ ବଚ୍ଚନଙ୍କ  "କୋନ୍‌ ବନେଗା କରୋଡପତି' କାର୍ଯ୍ୟକ୍ରମରେ ଶାଳାକୁ ଭାଗନେବାକୁ ମିଳିଲା । ଜିଲ୍ଲା ପରିଷଦର "ସ୍ୱୟଂସିଦ୍ଧ ଗାଁ'  ସଂକଳ୍ପନା ଲାଗି ଫାଙ୍ଗଣେ ଗାଁ ବଛାହେଲାରୁ ଅନ୍ୟ ସୁବିଧା  ସହ ଶୈକ୍ଷଣିକ ପ୍ରଗତିରେ ବି ଗାଁକୁ ସ୍ଥାନ ମିଳିଲାଣି । ଏ  ଶାଳାକୁ ଅନେକ ପୁରସ୍କାର ମିଳି ୟାର ନାଆଁ ଲିମ୍‌କା ବୁକ୍‌  ଅଫ୍‌ ୱାର୍ଲଡ ରେକର୍ଡସ୍‌ରେ ରହିଲାଣି । ଗାଁର ଅନେକ  ସୁବିଧା କେବଳ ଶିକ୍ଷା ଫଳରେ ମିଳିଚି । "ଶିକ୍ଷାପାଇଁ ବୟସ  ନାହିଁ' ଏହା ସତ! ଏ ସିନେମା ଶୀଘ୍ର ଦେଖିବାକୁ ମିଳିବ ।  ହେଲେ ଏ ଅଫାଟ ଜେଜେମା’ଙ୍କ ଚାଟଶାଳି ଅନେକ  କିଛି ଶିଖେଇବାର ଅଟେ । ସେଥିପାଇଁ ଖଟପଟ କରୁଥିବା  ବାଙ୍ଗର ସାର୍‌ଙ୍କୁ ସମ୍ମାନର ସହ ଓଳିଗି ଓ ବହୁତ ଶୁଭେଚ୍ଛା ।  (ମରାଠୀ ସାପ୍ତାହିକ ସାଧନାର ସୌଜନ୍ୟରୁ) ।