ପୁରୀ, ୧୪/୦୧ : ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ପାଳିତ ହେଉଛି। ଶ୍ରୀଜିଉମାନଙ୍କୁ ଘଣ୍ଟ, ଛତା ମାଧ୍ୟମରେ ମକର ବେଢ଼ା କରାଯାଇ ମକର ଚାଉଳ ଭୋଗ କରାଯିବ। ମକର ସଂକ୍ରାନ୍ତି ଅବସରରେ ମକର ଚଉରାଶି ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀଜିଉଙ୍କ ଆଜିର ଏହି ବେଶରେ ମକର ଚୁଳ ଲଗାଯିବାର ପରମ୍ପରା ରହିଛି। ମକର ବେଢ଼ା ଓ ମକର ଚାଉଳ ଭୋଗ ହେବା ପାଇଁ ଏକ ବୃହତକାୟ ମକର ତାଡ଼ ହେବାର ପରମ୍ପରା ମଧ୍ୟ ରହିଛି।
କୁମ୍ଭକାର ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ମକର ତାଡ଼କୁ ଅଲାମ ଚଣ୍ତି ମନ୍ଦିରରୁ ଶ୍ରୀମନ୍ଦିରକୁ ଏକ ବିରାଟ ଶୋଭାଯାତ୍ରାରେ ଗତକାଲି ନିଆଯାଇଥିଲା। ଏହି ମାଟିତାଡ଼ ସାହାଯ୍ୟରେ ମହାପ୍ରଭୁଙ୍କ ପାଖରେ ଏହା ଭୋଗ କରାଯିବା ପରେ ଭକ୍ତଙ୍କୁ ବାଣ୍ଟି ଦିଆଯାଏ। ଠାକୁରଙ୍କୁ ମକର ଚାଉଳ ଓ ଧନୁମୁଆଁ ଭୋଗ ଅର୍ପଣ କରାଯିବ।
ସଂକ୍ରାନ୍ତିରେ ମହାପ୍ରଭୁଙ୍କ ଅବକାଶ ନୀତି ବଢ଼ିଲେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେବ । ସକାଳ ଧୂପ ସରି ମହାସ୍ନାନ ନୀତି ହେବ । ଠାକୁରେ ନୂଆ ଲୁଗା, ଚୂଳମାଳ ଓ ୬ମୂର୍ତ୍ତି ଅଳଙ୍କାର ଲାଗି ହୋଇ ସ୍ୱତନ୍ତ୍ର ବେଶରେ ବିଭୂଷିତ ହେବେ । ଦ୍ୱିପହର ଧୂପରେ ରୋଷ ଘରୁ ଘଣ୍ଟା, ଛତି ଓ କାହାଳୀର ପଟୁଆରରେ ଯାତ୍ରା ଭୋଗ ଆସିବ । ଷୋଡ଼ଶ ଉପଚାରରେ ଶ୍ରୀବିଗ୍ରହଙ୍କୁ ମଣୋହି କରାଯିବ । ପରେ ଘଣ୍ଟଛତା ସହ ମକର ବେଢ଼ା, ଭୋଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହେବ ।