ଭୁବନେଶ୍ୱର, ୮।୩: ଓଏମସିର ଅଭିନବ ପ୍ରୟାସ । କର୍କଟ ମୁକ୍ତ ସଂକଳ୍ପ ସହ ପାଳିତ ହେଲା ଆନ୍ତର୍ଜାତୀୟ ମହିଳା ଦିବସ । ରାଜ୍ୟର ଅଗ୍ରଣୀ ଖଣି ସଂସ୍ଥା ଓଡ଼ିଶା ମାଇନିଂ କର୍ପୋରେସନ (ଓଏମସି) ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରାଥମିକତା ଦିଆଯାଇଛି । ଏହି ଅବସରରେ ସଂସ୍ଥା ପକ୍ଷରୁ ମାର୍ଚ୍ଚ ୬ ଓ ୭ ତାରିଖ ଦୁଇ ଦିନ ଧରି ଏକ ସ୍ୱତନ୍ତ୍ର 'ସର୍ଭାଇକାଲ କ୍ୟାନସର' ଟିକାକରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।

ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ:

ଓଏମସି ମୁଖ୍ୟାଳୟ ସମେତ ବିଭିନ୍ନ ଖଣି ଅଞ୍ଚଳରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଏହି ଅଭିଯାନରେ ହ୍ୟୁମାନ ପାପିଲୋମା ଭାଇରସ (HPV) ଟିକା ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର ପାଲଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି ଟିକାକରଣ କାର୍ଯ୍ୟକ୍ରମ କେବଳ ଭୁବନେଶ୍ୱରରେ ସୀମିତ ନରହି ଓଏମସିର ବିଭିନ୍ନ ଆଞ୍ଚଳିକ ଶାଖା ଯଥା: ବଡ଼ବିଲ ଓ ଗନ୍ଧମାର୍ଦ୍ଦନ, ଦୈତାରୀ ଓ ଯାଜପୁର ରୋଡ୍, ରାୟଗଡ଼ା ଓ କୋଇରା ଏହି ସମସ୍ତ ଅଞ୍ଚଳରେ କମ୍ପାନୀର ଡାକ୍ତରୀ ଦଳ ମହିଳା କର୍ମଚାରୀଙ୍କୁ ଟିକା ଦେବା ସହ କର୍କଟ ରୋଗର ନିରାକରଣ, ପ୍ରାଥମିକ ଯାଞ୍ଚ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ସମ୍ପର୍କରେ ସଚେତନ କରିଥିଲେ ।

ଏହା ବି ପଢ଼ନ୍ତୁ... "ପ୍ରମେୟ', "ନ୍ୟୁଜ୍-୭' ୱିମେନ୍ ଆଚିଭର୍ସ ଅଫ୍ ଓଡ଼ିଶା-୨୦୨୬: ୧୭ ପ୍ରତିଭାଧାରୀ ମହିଳା ସମ୍ମାନିତ

କେବଳ ସ୍ୱାସ୍ଥ୍ୟ ନୁହେଁ, କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ପାଇଁ ଜାନୁଆରୀ ଓ ଫେବୃଆରୀ ମାସରେ ବିଭିନ୍ନ ସ୍ଥାନରେ 'PoSH' (ଯୌନ ନିର୍ଯାତନା ପ୍ରତିରୋଧ) ସଚେତନତା ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ମିଳିତ ଜାତିସଂଘର ଆଭିମୁଖ୍ୟ "ସମସ୍ତ ମହିଳା ଓ ବାଳିକାଙ୍କ ପାଇଁ: ଅଧିକାର, ସମାନତା ଓ ସଶକ୍ତିକରଣ" କୁ ପାଥେୟ କରି ମୁଖ୍ୟାଳୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ଖଣି କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ସମ୍ମାନିତ କରାଯାଇଥିଲା ।