ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଓ ରବି ରାୟଙ୍କ ଶତବାର୍ଷିକୀ ଉପଲକ୍ଷେ
ନଭେମ୍ବର ମାସରେ ପଡ଼େ ଦୁଇଜଣ ଓଡ଼ିଆ ଉଜ୍ଜ୍ୱଳପୁରୁଷଙ୍କ ଜନ୍ମଦିନ । ନଭେମ୍ବର ୨୩, ୧୯୦୦ ନବକୃଷ୍ଣ ଚୌଧୁରୀଙ୍କର, ଆଉ ନଭେମ୍ବର ୨୬, ୧୯୨୬ ରବି ରାୟଙ୍କର ଜନ୍ମ ଦିବସ । ନବକୃଷ୍ଣ ଥିଲେ ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ଭଗୀରଥ । ଆଉ ରବି ରାୟ, ଅନ୍ତତଃ ମୋ ଦୃଷ୍ଟିରେ କରିଥିଲେ ତା’ର ଶେଷକୃତ୍ୟ । ଏଣୁ ଉଭୟଙ୍କୁ ଏକତ୍ର ସ୍ମରଣ କରିବା ଚାହୁଁଛି ଏଇ ଗୋଟିଏ ପ୍ରବନ୍ଧରେ । କାରଣ, ଏ ଉଭୟ ମହାମନାଙ୍କ ଜୀବନଯାତ୍ରା ଅନୁସରଣ କରି ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ଯାତ୍ରାପଥ ନକ୍ସାଟି ଆଙ୍କିହେବ । ଜନ୍ମ ଦିବସରେ ଏଇମାତ୍ର ଚାରି ଦିନ ଅନ୍ତର । ତେବେ ଉଜ୍ଜ୍ୱଳ ଭୂଖଣ୍ଡରେ ସମାଜବାଦୀ ଆନ୍ଦୋଳନର ଉଦୟ-ଅସ୍ତ ଇତିହାସ ଦୃଷ୍ଟିରୁ ଏହା ଏକ ଦୀର୍ଘ ଯାତ୍ରାର ପ୍ରତୀକ । କୁହାଯାଏ, ସମାଜବାଦ ଏକ ବିଚିତ୍ର ଟୋପି । ସମସ୍ତେ ଏହା ପିନ୍ଧିବାକୁ ବ୍ୟାକୁଳ। କିନ୍ତୁ କାହାରି ମୁଣ୍ଡକୁ ଏହା ଠିକ୍ ଖାପ ଖାଏନାହିଁ । ଲେନିନଙ୍କ ବୈଜ୍ଞାନିକ ସମାଜବାଦରୁ ଆରମ୍ଭ କରି ହିଟଲରଙ୍କ ଜାତୀୟ ସମାଜବାଦ ପର୍ଯ୍ୟନ୍ତ, ଭାରତୀୟ ସମ୍ବିଧାନ ଠାରୁ ଆରମ୍ଭ କରି ଭାରତୀୟ ଜନତା ଦଳର ସମ୍ବିଧାନ ପର୍ଯ୍ୟନ୍ତ ସର୍ବତ୍ର ସ୍ୱୀକୃତି ମିଳିଛି ସମାଜବାଦ ଶବ୍ଦକୁ ।
ଆଜିକାଲି ସମାଜବାଦ କହିଲେ ସାଧାରଣତଃ ଗଣତାନ୍ତ୍ରିକ ସମାଜବାଦକୁ ହିଁ ବୁଝାଏ । ଅବଶ୍ୟ ଏହା ମଧ୍ୟ ଏକ ବହୁ ଅର୍ଥବୋଧକ ଅବାଗିଆ ଟୋପି । ତଥାପି ଏଠି କାମ ଚଳେଇବା ପାଇଁ ଆମେ ନବବାବୁ ଏବଂ ରବିବାବୁଙ୍କୁ ଓଡ଼ିଶାରେ ଗଣତାନ୍ତ୍ରିକ ସମାଜବାଦର ଦୁଇଜଣ ପଥିକୃତ ପ୍ରବକ୍ତା ରୂପେ ଗ୍ରହଣ କରିନେଇଛୁ । ଠିକ୍ ଭାବେ କହିଲେ, ନବବାବୁ ଥିଲେ ସମାଜବାଦୀ-ଗାନ୍ଧିବାଦୀ ଏବଂ ରବିବାବୁ ଥିଲେ ଗାନ୍ଧିବାଦୀ-ସମାଜବାଦୀ । ଓଡ଼ିଶାରେ ସମାଜବାଦର ନିଅଁ ପକାଇଥିଲେ ନବବାବୁ । ୧୯୩୩ରେ ସେ ଗଢ଼ିଥିବା ଉତ୍କଳ ସମାଜବାଦୀ କର୍ମୀ ସଂଘ ଗାନ୍ଧିବାଦୀ, ମାର୍କ୍ସବାଦୀ ଏବଂ ସମାଜବାଦୀମାନଙ୍କର ଥିଲା ଏକ ଜମାୟତ । ଭାରତର ସ୍ୱାଧୀନତା ସହିତ ରାଜାରାଜୁଡ଼ା, ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ଏବଂ ବିଶେଷକରି କୃଷକମାନଙ୍କର ଭୂମି ଅଧିକାର ପାଇଁ ଲଢ଼ିବା ଥିଲା ଏହି ସଂଘର ମୁଖ୍ୟ ଏଜେଣ୍ଡା ।
୧୯୩୪ ମସିହାରେ ସର୍ବଭାରତୀୟ ସ୍ତରରେ ଗଢ଼ାହୋଇଥିବା କଂଗ୍ରେସ ସୋସାଲିଷ୍ଟ ପାର୍ଟିରେ ଉକ୍ତ ସଂଘର ମିଶ୍ରଣ ହୋଇଯାଇଥିଲା ଓ କିଛି ଗାନ୍ଧିବାଦୀ ଏବଂ କମ୍ୟୁନିଷ୍ଟ, କଂଗ୍ରେସ-ସମାଜବାଦୀ ଦଳ ଛାଡ଼ିବା ପରେ କଂଗ୍ରେସ ସୋସାଲିଷ୍ଟ ପାର୍ଟିର ବିଲୟ ଘଟିଲା । ତାରି ଧ୍ୱଂସାବଶେଷ ଉପରେ ୧୯୪୮ରେ ଗଢ଼ାହେଲା ସୋସାଲିଷ୍ଟ ପାର୍ଟି । ଏ ଦଳ ଏହାର ଜୀବଦ୍ଦଶାରେ ବହୁ ରୂପ ବଦଳାଇଛି । ଏଠି ଏତିକି କୁହାଯାଇପାରେ, ରବିବାବୁ ମୃତ୍ୟୁ ଯାବତ୍ ଥିଲେ ସମାଜବାଦୀ । ଉଭୟ ନବବାବୁ ଓ ରବିବାବୁଙ୍କ ଜୀବନଲୀଳା ଭିତରେ ଆମେ ଦେଖିବାକୁ ପାଉ ଅପୂର୍ବ ସାମଞ୍ଜସ୍ୟ । ଉଭୟ ଜନ୍ମଗ୍ରହଣ କରିଥିଲେ ଦୁଇଟି ଜମିଦାର ପରିବାରରେ । ଉଭୟଙ୍କଠାରେ କିନ୍ତୁ ଦୁଇପତ୍ରରୁ ସମାଜବାଦର ଲକ୍ଷଣ ଦେଖାଦେଇଥିଲା । ନବବାବୁ ନିଜ ଧର୍ମନିରପେକ୍ଷତାର ପରିଚୟ ଦେବାକୁ ଯାଇ କହନ୍ତି, ମୋ ଭିତରେ ମୁସଲମାନ ରକ୍ତ ପ୍ରବାହିତ । କାରଣ ମୋ ମାଆଠାରେ ଯଥେଷ୍ଟ କ୍ଷୀର ହେଉନଥିବାରୁ ଆମ ପଡ଼ୋଶୀ ଜଣେ ମୁସଲମାନ ମହିଳାଙ୍କଠାରୁ ମୁଁ କ୍ଷୀର ଖାଉଥିଲି ।
ପୁନଶ୍ଚ ସେ କହନ୍ତି, ମୋ ମାଆଠାରୁ ମୋର ଅଧିକ ପ୍ରିୟ ଥିଲେ ମୋ ଦୁଃଖିନୀ ଧାଈମାଆ । ରବିବାବୁ ତାଙ୍କ ପିଲାବେଳର ଏକ ଦୁଷ୍ଟାମି ମନେପକାନ୍ତି । ଜଣେ ଗରିବ ଦଳିତ ହଳିଆ ତାଙ୍କ ଘରୁ କିଛି ଟଙ୍କା କରଜ କରିଥିଲା । ଶୁଝି ପାରୁନଥିଲା । ରବିବାବୁ ତାଙ୍କ ଘର ହିସାବ ଖାତାରୁ ଚୁପ୍କରି ତା’ ନାଁ ଥିବା ପୃଷ୍ଠାଟି ଚିରି ଦେଇଥିଲେ । ଉଭୟ ନବବାବୁ ଓ ରବିବାବୁ ତରୁଣ ଅବସ୍ଥାରୁ ଜାତୀୟ ଭାବନାରେ ଉଦ୍ବୁଦ୍ଧ ହୋଇଥିଲେ । କଟକ ସହରରେ ପ୍ରଥମଥର ପାଇଁ ଯୁବକ ନବ ଚୌଧୁରୀଙ୍କ ବାଖରାବାଦ କୋଠା ଉପରେ ଉଡ଼ିଥିଲା ଜାତୀୟ କଂଗ୍ରେସର ଜାତୀୟ ପତାକା । ଉଭୟ ନବବାବୁ ଓ ରବିବାବୁ କ୍ଷମତା ରାଜନୀତିର ବିରଳ ସ୍ୱାଦ ଚାଖିଥିଲେ । ନବବାବୁ ଏକଦା ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ଓ ପରବର୍ତ୍ତୀ କାଳରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ରବିବାବୁ କେନ୍ଦ୍ର ଜନତା ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ପରବର୍ତ୍ତୀ କାଳରେ ଲୋକସଭାର ବାଚସ୍ପତି ହୋଇଥିଲେ । ମାତ୍ର କ୍ଷମତା ନିଶା ସେମାନଙ୍କୁ ବେଶିଦିନ ଘାରିନଥିଲା ।
ନବକୃଷ୍ଣ କ୍ଷମତାରେ ଥିବାବେଳେ ଯେକୌଣସି ପ୍ରଗତିଶୀଳ ପଦକ୍ଷେପ ନେବାକୁ ଚାହିଁଲେ, ନିଜ ଦଳ ଭିତରେ ଅଧିକ ପ୍ରତିରୋଧ ହେଲା । ରବିବାବୁ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ନିଜ ସରକାରର ଦକ୍ଷିଣପନ୍ଥୀ ଗୋଷ୍ଠୀ ତାଙ୍କ ଗୋଷ୍ଠୀକୁ ପଦେ ପଦେ ବିରୋଧ କଲେ । ଉଭୟଙ୍କର ମୋହଭଙ୍ଗ ହେଲା ଜୀବନର ଶେଷ ପର୍ଯ୍ୟାୟରେ । ପୁନଶ୍ଚ ଭୋଟ ରାଜନୀତିକୁ ଫେରିବା ପାଇଁ ଉଭୟଙ୍କୁ ପ୍ରଲୋଭନ ଦେଖାଯାଇଥିଲା । ମାତ୍ର ‘ନ ଗଙ୍ଗଦତ୍ତଃ ପୁନରପି କୂପଂ’ନ୍ୟାୟରେ ଉଭୟ ସେ ପେଞ୍ଚପାଞ୍ଚ କୁଟିଳ ରାଜନୀତିକୁ ଦୂରୁ ଜୁହାର କରି ସେଥିରୁ ଅବସର ନେଲେ । ଉଭୟ ଶେଷଜୀବନ ସାମାଜିକ କ୍ରାନ୍ତିରେ ମନୋନିବେଶ କଲେ । ଆଦିବାସୀ କ୍ଷେତ୍ରରେ କାମ କରୁଥିବା ମାଳତୀ ଦେବୀଙ୍କ ପରିଚାଳିତ ନବଜୀବନ ମଣ୍ଡଳ କାର୍ଯ୍ୟରେ ନବବାବୁ ନିଜକୁ ନିୟୋଜିତ କଲେ । ଗାନ୍ଧି ପ୍ରବର୍ତ୍ତିତ ମୌଳିକ ଶିକ୍ଷାର ପ୍ରସାର ପ୍ରଚାର ପାଇଁ ଅନୁଗୁଳରେ ଏକ ମୌଳିକ ବିଦ୍ୟାଳୟ, ବାଜି ରାଉତଙ୍କ ନାମରେ ନାମିତ ଏକ ଛାତ୍ରାବାସ, ଅନୁଗୁଳ ନିକଟରେ ଅବସ୍ଥିତ ଚମ୍ପତ୍ତି ମୁଣ୍ଡାଠାରେ ଜୀବନ ବିଦ୍ୟାଳୟ ନାମରେ ଏକ ଉତ୍ତର ମୌଳିକ ବିଦ୍ୟାଳୟ ସେମାନେ ପ୍ରତିଷ୍ଠା କରିଥିଲେ ।
ନବବାବୁ-ମାଳତୀ ଦେବୀ ଶେଷ ଜୀବନ ମୁଖ୍ୟତଃ ଚମ୍ପତ୍ତି ମୁଣ୍ଡାରେ ଶିକ୍ଷାଦାନ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ । ରବିବାବୁ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଚାଲିଥିବା ବିଭିନ୍ନ ସାମାଜିକ-ଅର୍ଥନୈତିକ ଆନ୍ଦୋଳନରେ ଭାଗନେଲେ । ଉଭୟ ଶେଷ ଜୀବନରେ ଅନୁତପ୍ତ ହୋଇଥିଲେ । କ୍ଷମତା ରାଜନୀତି ମାଧ୍ୟମରେ ସମାଜବାଦ ପ୍ରତିଷ୍ଠା କରିବାକୁ ବୃଥାଚେଷ୍ଟା ନକରି ବରଂ ଗାନ୍ଧି କଥା ମାନି ସାମାଜିକ କ୍ଷେତ୍ରରେ ବ୍ୟବସ୍ଥା ପରିବର୍ତ୍ତନ ପାଇଁ କାର୍ଯ୍ୟ କରିଥିଲେ ହୁଏତ ଅଧିକ ସେମାନେ ସୁଫଳ ପାଇଥାଆନ୍ତେ ।ସଦ୍ୟ ସ୍ୱାଧୀନତା ପାଇଥିବା ଦେଶର ଜନସାଧାରଣଙ୍କୁ ସମାଜବାଦର ଦର୍ଶନ ଓ ଜୀବନଚର୍ଯ୍ୟା ସହିତ ପରିଚିତ କରାଇବାକୁ ପ୍ରାଥମିକତା ଦିଆଯିବା ଉଚିତ ଥିଲା । ସାମ୍ୟ, ସମତା ପ୍ରତିଷ୍ଠା ପାଇଁ ଗଣତାନ୍ତ୍ରିକ ପଦ୍ଧତି ଅନୁସରଣ କରି ଜନଆନ୍ଦୋଳନ ଠିଆ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ଥିଲା ।
ଗ୍ରାମ ସ୍ୱରାଜ୍ୟ ବିନା ଏ ସ୍ୱରାଜ୍ୟ ଅପୂର୍ଣ୍ଣ- ଏହା ଗାନ୍ଧିଜୀ ବାରମ୍ବାର କହୁଥିଲେ । ତେଣୁ ସ୍ୱାଧୀନତା ପ୍ରାପ୍ତି ପରେ କ୍ଷମତାକୁ ନଯାଇ ରାଜନୀତି ବଦଳରେ ଲୋକନୀତି ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଆରମ୍ଭ କରିବାକୁ ଗାନ୍ଧିଜୀ ଯୋଜନା କରିଥିଲେ । ଗାନ୍ଧିଜୀଙ୍କର ଏହି ଲୋକନୀତି ଆଦର୍ଶକୁ ପ୍ରାଥମିକତା ଦେଇଥିଲେ ସେମାନେ ଦେଶମାତୃକାକୁ ଅଧିକ ସଫଳ ସେବା ଦେଇପାରିଥାଆନ୍ତେ ବୋଲି ଉଭୟ ଶେଷ ଜୀବନରେ ସ୍ୱୀକାରୋକ୍ତି କରିଛନ୍ତି । ଶେଷ ଜୀବନରେ ଗାନ୍ଧିଜୀଙ୍କୁ ଉଭୟ ଝୁରି ହୋଇଛନ୍ତି। ଜୀବନର ସାୟାହ୍ନରେ ମହାନ ବିଦ୍ୱାନ ନବବାବୁ ନିଜେ କିଛି ସାହିତ୍ୟ ସୃଷ୍ଟି କରିବା ପରିବର୍ତ୍ତେ ଜଣେ ଟାଇପିଷ୍ଟଙ୍କୁ ଲଗାଇ ଗାନ୍ଧି ବାଙ୍ମୟରୁ ବଛାବଛା ଅଂଶ ଟାଇପ୍ କରାଇଛନ୍ତି, ଯାହା ଏପର୍ଯ୍ୟନ୍ତ ମୁଦ୍ରିତ ହୋଇପାରିନାହିଁ । ପ୍ରାଜ୍ଞ ରବିବାବୁ ଶେଷ ଜୀବନରେ ଆମକୁ ବାରମ୍ବାର କହିଛନ୍ତି ‘ଏବେ ସକାଳୁ ମୁଁ କିଛି ଗାନ୍ଧି ସାହିତ୍ୟ ପଢ଼ି ନସାରିବାଯାଏଁ ଜଳ ସ୍ପର୍ଶ କରୁନାହିଁ ।’ ଗାନ୍ଧିଜୀଙ୍କ ସ୍ୱପ୍ନ ପରି ନବବାବୁ ଓ ରବିବାବୁଙ୍କ ଅନ୍ତିମ ସ୍ୱପ୍ନ ମଧ୍ୟ ଅସଂପୂର୍ଣ୍ଣ, ଅସମାପ୍ତ ରହିଗଲା। ଏକ ସାମ୍ୟ-ସମତାଭିତ୍ତିକ ସମାଜ ଗଠନର ସେମାନଙ୍କ ସେହି ସ୍ୱପ୍ନ ରହିଯାଇଛି ଏକ ବିରାଟ ଆହ୍ୱାନ ହୋଇ ପର ପିଢ଼ି ପାଇଁ ।