ଭୁବନେଶ୍ୱର,୦୫/୦୧: ଆଜି ଠାରୁ ଓମ୍ସା ଡାକ୍ତର ଦୁଇ ଘଣ୍ଟା ପାଇଁ ଓପିଡି ସେବାରେ ଅସହଯୋଗ କରିବେ । ଓମ୍ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଓ ସାଧାରଣ ସମ୍ପାଦକ ଡା. ସଞ୍ଜୀବ ପ୍ରଧାନ କହିଛନ୍ତି, ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନି । ତେଣୁ ଆନ୍ଦୋଳନ ଅବଧି ବଢ଼ାଇବା ପାଇଁ ଓମ୍ସା ବାଧ୍ୟ ହେଉଛି । ଏହାଦ୍ୱାରା ସ୍ୱାସ୍ଥ୍ୟସେବାରେ ଜଟିଳ ପରିସ୍ଥିତି ସୃଷ୍ଟି ହେଲେ ସରକାର ଦାୟୀ ରହିବେ ।
୧୪ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ସକାଳେ ଘଣ୍ଟାଏ ପରିବର୍ତ୍ତେ ୯ରୁ ୧୧ଟା ୨ ଘଣ୍ଟା ଓପିଡି ସେବା ବର୍ଜନ କରାଯିବ । ଏହାପରେ ବି ସରକାର ଦାବି ପୂରଣ ନ କଲେ ୧୫ତାରିଖରୁ ସକାଳ ଓଳା ୨ ଘଣ୍ଟା ଓ ଉପରବେଳା ସମ୍ପୂର୍ଣ୍ଣ ଓପିଡି ବନ୍ଦ କରାଯିବ । କେବଳ ଜରୁରିକାଳୀନ ସେବା ଜାରି ରହିବ । ଏହାପରେ ୨୭ରୁ ସମ୍ପୂର୍ଣ୍ଣ ଭାବେ ଓପିଡି ସେବା ବନ୍ଦ ହେବ । ଏହାଛଡ଼ା ୨୬ରୁ ବନ୍ଦ ରହିଥିବା ଏନ୍ଏଚ୍ଏମ୍ ଯୋଜନାରେ ଅସହଯୋଗ ଜାରି ରହିବ ବୋଲି ସେମାନେ ଜଣାଇଛନ୍ତି