ପୁରୀ,୨୮/୦୨: ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରରେ ଦୁର୍ବଳ ସୁରକ୍ଷା ବ୍ୟବସ୍ଥା । ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷା ବଳୟ ଭେଦି ପଶୁଛି ମୋବାଇଲ ଫୋନ୍, ଉଡୁଛି ଡ୍ରୋନ ଓ ଉଠୁଛି ଫଟୋ । ଖୋଲାଖୋଲି ଭାବେ ମନଇଚ୍ଛା ମୋବାଇଲ ନେଇ ଯାତ୍ରୀ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସଙ୍କ ଆଖିରେ ଧୂଳି ଦେଇ ସହଜରେ ମୋବାଇଲ ଶ୍ରୀମନ୍ଦିର ମଧ୍ୟକୁ ଯାଇପାରୁଛି । କେବଳ ସେତିକି ନୁହେଁ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଡ୍ରୋନ୍ ଦ୍ୱାରା ଉଠାଯାଇଥିବା ଶ୍ରୀମନ୍ଦିରର ଟିକ୍ନିକ୍ ଚିତ୍ର ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଯାହା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସରକାରୀ ତଥ୍ୟ ମୁତାବକ, ଗତ ଦେଢ଼ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପରିସରକୁ ୭୦୦ ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ୍ ଧରି ପ୍ରବେଶ କରି ଧରାପଡ଼ିଛନ୍ତି । ସେମାନଙ୍କ ନିକଟରୁ ମୋଟ ୬ ଲକ୍ଷ ୯୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏନେଇ ସିଂହଦ୍ୱାର ଥାନାରେ ୯ଟି ମାମଲା ରୁଜୁ କରାଯାଇଛି । ଏସବୁ ସତ୍ତେ୍ୱ ମଧ୍ୟ ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ମଧ୍ୟକୁ ଅନେକ ବ୍ୟକ୍ତି ମୋବାଇଲ ନେଇ ବେଧଡ଼କ ପ୍ରବେଶ କରୁଛନ୍ତି । ଶ୍ରୀମନ୍ଦିର ସଫେଇ ତଥା ଅନ୍ୟ କାର୍ଯ୍ୟ ପାଇଁ ନିୟୋଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର କର୍ମଚାରୀ ଓ ଅଧିକାରୀ ଖୋଲାଖୋଲି ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାର କରୁଛନ୍ତି ।
ସେହିଭଳି ଧୁଳିଆ, ଯାତ୍ରୀ ଗୁମାସ୍ତାଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ସେବାୟତ ମଧ୍ୟ ଖୋଲାଖୋଲି ମୋବାଇଲ୍ ଫୋନ୍ରେ ଗପୁଛନ୍ତି । ସୁରକ୍ଷାରେ ନିୟୋଜିତ କର୍ମଚାରୀ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ଶ୍ରୀମନ୍ଦିର ଭିତରେ ପୁଲିସ ଓ ସେବାୟତ ମୋବାଇଲ ଫୋନ୍ ବ୍ୟବହାରରେ ବାରଣ ଲଗାଇବା ପାଇଁ ଶ୍ରୀମନ୍ଦିର ଆଇନରେ ସଂଶୋଧନ କରାଯିବ ବୋଲି ଗତ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ହେଲେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି । କାରଣ ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକରେ ମଧ୍ୟ ସମାନ ଆଲୋଚନା ହୋଇଥିଲା । ୱାକିଟକିରେ ଅତି ଜରୁରି ଦାୟିତ୍ୱରେ ଥିବା ପୁଲିସ ଓ ସେବାୟତ କଥା ହେବେ ବୋଲି ଉକ୍ତ ସବ୍କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ହେଲେ ଏବେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିନି ।
କେବଳ ମୋବାଇଲ ଫୋନ ନୁହେଁ ଶ୍ରୀମନ୍ଦିରର ସୁରକ୍ଷା ବଳୟ ଭେଦି ୨୦୨୪ ଜୁନ ମାସଠାରୁ ଚଳିତ ଫେବ୍ରୁଆରୀ ମାସ ମଧ୍ୟରେ ଶ୍ରୀମନ୍ଦିର ଓ ତତ୍ ସଂଲଗ୍ନ ନିଷିଦ୍ଧାଞ୍ଚଳ ମଧ୍ୟରୁ ପୁଲିସ ୧୦ଟି ବେଆଇନ ଡ୍ରୋନ୍ ଜବତ କଲାଣି । ଏ ସଂକ୍ରାନ୍ତରେ ସିଂହଦ୍ୱାର ଥାନାରେ ୧୦ଟି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୨ଟି ମାମଲାର ତଦନ୍ତ ସରିଥିବା ବେଳେ ଏପର୍ଯ୍ୟନ୍ତ ୮ଟି ମାମଲା ବିଚାରାଧୀନ ଅଛି । ଏହା କେବଳ ପଞ୍ଜିକୃତ ମାମଲାର ତଥ୍ୟ । ଏହାବାଦ୍ ପୁଲିସ ଆଖିରେ ଧୂଳି ଦେଇ ଅନେକ ଡ୍ରୋନ ଉଡୁଥିବା ନଜର ଆସୁଛି । ଡ୍ରୋନ୍ ଦ୍ୱାରା ସୁଟିଂ କରାଯାଇଥିବା ଶ୍ରୀମନ୍ଦିରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ଡ୍ରୋନ ଉଡ଼ିଥିବା କଥା ପୁଲିସ ଜାଣିବାକୁ ପାଉଛି । ଅଧିକାଂଶ ମାମଲାରେ ଏହି ଭାଇରାଲ ଡ୍ରୋନ୍ ଭିଡିଓ ପଛରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ନିକଟରେ ପୁଲିସ ପହଞ୍ଚି ପାରୁନାହିଁ ।
ଅଧିକ ପଢ଼ନ୍ତୁ :- ପ୍ୟାକେଟ୍ ଖୋଲିଲେ ମହ ମହ ବାସୁଛି ଅବିର, ଲୋକେ ଖୋଜୁଛନ୍ତି ମୁଣ୍ଡଫଟା
ସେହିଭଳି ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପ୍ରସାରଣ କରିଥିବା ଅଭିଯୋଗରେ ୮ଟି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୫ଟି ମାମଲାର ତଦନ୍ତ ସରିଛି । ୩ଟି ମାମଲା ବିଚାରଧୀନ ରହିଛି । ଅନେକ ମାମଲା ପଞ୍ଜିକୃତ ନ ହୋଇ କେବଳ ସୋସିଆଲ ମିଡିଆ ପୋଷ୍ଟ ଡିଲିଟ୍ ସହ ରଫାଦଫା ହୋଇଯାଇଛି । ଶ୍ରୀମନ୍ଦିର ଚାରିଦ୍ୱାରରେ ଥିବା ମେଟାଲ ଡିଟେକ୍ଟର ଠିକ ରୂପେ କାର୍ଯ୍ୟ ନ କରିବା ଏବଂ ୪ ଦ୍ୱାରରେ ନିୟୋଜିତ ସୁରକ୍ଷାକର୍ମୀ କଡ଼ାକଡ଼ି ଯାଞ୍ଚ ନ କରିବା ଏହାର ମୁଖ୍ୟ କାରଣ ।
ଏନେଇ ଏସ୍ପି ପ୍ରତୀକ ସିଂହ କହିଛନ୍ତି, ଶ୍ରୀମନ୍ଦିର ଚାରି ଦ୍ୱାରରେ ଥିବା ମେଟାଲ ଡିଟେକ୍ଟର କାମ କରୁଛି । ମୋବାଇଲ ଓ ଡ୍ରୋନ ଉଡାଣ ଉପରେ କଡ଼ା ନଜର ରଖାଯାଇଛି । ଆଗାମୀ ଦିନରେ ମେସିନ୍ରେ ମାନୁଆଲ୍ ଚେକିଂକୁ ଗୁରୁତ୍ୱ ଦିଆଯିବ । ଏହାଦ୍ୱାରା ମୋବାଇଲ ଫୋନ୍ ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ସଂଖ୍ୟା ହ୍ରାସ ପାଇବ ବୋଲି ଆମର ଆଶା ରହିଛି ।
ଅଧିକ ପଢ଼ନ୍ତୁ:- ମଙ୍ଗଳବାର ଦୋଳପୂର୍ଣ୍ଣମୀ: ଦୋଳବେଦିରେ ଲାଗିବ ୨୧ ଚାନ୍ଦୁଆ, ଫଗୁ ଖେଳରେ ଏକାକାର ହେବେ ଭକ୍ତ ଓ ଭଗବାନ