କଟକ,୨୬/୦୭: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ ସହାୟକ ଚାକିରି ଦେବାକୁ କହି ଜଣେ ମହିଳାଙ୍କ ଠାରୁ ୩ ଲକ୍ଷ ଟଙ୍କା ଠକିବା ଘଟଣାରେ କଟକ ସାଇବର ଥାନା ପୁଲିସ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଆଠଗଡ ଖୁଣ୍ଟକଟାର ସତ୍ୟଜିତ ନାୟକ (୨୪ ବର୍ଷ) ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଶୁକ୍ରବାର କଟକର ଜଣେ ମହିଳା ସାଇବର ଥାନାରେ ଏନେଇ ଅଭିଯୋଗ କରିଥିଲେ । ମହିଳା ଜଣକୁ ଅଭିଯୁକ୍ତ ସତ୍ୟଜିତ ଏକ ଷ୍ଟୁଡିଓରେ ଭେଟିଥିଲେ । ସେ ଜିଲ୍ଲାପାଳଙ୍କ ଅଫିସରେ କନିଷ୍ଠ ସହାୟକ ଚାକିରି କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ସେ ମହିଳାଙ୍କ ଠାରୁ ୩ ଲକ୍ଷ ଟଙ୍କା ନେଇଥିଲେ । ପରେ ମହିଳାଙ୍କୁ ଚାକିରି ଯୋଗଦାନ କାଗଜ ମଧ୍ୟ ପ୍ରଦାନ କରିଥିଲେ । ଯାହାକୁ ନେଇ ମହିଳା ଜିଲ୍ଲପାଳଙ୍କ ଅଫିସ ଯାଇଥିଲେ । ମାତ୍ର ତାହା ଜାଲ୍ ବୋଲି ଜଣାପଡିଲା । ଏନେଇ ସେ ଜିଲ୍ଲାପାଳଙ୍କ ସହିତ ସାଇବର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସତ୍ୟଜିତ ଗିରଫ ହୋଇଛି । ଏଭଳି ସେ ଅନ୍ୟ ୮ ଜଣଙ୍କୁ ଠକିଥିବା ତଦନ୍ତରୁ ଜଣାପଡୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସିପିଏସ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି ।