ଭୁବନେଶ୍ୱର,୦୮/୦୩: ମହିଳା ସଶକ୍ତୀକରଣ କଥା ଯେଉଁ ମାନେ କହୁଛନ୍ତି, ସେମାନେ ପ୍ରଥମେ ସଶକ୍ତୀକରଣକୁ ବୁଝନ୍ତୁ । ସଶକ୍ତୀକରଣ ଖାଲି କଥାରେ ହୁଏନି । ଏଥିପାଇଁ ସମ୍ମିଳିତ ଉଦ୍ୟମ ଦରକାର । ପରିବାରରେ ବାପା-ମା’ଙ୍କ ପ୍ରୋତ୍ସାହନ ଲୋଡ଼ା । ହେଲେ ଏବେ ତ ଓଲଟା ଘଟୁଛି । ଝିଅ ଜନ୍ମ ନେଲେ, ଘରେ ସମସ୍ତେ ନାକ ଟେକୁଛନ୍ତି, ବୋଝ ଭାବୁଛନ୍ତି । ପୁଅ ଦରକାର ବୋଲି କହୁଛନ୍ତି । ବହୁ ସମୟରେ ଦେଖିବାକୁ ମିଳୁଛି, ପୁଅ ହେଲେ ଗାଁରେ ମିଠା ବଣ୍ଟାଯିବ, ହେଲେ ଝିଅ ହେଲେ ତାକୁ ବୋଝ ଭାବୁଛେ । ଏବେ ପ୍ରତିଦିନ ମହିଳା ବଳାତ୍କାର, ନିର୍ଯାତନା, ଯୌତୁକ ପାଇଁ ବଧୂହତ୍ୟା ଓ ଡାହାଣୀ ସନ୍ଦେହରେ ହତ୍ୟା ଭଳି ଘଟଣା ଘଟୁଛି । ଏଭଳି ମାନସିକତା ଥିଲେ, ସଶକ୍ତୀକରଣର ସଫଳ ରୂପାୟନ ହେବ କିପରି ? ତେଣୁ ସମୟ ଆସିଛି ଏଭଳି ମାନସିକତା ବଦଳୁ । ଓଡ଼ିଶାର ମହିଳାମାନେ ବିକଶିତ ଭାରତର ସାରଥି ସାଜିବାକୁ ଆଗେଇ ଆସିବା ପାଇଁ ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି ୱିମେନ ଆଚିଭର୍ସମାନଙ୍କୁ ଆହ୍ୱାନ ଦେଇଛନ୍ତି ।

‘ପ୍ରମେୟ’, ‘ନ୍ୟୁଜ-୭’, ସୁମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ସୋଆ ପ୍ରାଚୀନର ମିଳିତ ସହଯୋଗ କ୍ରମେ ୱିମେନ୍ ଆଚିଭର୍ସ ଅଫ୍ ଓଡ଼ିଶା (ୱାଓ)ର ଷଷ୍ଠ ସଂସ୍କରଣ ଅନୁଷ୍ଠିତ ହୋଇଛି । ସମାରୋହରେ ଭାଗ ନେବାକୁ ଚଳିତଥର ରାଜ୍ୟର ହଜାର ହଜାର ମହିଳା ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଶିକ୍ଷା, କୃଷି, ବିଜ୍ଞାନ, ଉଦ୍ୟୋଗ, ସାହସିକ କାର୍ଯ୍ୟ, ଦୁଃସାହସିକ କ୍ରୀଡ଼ା, ଗ୍ଲାମର, କଳା, ହସ୍ତଶିଳ୍ପ, ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ବଛାବଛା ୧୭ଜଣ ପ୍ରତିଭା ବଣମଲ୍ଲୀଙ୍କୁ ‘ୱାଓ’ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ପ୍ରତିଭାମାନଙ୍କୁ ଜୁରୀମାନେ ମନୋନୀତ କରିଥିଲେ । ପୁରସ୍କାର ବାବଦରେ ପ୍ରତିଭାମାନଙ୍କୁ ମାନପତ୍ର, ଉତ୍ତରୀୟ, ସ୍ମୃତିଫଳକ, ଅର୍ଥରାଶି ସହ ଏକ ସିଲିଂ ଫ୍ୟାନ୍ ଦିଆଯାଇଥିଲା । ସମାରୋହରେ ଅତିଥି ଭାବରେ ଯୋଗଦେଇ ଶ୍ରୀମତୀ ମହାନ୍ତି ଆହୁରି କହିଥିଲେ, ବ୍ୟାସକବି ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠ ଗୁଣ୍ଠ’, ‘ରେବତୀ’, ‘ପେଟେଣ୍ଟ ମେଡିସିନ୍’ ଭଳି ଗଳ୍ପରେ ନାରୀକୁ ସର୍ବାଗ୍ରେ ରଖାଯାଇଛି । ବିଶେଷକରି ପେଟେଣ୍ଟ ମେଡିସିନ୍ ଗଳ୍ପରେ ମଦୁଆ ସ୍ୱାମୀକୁ ସାବାଡ କରିବାକୁ ସ୍ତ୍ରୀଟିଏ ହାତରେ ଝାଡୁ ଧରିଛି । ସେ ସମୟରେ ଫକୀରମୋହନ ନାରୀଙ୍କୁ ଏଭଳି ଉଚ୍ଚରେ ରଖିଥିଲେ । ହେଲେ ବାସ୍ତବତା ହେଉଛି, ମଦ ପିଇ ସ୍ୱାମୀ ସ୍ତ୍ରୀକୁ ପିଟୁଛି । ଆଜି ସମାଜରେ ସଂସ୍କାର ନାହିଁ । ପିଲାମାନଙ୍କୁ କିଭଳି ସଂସ୍କାର ଦିଆଯିବ, ବାପା ମା’ଙ୍କ ପାଖରେ ସମୟ ନାହିଁ । ଆଜି ବି ପୁଅଝିଅଙ୍କୁ ନେଇ ଭେଦଭାବ ରହିଛି । ଏଭଳି ମାନସିକତା ଦୂର ହେବା ନିହାତି ଆବଶ୍ୟକ । ରମାଦେବୀ, ମାଳତୀ ଦେବୀ, ଲକ୍ଷ୍ମୀବାଈଙ୍କୁ ଆମେ ଆଦର୍ଶ ଭାବୁଛେ, ମାତ୍ର ତାଙ୍କ ଭଳି ହେବାକୁ ଚେଷ୍ଟା କରୁନେ । ଆହୁରି ଖରାପ ଲାଗୁଛି, ଝିଅମାନେ ନିଶା ସେବନ କରୁଛନ୍ତି । କମ୍ ବୟସରୁ ମୋବାଇଲ ଧରି ସେମାନେ ଭବିଷ୍ୟତ ନଷ୍ଟ କରୁଛନ୍ତି । ତେଣୁ ସମୟ ଆସିଛି, ନାରୀ ନିଜ ଶକ୍ତି ଜାଣୁ । ଯେତେବି ସମାଲୋଚନାର ଶିକାର ହୁଅ, ଧୈର୍ଯ୍ୟ ଧରି ଆଗକୁ ବଢ଼ । ପାଶ୍ଚାତ୍ୟ ପରମ୍ପରାକୁ ଭୁଲିଯାଇ ଭାରତୀୟ ସଂସ୍କୃତିକୁ ଆପଣାଇବାକୁ ସେ ପରାମର୍ଶ ଦେଇଥିଲେ । ଶେଷରେ ଶ୍ରୀମତୀ ମହାନ୍ତି ମହିଳାମାନଙ୍କୁ ଆଗକୁ ନେବାରେ ‘ପ୍ରମେୟ’ ଓ ‘ନ୍ୟୁଜ-୭’ର ଏହି ପ୍ରୟାସ ପ୍ରଶଂସନୀୟ ବୋଲି କହିଥିଲେ । ଏଥିପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକ ଓ ସୋଆ ପରିବାରକୁ ଧନ୍ୟବାଦ ଦେଇଥିଲେ ।

ଅନ୍ୟତମ ଅତିଥି ଭାବରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନ୍ଏସ୍ଡି)ର ନିର୍ଦ୍ଦେଶକ ତଥା ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ କହିଥିଲେ, ଯେମିତି ସବୁ ଅଙ୍ଗପ୍ରତ୍ୟଙ୍ଗ କାମ କଲେ ହିଁ ଶରୀର ସୁସ୍ଥ ରହେ ଓ ଦୌଡ଼େ, ସେମିତି ମହିଳାମାନେ ସଶକ୍ତ ହେଲେ ଦେଶ ଆଗକୁ ବଢିଥାଏ, ସମାଜର ଉନ୍ନତି ହୁଏ । ଭାରତୀୟ ସଂସ୍କୃତିରେ ମହିଳାମାନଙ୍କୁ ସର୍ବଶକ୍ତିମାନ ଆଖ୍ୟା ଦିଆଯାଇଛି । ସ୍ୱାଧୀନତା ସଂଗ୍ରାମରେ ମହିଳାଙ୍କ ଭୂମିକା ଅତୁଳନୀୟ । କଳା, କ୍ରୀଡ଼ା ଓ ବିଜ୍ଞାନ କ୍ଷେତ୍ରରେ ମହିଳାମାନ ପରାକାଷ୍ଠା ଦେଖାଇଛନ୍ତି । ତେଣୁ ମହିଳାଙ୍କ ଶକ୍ତି ବିଷୟରେ ବର୍ଣ୍ଣନା କରିବା ଆବଶ୍ୟକ ନାହିଁ । ଭାଷଣ ଦେବା ସମୟରେ ଶ୍ରୀ ତ୍ରିପାଠୀ ନିଜ ବିଷୟରେ କହି ଭାବବିହ୍ୱଳ ହୋଇଥିଲେ । ପିଲା ବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା । କିନ୍ତୁ ସେ ଭାଙ୍ଗି ପଡ଼ିନଥିଲେ । ପରିବାରରେ ଅନ୍ୟମାନେ ତାଙ୍କୁ ସ୍ନେହ ଦେଇଥିଲେ । ଆଜି ସେ ଯାହା ବି ହୋଇଛନ୍ତି, ତା ପଛରେ ଅନେକ ମହିଳାଙ୍କ ଭୂମିକା ରହିଛି । ତେଣୁ ମା’ ଓ ମାଟିକୁ ସବୁବେଳେ ସମ୍ମାନ ଦେଲେ, ମଣିଷ ନିଶ୍ଚୟ ସଫଳତା ଛୁଇଁବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ସୁମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶିକା ତଥା ସୋଆ ଉପସଭାପତି ଶାଶ୍ୱତୀ ଦାସ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ‘ଗିଭିଂ ବ୍ୟାକ୍ ଟୁ ସୋସାଇଟି’ ହେଉଛି ପ୍ରମେୟ, ନ୍ୟୁଜ୍ ୭ ଓ ସୋଆ ପରିବାରର ଆଦର୍ଶ । ଏହି ଆଦର୍ଶକୁ ବାସ୍ତବ ରୂପ ଦେବା ପାଇଁ ହେଲେ ଆମେ ବିଶ୍ୱାସ କରୁ ଯେ, ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜିବାର ଆବଶ୍ୟକତା ରହିଛି । ତାଙ୍କର ସମାଜ ପ୍ରତି ଥିବା ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ସହିତ ସେମାନଙ୍କୁ ସମ୍ମାନୀତ କରିବା ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ଏହି ଚିନ୍ତାଧାରାକୁ ନେଇ ଆମେ ୨୦୨୧ ମସିହାରେ ଆରମ୍ଭ କରିଥିଲୁ ୱାଓ ସମ୍ମାନ । ସମାଜ ପାଇଁ କିଛି କରିବାର ଆଭିମୁଖ୍ୟ ରଖିଥିବା ସଫଳ ୧୦୦ରୁ ଅଧିକ ମହିଳାଙ୍କୁ ଆମେ ବିଗତ ବର୍ଷରେ ସମ୍ମାନିତ କରିଆସିଛୁ । ସେମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିଛୁ । ଚଳିତବର୍ଷ ସେହିଭଳି ଆଉ କିଛି ମହିଳା, ତାଙ୍କ ସଫଳତା ଓ ତ୍ୟାଗର କାହାଣୀ ଏଥିରେ ଯୋଡ଼ି ହୋଇଛି । ମୋର ଆଶା ଓ ଦୃଢ ବିଶ୍ୱାସ ଯେ, ପ୍ରମେୟ, ନ୍ୟୁଜ୍-୭ ଓ ସୋଆ ପରିବାରର ଏହି ଛୋଟ ଉଦ୍ୟମ ଆମ ସମାଜକୁ ସଚେତନ କରାଇଦେଇପାରିବ । ନାରୀ ହିଁ ଶକ୍ତି । ଆମକୁ କେବଳ ସେହି ଶକ୍ତିକୁ ଚିହ୍ନି, ସ୍ୱୀକାର କରି ସମ୍ମାନ ଦେବାକୁ ହେବ ବୋଲି ଶ୍ରୀମତୀ ଦାସ କହିଥିଲେ ।

‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କହିଥିଲେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ଗୋଟିଏ ମା’ ପେଟର ଆମେ ଦୁଇଟା ଛୁଆ । କିନ୍ତୁ ଦୁଇଟି ଅଙ୍ଗ ଖବର ପ୍ରସାରଣରେ ପ୍ରତିଦ୍ୱନ୍ଦ୍ୱିତା କରୁ । ସୋଆ ପରିବାରର ଆଭିମୁଖ୍ୟକୁ ‘ପ୍ରମେୟ’ ଓ ‘ନ୍ୟୁଜ୍ ୭’ ଗ୍ରହଣ କରିଛି । ମହିଳାମାନଙ୍କ ଦକ୍ଷତାକୁ ସମ୍ମାନ ଜଣାଇବା ଓ ସେମାନଙ୍କ ଉତ୍ତରଣ ପଥରେ ସହଯୋଗର ହାତ ବଢାଇବା ଏହି ଆଦର୍ଶରେ ସୁଯୋଗ ପାଇଥିବାରୁ ଆମେ ଗର୍ବିତ । ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କ ସଂର୍ଘଷ ଓ ସଫଳତାର ପ୍ରେରଣା ନେଇ ଓମେନ୍ ଆଚିଭର୍ ଅଫ୍ ଓଡ଼ିଶାର ଚିନ୍ତାଧାରା । ଓଡ଼ିଶାର ସହର, ଛୋଟମୋଟ ଗାଁ, ନଦୀ ଦୁର୍ଗମ ପାହାଡ଼ ଘେରା ଅଞ୍ଚଳରେ ଜନ୍ମ ନେଇ ବି ଝିଅମାନେ ସ୍ୱପ୍ନ ଦେଖିବା ସାହସ କରୁଛନ୍ତି । ସୁଯୋଗ ଓ ସମ୍ବଳ ନଥାଉ ପଛେ ଦୃଢ ଇଚ୍ଛାଶକ୍ତିକୁ ପାଥେୟ କରି ସେମାନେ ଆଗକୁ ବଢନ୍ତି ଓ ସଫଳତା ପାଆନ୍ତି । ସେମାନଙ୍କୁ ଚିହ୍ନଟ କରିବା ୱାଓ’ର ଉଦେଶ୍ୟ । ‘ପ୍ରମେୟ’ ଓ ‘ନ୍ୟୁଜ୍ ୭’ ଯେଉଁ ପ୍ରୟାସ କରି ଆସୁଛି ଏହାର ମୂଳ ଉଦେଶ୍ୟ ହେଲା ବଣର ମଲ୍ଲୀ ବଣରେ ପଡ଼ି ହଜି ନଯାଉ । ଆମ ପାଠକଙ୍କ ଶୁଭେଚ୍ଛା ରହିଲେ ଏହି କାର୍ଯ୍ୟକ୍ରମ ଆହୁରି ଆଗକୁ ବଢିବ ବୋଲି ସେ କହିଥିଲେ ।

ଗ୍ରୁପ୍ ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା କହିଥିଲେ ୨୦୨୧ ମସିହାରେ ଆରମ୍ଭ ହୋଇଥିଲା ୱାଓ । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ପ୍ରତ୍ୟେକ ଦିଗରେ ପ୍ରତିଭାକୁ ଚିହ୍ନଟ କରିବା । ସେମାନଙ୍କ ସଫଳତାକୁ ଚିହ୍ନଟ କରିପାରିଲେ ସେହି ବାଟରେ ଆହୁରି ଅଧିକରୁ ଅଧିକ ଲୋକ ଯିବେ । ସେତେବେଳେ ଆଉ ବ୍ୟବସ୍ଥାର ଆବଶ୍ୟକତା ପଡ଼ିବ ନାହିଁ । ପ୍ରତିଭାକୁ ସମ୍ମାନ ଦେବା ଏକ ଆନ୍ଦୋଳନରେ ପରିଣତ ହେଉ । ‘ପ୍ରମେୟ’ ଓ ‘ନ୍ୟୁଜ୍ ୭’ ସେହିଭଳି କାର୍ଯ୍ୟ କରିବାକୁ ଚିନ୍ତା କରୁଛି । ତଳସ୍ତରକୁ ଯାଇ ପ୍ରତିଭାକୁ ଲୋକଲୋଚନକୁ ଆଣିଛୁ । ‘ପ୍ରମେୟ’ ଖବରକାଗଜ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠୁ ନମ୍ବର ୱାନ୍ ମାନ୍ୟତା ପାଇଛି । କେବଳ ମାନ୍ୟତା ପାଇଲେ ହେବ ନାହିଁ ଆମ ପାଠକ ଓ ଶୁଭେଚ୍ଛୁଙ୍କ ଭଲ ପାଇବା ନିହାତି ଆବଶ୍ୟକ । କାର୍ଯ୍ୟକ୍ରମରେ ଗ୍ରୁପ୍ ସିଇଓ ସୁନିଲ ଦାସ, ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ଡିଜିଏମ ଗଜେନ୍ଦ୍ର ଦାସ, ଏଜିଏମ୍ ରମାକାନ୍ତ ମଲ୍ଲିକ, ଡିଜିଏମ୍ (ସେଲ୍ସ ଆଣ୍ଡ ମାର୍କେଟିଂ) ଏସ୍ଏଫ୍ ଅଲ୍ଲୀ ଏବଂ ଜ୍ୟୋର୍ତିମୟ ପାଣିଗ୍ରାହୀ, ନ୍ୟୁଜ୍ ୭ ଡିଜିଏମ୍ (ସେଲ୍ସ ଆଣ୍ଡ ମାର୍କେଟିଂ) ସିଦ୍ଧାର୍ଥ ରାୟ, ଏଜିଏମ୍ ବିଶ୍ୱରୂପ ପରିଡା, ସୋଆ ପ୍ରାଚୀନ ମୁଖ୍ୟ ଡ.ଗାୟତ୍ରୀବାଳା ପଣ୍ଡା, ସୋଆ ଛାତ୍ର ମଙ୍ଗଳ ଡିନ୍ ଡ.ଜ୍ୟୋତିରଞ୍ଜନ ଦାସଙ୍କ ସମେତ ପ୍ରମେୟ ଓ ନ୍ୟୁଜ୍ ୭ର ପରିବାର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

ପ୍ରାରମ୍ଭରେ ‘ମହିଳା ସଶକ୍ତୀକରଣ-ଆବଶ୍ୟକତା ବନାମ ବାସ୍ତବତା’ ଶୀର୍ଷକ ଏକ ପ୍ୟାନେଲ ଆଲୋଚନାଚକ୍ର ହୋଇଥିଲା । ଏଥିରେ ସ୍ତମ୍ଭକାର ଓମ୍ପ ପ୍ରକାଶ, ସାମାଜିକ କର୍ମୀ ପ୍ରୀତିଛନ୍ଦା ଧଳ, ସ୍ତମ୍ଭକାର ଶ୍ରୁତକୀର୍ତ୍ତି ତ୍ରିପାଠୀ ଓ ଆଇଆଇଟି ଭୁବନେଶ୍ୱର ଷ୍ଟୁଡେଣ୍ଟ ଆଫେୟାର୍ସ ଆସିଷ୍ଟାଣ୍ଟ ରେଜିଷ୍ଟାର ବିନ୍ଦୁ ନିବେଦିତା ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ନ୍ୟୁଜ୍-୭ ଆଙ୍କର ଇତିଶ୍ରୀ ନାୟକ ପରିଚାଳନା କରିଥିଲେ । ଜୁରୀ ସଦସ୍ୟ ସୋଆ ପ୍ରାଚୀନ ମୁଖ୍ୟ ଡ.ଗାୟତ୍ରୀବାଳା ପଣ୍ଡା, ସମାଜସେବୀ ଅନୁରାଧା ମହାନ୍ତି, ସାମାଜିକ କର୍ମୀ ବେଣୁଧର ସେନାପତି, ଅଭିନେତ୍ରୀ ଭାସ୍ୱତୀ ବସୁ ଓ ସ୍ତମ୍ଭକାର ଶ୍ୱେତା ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ନ୍ୟୁଜ୍-୭ କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଆକର୍ଷଣ ପାଲଟିଥିଲା କୋରାପୁଟ କୋଟପାଡର ଢେମ୍ସା ନୃତ୍ୟ । କଳାକାରଙ୍କ ନୃତ୍ୟ ସହ ସଂଗୀତ ଦର୍ଶକଙ୍କ ମନ ଜିଣିଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଉପସ୍ଥାପିକା ସୌଭାଗିନୀ ସାହୁ ।