ଭୁବନେଶ୍ୱର ୩୧/୧୨: ରାଜ୍ୟବ୍ୟାପୀ ଜାରି ରହିଥିବା ଘଣ୍ଟିକିଆ ଓପିଡି ସେବା ବର୍ଜନ ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ । ଆସନ୍ତା ୨୭ରୁ ସମ୍ପୂର୍ଣ୍ଣ ଓପିଡି ସେବା ବନ୍ଦ ପାଇଁ ଡାକ୍ତର ସଂଘ ଚୋତାବନୀ ଦେଇଛି ।
ବର୍ତ୍ତମାନ ଚାଲିଥିବା ଡାକ୍ତରଙ୍କ ଘଣ୍ଟିକିଆ ଓପିଡି ସେବା ଅସହଯୋଗ ଆନ୍ଦୋଳନ ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ଭିତରେ ସରକାର ଯଦି ଦାବି ପୂରଣ ନ କରନ୍ତି, ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ । ୫ରୁ ୧୪ତାରିଖ ପର୍ଯ୍ୟନ୍ତ ସକାଳେ ଘଣ୍ଟାଏ ପରିବର୍ତ୍ତେ ୯ଟାରୁ ୧୧ଟା ଯାଏଁ ୨ ଘଣ୍ଟା ଓପିଡି ସେବା ବର୍ଜନ କରାଯିବ । ଆସନ୍ତା ୧୫ ତାରିଖରୁ ସକାଳ ସମୟରେ ଦୁଇ ଘଣ୍ଟା ଏବଂ ଉପରବେଳା ସମ୍ପୂର୍ଣ୍ଣ ଓପିଡି ବନ୍ଦ ରହିବ । କେବଳ ଜରୁରିକାଳୀନ ସେବା ଜାରି ରହିବ । ୨୭ରୁ ସମ୍ପୂର୍ଣ୍ଣ ଭାବେ ଓପିଡି ସେବା ବନ୍ଦ କରାଯିବ । ଏହାଛଡ଼ା ୨୬ରୁ ବନ୍ଦ ରହିଥିବା ଏନ୍ଏଚ୍ଏମ୍ ଯୋଜନାରେ ଅସହଯୋଗ ଜାରି ରହିବ । ଏନେଇ ମଙ୍ଗଳବାର ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏନ୍(ଓମ୍ସା) ର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଓମ୍ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଓ ସାଧାରଣ ସମ୍ପାଦକ ଡା. ସଞ୍ଜୀବ ପ୍ରଧାନ କହିଛନ୍ତି ।
ସେମାନେ କହିଛନ୍ତି, ଡାକ୍ତରଙ୍କ ସହିତ ରାଜ୍ୟ ସରକାର କରିଥିବା ଅନ୍ୟାୟ ସମ୍ପର୍କରେ ରାଜ୍ୟବାସୀ ଭଲ ଭାବରେ ଜାଣିଛନ୍ତି । ରୋଗୀମାନେ ଆମ ସହିତ ଅଛନ୍ତି । ହେଲେ ସରକାରଙ୍କୁ ବାରମ୍ବାର ସମୟ ଦେଲେ ସୁଦ୍ଧା ଦାବି ପୂରଣ ନେଇ ପଦକ୍ଷେପ ନେଉ ନାହାନ୍ତି । ଫଳରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛୁ । ସରକାର ଯେଉଁ କମିଟି ଗଠନ କରିଛନ୍ତି ତାହା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।