ଭୁବନେଶ୍ବର,୦୬/୦୧: ଓଡ଼ିଶା ଖଣି ନିଗମ (ଓଏମସି) ଚଳିତ ଆର୍ଥିକ ବର୍ଷ ୨୦୨୫–୨୬ ମଧ୍ୟରେ ଖଣିଜ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି କରିଛି। ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଲୁହା ପଥର ଉତ୍ପାଦନ ୨୪.୮୮ ମିଲିଅନ୍ ଟନ୍ ରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୪-୨୫ ବର୍ଷର ଡିସେମ୍ବର ମାସ ଶୁଦ୍ଧା ହୋଇଥିବା ଉତ୍ପାଦନକୁ ଅତିକ୍ରମ କରିଛି । ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅଧିନସ୍ଥ ଓଏମସି ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସମୁଦାୟ ୨୯.୦୩ ମିଲିଅନ୍ ଟନ୍ (ଲୁହା ପଥର, କ୍ରୋମ୍, ବକ୍ସାଇଟ୍ ଓ ଅନ୍ୟାନ୍ୟ) ଖଣିଜ ଉତ୍ପାଦନ କରିଛି। ଏହି ଦୃଢ଼ କାର୍ଯ୍ୟଦକ୍ଷତା ଓଏମସିକୁ ଦେଶର ଅଗ୍ରଣୀ ମାଇନିଂ କମ୍ପାନୀଗୁଡ଼ିକ ମଧ୍ୟରେ ନିଜ ସ୍ଥାନକୁ ସୁଦୃଢ଼ କରିବା ସହ ଆର୍ଥିକ ବର୍ଷ ୨୦୨୫–୨୬ ରେ ନୂତନ ଉତ୍ପାଦନ ମାଇଲଷ୍ଟୋନ ସୃଷ୍ଟି ପାଇଁ ସହକାରୀ ହେବ ।

ଆର୍ଥିକ ବର୍ଷ ୨୦୨୫–୨୬ ର ତୃତୀୟ ତ୍ରୈମାସରେ ଓଏମସିର କାର୍ଯ୍ୟଦକ୍ଷତା ଏହି ଉର୍ଦ୍ଧ୍ୱଗାମୀ ଧାରାକୁ ଆହୁରି ସ୍ପଷ୍ଟ କରୁଛି। ତୃତୀୟ ତ୍ରୈମାସରେ କର୍ପୋରେସନ୍ ସମୁଦାୟ ୧୨.୯୪ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ କରିଛି, ଯାହା ଆର୍ଥିକ ବର୍ଷ ୨୦୨୪–୨୫ ର ତ୍ରୈମାସିକ (୯.୮୪ ମିଲିଅନ୍ ଟନ୍) ତୁଳନାରେ ପ୍ରାୟ ୩୧.୫% ବୃଦ୍ଧି ଅଟେ। ୨୦୨୫–୨୬ ର ତ୍ରୈମାସିକ ଉତ୍ପାଦନରେ ୧୧.୨୩ ମିଲିଅନ୍ ଟନ୍ ଲୁହା ପଥର, ୦.୪୯ ମିଲିଅନ୍ ଟନ୍ କ୍ରୋମ୍, ୧.୧୫ ମିଲିଅନ୍ ଟନ୍ ବକ୍ସାଇଟ୍ ଓ ୦.୦୭ ମିଲିଅନ୍ ଟନ୍ ଅନ୍ୟାନ୍ୟ ଖଣିଜ ରହିଛି । ଏହା ଉତ୍ତମ ମାଇନିଂ ପରିଚାଳନା, ଅନୁକୂଳ କାର୍ଯ୍ୟ ପରିସ୍ଥିତି ଏବଂ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସାଧିତ ହୋଇଛି ।

ଓଏମସି ଏହି କ୍ରମରେ ଉତ୍ପାଦନ ଜାରି ରଖି ଚଳିତ ଆର୍ଥିକ ବର୍ଷ ୨୦୨୫ - ୨୬ ଶେଷ ସୁଦ୍ଧା ଖଣିଜ ଉତ୍ପାଦନ ଓ ବିଶେଷ କରି ଲୁହା ପଥର ଉତ୍ପାଦନରେ ନୂତନ ରେକର୍ଡ ସୃଷ୍ଟି କରିବା ପାଇଁ ପଥ ପ୍ରସ୍ତୁତ କରିଅଛି। ଉତ୍ପାଦନ ବୃଦ୍ଧି ସହିତ, ଓଏମସି ଦାୟିତ୍ୱପୂର୍ଣ୍ଣ ମାଇନିଂ, ସୁରକ୍ଷା, ତଥା ସିଏସଆର ମାଧ୍ୟମରେ ନିଜ ପାଶ୍ୱବର୍ତୀ ଅଂଚଳର ବିକାଶ ପ୍ରତି ପ୍ରତିବଦ୍ଧ ରହିଛି । ଖଣିଜ ଉତ୍ପାଦନରେ ନିରନ୍ତର ବୃଦ୍ଧି ଓଡ଼ିଶା ରେ ଶିଳ୍ପ ର ଉନ୍ନତି ଏବଂ ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବାରେ ଓଏମସି ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିନିଧିତ୍ବ କରେ।