ନିକଟରେ  ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା। ମୁଖ୍ୟମନ୍ତ୍ରୀ ହେବାର ମାତ୍ର ଅଳ୍ପ ଦିନରେ ରବିବାର ରାସ୍ତାରେ ଦୌଡ଼ି ନିଜ ଫିଟନେସର ପ୍ରମାଣ ସମସ୍ତଙ୍କୁ ଦେଇଛନ୍ତି। କଶ୍ମୀର ମାରାଥନରେ ସେ ଭାଗ ନେଇଛନ୍ତି।   ଏହି ମାରାଥନରେ  ୧୩ ଦେଶର ୨୦୦୦ ରୁ ଅଧିକ ଆଥଲେଟିକ୍‌ ଭାଗ ନେଇଥଲେ। ଏହା ଘାଟିରେ ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ  ଆଥଲେଟିକ୍  କାର୍ଯ୍ୟକ୍ରମ ଥିଲା। ବଲିଉଡ   ଅଭିନେତା ସୁନୀଲ ସେଟ୍ଟୀ ପତାକା ଦେଖାଇ ସମାରୋହର ଶୁଭାରମ୍ଭ କରିଥିଲେ। ଓମାର ବ୍ୟକ୍ତିଗତ ଭାବେ କରିଛନ୍ତି ରେକର୍ଡ । ୨ ଘଣ୍ଟାରେ ୨୧ କିମି ବାଟ ଦୌଡ଼ି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ଓମାର।ତେବେ ଓମାର  ଏଥିପାଇଁ କୌଣସି  ଟ୍ରେନିଂ ନେଇନଥିଲେ। ଏକ କିଲୋମିଟର ପ୍ରତି ୫.୫୪ ମିନିଟ୍‌ ଗତିରେ ହାଫ୍‌-ମାରାଥନ୍ ପୁରା  କରିଥିଲେ।

ନ୍ୟାଶନାଲ କନଫରେନ୍ସର ୫୪ ବର୍ଷୀୟ ଓମାର ଅବଦୁଲ୍ଲା   ଏ ସମ୍ପର୍କରେ ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ମାରାଥନ ସମ୍ପର୍କରେ ଅପଡେଟ ଦେବା ସହ ଦୌଡ଼ିବା ବେଳର ଭିଡିଓ ଜାରି କରି ସେ କହିଛନ୍ତି,“ଆଜି ମୁଁ ନିଜ ଉପରେ ବେଶ ସନ୍ତୁଷ୍ଟ ରହିଛି। ମୁଁ କଶ୍ମୀର ହାଫ ମାରଥାନ ଶେଷ କରିଛି। ହାରାହାରି ୫ ମିନିଟ ୫୪ ସେକେଣ୍ଡରେ ଗୋଟିଏ ଲେଖାଏ କିମି ଅତିକ୍ରମ କରିଛି। ଏପରି ଭାବେ ମୁଁ ୨୧ କିମି ବାଟ ଦୌଡ଼ିଛି।

ମୁଁ ମୋ ଜୀବନରେ ଆଗରୁ କେବେ ବି ୧୩ କିମିରୁ ଅଧିକ ବାଟ ଦୌଡ଼ି ନଥିଲି। ୧୩ କିମି ବାଟ ମୁଁ କେବଳ ଥରେ ହିଁ ଦୌଡ଼ି ଥିଲି। ହେଲେ ଆଜି ମୁଁ କେବଳ ଅନ୍ୟମାନଙ୍କ ଠାରୁ ପ୍ରେରଣା ପାଇ ଆଗକୁ ବଢ଼ିଛି। ଦୌଡ଼ିବା ବେଳେ କେବଳ ଗୋଟିଏ କଦଳୀ ଓ କିଛି ଖଜୁରୀ ଖାଇ ଆଗକୁ ବଢିଥିଲି। ସବୁଠାରୁ ବଡ଼ କଥା ହେଲା, ମୁଁ ମୋ ଘର ପାଖରୁ ଦୌଡୁଥିଲି ଓ ପରିବାର ଏବଂ  ଅନ୍ୟ ଲୋକ  ମୋର ଉତ୍ସାହ ବଢାଇଥିଲେ।’